୪୦ ବର୍ଷ ଧରି ପିଚ୍‌ ଓ ପଡ଼ିଆ ପ୍ରସ୍ତୁତି ଦାୟିତ୍ୱରେ ମୁରଲୀଧର

କଟକ : ବାରବାଟୀ ପିଚ୍‌ ଅନେକ କୀର୍ତ୍ତିମାନ ବହନ କରୁଛି। ହେଲେ ଏହି ପିଚ୍‌ ପଛରେ ଅନେକ କାହାଣୀ ଛପି ରହିଛି। ପିଚ୍‌ ତିଆରି କରିବା ଏତେ ସାଧାରଣ କଥା ନୁହେଁ। ଏହାପଛରେ ଅନେକ ପରିଶ୍ରମ ଓ ସଠିକ୍‌ ମାଟିର ମିଶ୍ରଣ ରହିଛି। ଯାହାର ପରିଣାମ ସ୍ବରୂପ ଛକା, ଚୌକାରେ ଦର୍ଶକଙ୍କ ମନୋରଂଜନ ହୋଇପାରୁଛି। ତେବେ ପିଚ୍‌ ନିର୍ମାଣ ପଛରେ ରହିଥିବା ପ୍ରକୃତ ହାତକୁ ସମସ୍ତେ ଜାଣି ପାରନ୍ତି ନାହିଁ। ମୁରଲୀଧର ପାତ୍ର। କମ୍‌ ଉଚ୍ଚତା, ପତଳା ଶରୀର ସହିତ ଧୋତି ପିନ୍ଧା ଜଣେ ବୃଦ୍ଧ ଲୋକ ଲଗାତର ଭାବେ ଅନେକ ବର୍ଷରୁ ବାରବାଟୀ ପିଚ୍‌ ତିଆରି କରିଆସୁଛନ୍ତି। ଗଞ୍ଜାମ ଜିଳ୍ଲା ଭଞ୍ଜନଗରର ବାସିନ୍ଦା ହୋଇଥିଲା ବେଳେ ୧୯୭୫ ମସିହାରୁ ବାରବାଟୀରେ କାମ କଲେଣି। ପ୍ରଥମେ ଓଡ଼ିଶା ଅଲିମ୍ପିକ ସଂଘ ଅଧୀନରେ କାର୍ଯ୍ୟ କରୁଥିଲେ। ପରେ ସେ ଓଡ଼ିଶା କ୍ରିକେଟ ସଂଘ ଅଧୀନରେ କାର୍ଯ୍ୟ କରିଆସୁଛନ୍ତି।। ପଡିଆ ପ୍ରସ୍ତୁତ କରିବାରେ ତାଙ୍କର ଅଭିଜ୍ଞତାକୁ ଦେଖି ଏବେବି ଯେଉଁଠାରେ ଫୁଟ୍‌ବଲ୍‌ କିମ୍ବା ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ ହେଉଛି, ସେଠାରେ ମୁରଲୀଧର ଖୋଜା ପଡ଼ନ୍ତି। ବାରବାଟୀର ଅନେକ ଘଟଣା ତାଙ୍କ ଆଖି ସାମ୍ନାରେ ଘଟିଯାଇଛି। ପଡିଆ ତିଆରି ହେବାଠୁ ଆରମ୍ଭ କରି ଗ୍ୟାଲେରି ନିର୍ମାଣ, ଷ୍ଟାଡିୟମର ଏକାଧିକ ଥର ନବ‌କଳେବର ହେବା ଇତ୍ୟାଦି ଘଟଣା ସେ ଦେଖିଛନ୍ତି। ତାଙ୍କ ମତରେ ପ୍ରତ୍ୟେକ ଦିନ ସକାଳୁ ଟିକେ ଷ୍ଟାଡିୟମ ପଡିଆରେ ନବୁଲିଲେ ତାଙ୍କୁ ଭଲ ଲାଗେନି।‌ ତେଣୁ ଏଠାକାର ପ୍ରତିଟି ଘାସ ସହିତ ତାଙ୍କର ନିବିଡତା ରହିଛି। ଏବେ ବିସିସିଆଇ ପିଚ୍‌ କ୍ୟୁରେଟର ଭାବେ ପଙ୍କଜ ପଟ୍ଟନାୟକ ଓ ଓସିଏ ପିଚ୍‌ କ୍ୟୁରେଟର ଭାବେ ସୁଟୁ ଘୋଷ କାର୍ଯ୍ୟ କରୁଛନ୍ତି। କିନ୍ତୁ ପ୍ରତ୍ୟେକ ଥର ପିଚ୍‌ ଓ ପଡ଼ିଆ କାମ ବେଳେ ମୁରଲୀଧରଙ୍କ ସହାୟତା ଓ ପରାମର୍ଶକୁ ମଧ୍ୟ ଗୁରୁତ୍ବ ଦିଆଯାଇଥାଏ।

ସମ୍ବନ୍ଧିତ ଖବର