ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ମୁରଲୀ ବିଜୟ

ନୂଆଦିଲ୍ଲୀ: ଭେଟେରାନ ଭାରତୀୟ ଓପନର୍‌ ମୁରଲୀ ବିଜୟ ସୋମବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଛନ୍ତି। ୩୮ ବର୍ଷୀୟ ଏହି ଚେନ୍ନାଇ ତାରକା ୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷ ପର୍ଥ ଟେଷ୍ଟରେ ଶେ‌ଷ ଥର ଲାଗି ଭାରତ ପକ୍ଷରୁ ଖେଳିଥିଲେ। ୨୦୦୮ ନଭେମ୍ବରରେ ବର୍ଡର-ଗାଭାସ୍କର ଟ୍ରଫିରେ ପଦାର୍ପଣ କରିଥିବା ବିଜୟ ଦେଶ ପାଇଁ ୬୧ ଟେଷ୍ଟ, ୧୭ ଏକଦିବସୀୟ ଓ ୯ ଟ୍ବେଣ୍ଟି-୨୦ ଖେଳିଛନ୍ତି। ଏହି ଡାହାଣହାତୀ ବ୍ୟାଟର୍‌ ଟେଷ୍ଟରେ ୧୨ ଶତକ, ୧୫ ଅର୍ଦ୍ଧଶତକ ସହ ୩୯୮୨ ରନ୍‌ କରିଛନ୍ତି। ଦିନିକିଆରେ ସେ ଗୋଟିଏ ଅର୍ଦ୍ଧଶତକ ସହ ୩୩୯ ରନ୍‌ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ନିଜର ଅବସର ବିଷୟରେ ଘୋଷଣା କରି ବିଜୟ କହିଛନ୍ତି ସେ ବିଶ୍ବର ବିଭିନ୍ନ କ୍ରିକେଟ୍‌ ଲିଗ୍‌ ଏବଂ ‌ବ୍ୟବସାୟ ଉପରେ ଅଧିକ ମନୋନିବେଶ କରିବା ଲାଗି ଏହି ନିଷ୍ପତ୍ତି ନେଇଛନ୍ତି।

‘‘ଆଜି, ବିଶେ‌ଷ କୃତଜ୍ଞତା ଏବଂ ନମ୍ରତାର ସହ ଅନ୍ତର୍ଜାତୀୟ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରୁଛି। ୨୦୦୨-୨୦୧୮ ପର୍ଯ୍ୟନ୍ତ ମୋ କ୍ରିକେଟ୍‌ ଯାତ୍ରା ଜୀବନର ସବୁଠୁ ଚମତ୍କାର ଥିଲା। ଏହା ମଧ୍ୟରେ ମୁଁ ଭାରତରୁ ପ୍ରତିନିଧିତ୍ବ କରିପାରିଥିଲି। ସୁଯୋଗ ଦେଇଥିବାରୁ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ), ତାମିଲନାଡ଼ୁ କ୍ରିକେଟ୍‌ ସଂଘ (ଟିଏନ୍‌ସିଏ), ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଚେମପ୍ଲାଷ୍ଟ ସାନ୍‌ମାର ନିକଟରେ କୃତଜ୍ଞ। ସମସ୍ତ ଦଳୀୟ ସାଥୀ, ପ୍ରଶିକ୍ଷକ, ମେଣ୍ଟର୍ସ ଓ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ମୁଁ ମୋ ସ୍ବପ୍ନ ପୂରଣ କରିବା ସହ ଏହି ସ୍ତରରେ ପହଞ୍ଚିପାରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ପତନଉଥ୍ଥାନ ବେଳେ କ୍ରିକେଟ୍‌ ପ୍ରଶଂସକମାନଙ୍କ ସମର୍ଥନ ଆଗକୁ ବଢ଼ିବାର ଉତ୍ସାହ ଦେଇଥିଲା। ସେମାନଙ୍କ ସହ ବିତାଇଥିବା ମୁହୂର୍ତ୍ତ ସବୁ ଦିନ ମନେ ରହିବ। ନିସର୍ତ୍ତ ଓ ଭଲ ପାଇବା ଲାଗି ମୋର ପରିବାର ଓ ବନ୍ଧୁମାନଙ୍କୁ ଧନ୍ୟବାଦ ଦେବି। ଏମାନେ ମୋର ମେରୁଦଣ୍ଡ। ଏମାନଙ୍କ ବିନା ଏହି ସଫଳତା ପାଇବା ସମ୍ଭବ ହୋଇନଥାନ୍ତା। ମୁଁ ‌ଏବେ ବିଶ୍ବ କ୍ରିକେଟ୍‌ର ବିଭିନ୍ନ ଲିଗ୍‌ ସହ ବ୍ୟବସାୟ ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଛି। ଯେଉଁଥିରେ ମୁଁ ଭଲପାଉଥିବା ଖେଳ ସମ୍ପୃକ୍ତ ଥିବ। ଏବେ କ୍ରିକେଟର୍‌ ଭାବେ ମୋର ଯାତ୍ରା ଶେଷ ହୋଇଛି ଓ ନୂତନ ଅଧ୍ୟାୟକୁ ଅପେକ୍ଷା କରିଛି। ମୋର ସମସ୍ତ ପୂର୍ବତନ ସାଥୀ ଖେଳାଳି ଏବଂ ଭାରତୀୟ କ୍ରିକେଟ୍ ଦଳକୁ ସେମାନଙ୍କର ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛି। ସମସ୍ତ ସ୍ମୃତିକୁ ଧନ୍ୟବାଦ’’ ବୋଲି ସାମାଜିକ ଗଣମାଧ୍ୟମରେ ବିଜୟ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର