ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାଇଲିସ୍ ଓପନିଂ ବ୍ୟାଟ୍ସମ୍ୟାନ୍ ମୁରଲୀ ବିଜୟ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଆଜି ଅପରାହ୍ନରେ ମୁରଲୀ ବିଜୟ ସୋସିଆଲ ମିଡିଆରେ ଏହା ଘୋଷଣା କରି ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଫେବ୍ରୁଆରିରେ ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ। ଏ ମଧ୍ୟରେ ଭାରତର ଏହି ଷ୍ଟାର ଖେଳାଳି ଅବସର ନେଉଥିବା ଘୋଷଣା କରିଛନ୍ତି। ୫ବର୍ଷ ହେଲା ସେ ଭାରତୀୟ ଟିମକୁ ପୁଣି ଫେରିବା ପାଇଁ ଅପେକ୍ଷା କରିଥିଲେ,ହେଲେ ସୁଯୋଗ ପାଇ ନଥିଲେ। ହେଲେ ଆଜି ଶେଷରେ ସେ ଅବସର ଘୋଷଣା କରିଛନ୍ତି। ଏଯାବତ୍ ସେ ୬୧ଟି ଟେଷ୍ଟ ମ୍ୟାଚ ଖେଳି ୩୮୮୨ ରନ୍ ସଂଗ୍ରହ କରିଛନ୍ତି।
୩୮ ବର୍ଷୀୟ ମୁରଲୀ ବିଜୟ ଟ୍ବିଟ କରି ଲେଖିଛନ୍ତି ଯେ ଆଜି ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରୁଛି। ୨୦୦୨ରୁ ୨୦୧୮ ପର୍ଯ୍ୟନ୍ତ ଥିବା ଯାତ୍ରା ମୋ ଜୀବନର ସର୍ବୋତ୍ତମ ମୂହୁର୍ତ୍ତ ଥିଲା କାରଣ ମୁଁ ଭାରତ ପାଇଁ କ୍ରିକେଟ ଖେଳିବାର ସୁଯୋଗ ପାଇଥିଲି। ମୁଁ ମୋ ତରଫରୁ ବିସିସିଆଇ, ତାମିଲନାଡୁ କ୍ରିକେଟ୍ ଆସୋସିଏସନ୍, ଚେନ୍ନାଇ ସୁପର କିଙ୍ଗ୍ସକୁ ଧନ୍ୟବାଦ ଦେଉଛି।
@BCCI @TNCACricket @IPL @ChennaiIPL pic.twitter.com/ri8CCPzzWK
— Murali Vijay (@mvj888) January 30, 2023
ମୁରଲୀ ବିଜୟ ଆହୁରି ଲେଖିଛନ୍ତି ଯେ ମୁଁ ମୋର ସମସ୍ତ ସାଥୀ ଖେଳାଳି, ପରାମର୍ଶଦାତା, ପ୍ରଶିକ୍ଷକ, ସହାୟକ କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି, ଯେଉଁମାନେ ମୋ କ୍ୟାରିୟରରେ ମୋତେ ବହୁତ ସାହାଯ୍ୟ କରିଥିଲେ। ମୁଁ ମୋର ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇବି, ଯେଉଁମାନେ ମୋ କ୍ୟାରିୟରର ଉତ୍ଥାନ-ପତନ ମାଧ୍ୟମରେ ମୋତେ ସର୍ବଦା ସମର୍ଥନ କରିଆସୁଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ମୁରଲୀ ବିଭିନ୍ନ ଲିଗରେ ଭିନ୍ନଭିନ୍ନ ଭୂମିକା ପାଇଁ ପ୍ରସ୍ତୁତ ଅଛନ୍ତି, ଯଦି ତାଙ୍କୁ କୌଣସି ଦାୟିତ୍ୱ ମିଳେ ତେବେ ସେ ଏହାକୁ ତୁଲାଇବେ।