ଚେନ୍ନାଇ: ଶ୍ରୀଲଙ୍କାର ସ୍ପିନ୍ କିଂବଦନ୍ତି ମୁଥୟା ମୁରଲୀଧରନ୍ ପୁଣି ଥରେ ବିବାଦ ଘେରରେ ଅଛନ୍ତି। ଏଥର ତାଙ୍କ ଆତ୍ମଜୀବନୀ ଚଳଚ୍ଚିତ୍ର ‘୮୦୦’କୁ ନେଇ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ ମୁଣ୍ଡ ଟେକିଛି। ଶ୍ରୀଲଙ୍କାର ଗୃହଯୁଦ୍ଧ ବେଳେ ସେଠାରେ ରହୁଥିବା ଭାରତୀୟ ତାମିଲଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର, ଗଣହତ୍ୟା, ଘୃଣା ଓ ହୀନମନ୍ୟତା ବିରୋଧରେ ସ୍ବର ଉତ୍ତୋଳନ କରିନଥିବାରୁ ଏହି ପ୍ରସ୍ତାବିତ ଚଳଚ୍ଚିତ୍ରକୁ ଭାରତ ଓ ଭାରତ ବାହାରେ ରହୁଥିବା ତାମିଲମାନେ ତୀବ୍ର ବିରୋଧ କରୁଛନ୍ତି। ଏପରିକି ଏହି କାରଣ ପାଇଁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଅନ୍ୟତମ ଲୋକପ୍ରିୟ ତାରକା ବିଜୟ ସେଥୁପତି ମୁରଲୀଙ୍କ ଚରିତ୍ରରେ ଅଭିନୟ କରିବାରୁ ଓହରି ଯାଇଛନ୍ତି। ଚଳଚ୍ଚିତ୍ରର ମୋସନ୍ ପୋଷ୍ଟର ବହୁ ଆଡ଼ମ୍ବରରେ ଜାରି ହେବା ପରେ ବିରୋଧ ଓ ସମାଲୋଚନା ଦିନକୁ ଦିନ ବଢ଼ି ବଢ଼ି ଚାଲିଥିଲା। ଫଳରେ ବାଧ୍ୟହୋଇ ସେ ଏଥିରେ ଅଭିନୟ କରିବାକୁ ମନା କରି ଦେଇଥିଲେ। ତେବେ ମୁରଲୀଙ୍କ ଆତ୍ମଜୀବନୀକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସୂତ୍ର ଶ୍ରୀଲଙ୍କାରେ ରହୁଥିବା ଭାରତୀୟ ତାମିଲଙ୍କ ଆଶାନ୍ତ ଅତୀତ ଏବଂ ତା’ ସହ ଥିବା ଭାରତୀୟ ସଂପର୍କକୁ ଦାୟୀ କରାଯାଇପାରେ। ଅବଶ୍ୟ ବିବାଦ ମୁରଲୀଙ୍କ ପାଇଁ ନୂଆ କଥା ନୁହେଁ। ପଛୁଆ, ନିର୍ଯାତିତ ଓ ଅବହେଳିତ ଜାତିରୁ ଆସି ବିଶ୍ବର ସବୁଠାରୁ ଚର୍ଚିତ ଓ ପ୍ରସିଦ୍ଧ ବୋଲର ହେବା ଭିତରେ ତାଙ୍କୁ ନେଇ ଅଗଣିତ ବିବାଦ ମୁଣ୍ଡ ଟେକିଥିଲା। ଖେଳ ଜୀବନର ପ୍ରାରମ୍ଭରେ ମୁରଲୀଙ୍କ ବୋଲିଂ ଶୈଳୀକୁ ନେଇ ସନ୍ଦେହ ପ୍ରକଟ କରାଯାଇଥିଲା। ତେବେ ଅଦମ୍ୟ ଇଚ୍ଛାଶକ୍ତି, ନିରନ୍ତର ପ୍ରୟାସ ଓ କଠିନ ଅଧ୍ୟବସାୟ ବଳରେ ସେ କେବଳ ଶ୍ରୀଲଙ୍କା ଦଳରେ ଦୀର୍ଘ ବର୍ଷ ଧରି ଖେଳିନଥିଲେ, ସମଗ୍ର ବିଶ୍ବରେ ସର୍ବାଧିକ ଅନ୍ତର୍ଜାତୀୟ ୱିକେଟ୍ ନେବାର ବିରଳ କୀର୍ତ୍ତିମାନ ବି କରି ନେଇଥିଲେ। ତେବେ ଏଥର ମୁରଲୀଙ୍କୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଛି, ତାହା ଅତ୍ୟନ୍ତ ଜଟିଳ ବୋଲି ତାମିଲ ମାମଲାର ବିଶେଷଜ୍ଞମାନେ ମତ ଦେଇଛନ୍ତି।
ବହୁ ପିଢ଼ିର ଭାରତୀୟ ସଂପର୍କ
ଶ୍ରୀଲଙ୍କାରେ ଦୁଇ ପ୍ରକାର ତାମିଲ ବସବାସ କରନ୍ତି। ଭାରତୀୟ ତାମିଲ ଓ ଶ୍ରୀଲଙ୍କା ତାମିଲ। ଭାରତୀୟ ତାମିଲମାନଙ୍କୁ ବ୍ରିଟିସରମାନେ ଊନ୍ନବିଂଶ ଓ ବିଂଶ ଶତାବ୍ଦୀରେ ଶ୍ରୀଲଙ୍କାର ଚା’ ଓ କଫି ବାଗାନରେ କାମ କରିବା ଲାଗି ସେଠାକୁ ନେଇଥିଲେ। ଏମାନେ ସାଧାରଣତଃ ପାହାଡ଼ିଆ ଅଞ୍ଚଳରେ ରୁହନ୍ତି। ସେଥିପାଇଁ ସେମାନଙ୍କୁ ମାଳୟ ତାମିଲ ମଧ୍ୟ କୁହାଯାଏ। ଉତ୍ତର ଓ ପୂର୍ବ ଶ୍ରୀଲଙ୍କାରେ ରହୁଥିବା ସିଂହଳୀ ତାମିଲମାନେ କିନ୍ତୁ ଭାରତୀୟ ତାମିଲଙ୍କୁ ହୀନ ଭାବରେ ଦେଖନ୍ତି। ନିଜକୁ ସମ୍ଭ୍ରାନ୍ତ ଓ ଉଚ୍ଚ ବର୍ଗର ମାନନ୍ତି। ଏମାନେ ମଧ୍ୟ ଭାରତୀୟ ତାମିଲ ବା ମାଳୟ ତାମିଲଙ୍କଠାରୁ ଧନଶାଳୀ, ଶିକ୍ଷିତ ଓ ରାଜନୈତିକ ସ୍ତରରେ ଦୃଢ଼। ସେମାନେ ଦଶନ୍ଧି ଦଶନ୍ଧି ଧରି ଭାରତୀୟ ତାମିଲଙ୍କ ପ୍ରତି ଅଣଦେଖା କରିବା ସହ ସେମାନଙ୍କୁ ଦୁଃଖ କଷ୍ଟରେ ଚଳିବାକୁ ଛାଡ଼ି ଦେଇଥିଲେ। ଷାଠିଏ ଦଶକରେ ଶ୍ରୀଲଙ୍କାରେ ରହୁଥିବା ଭାରତୀୟ ତାମିଲଙ୍କ ମଧ୍ୟରୁ ଅର୍ଦ୍ଧେକଙ୍କୁ ଲାଲ ବାହାଦୂର ଶାସ୍ତ୍ରୀ-ଶିରିମାଭୋ ବନ୍ଦରନାଏକଙ୍କ ମଧ୍ୟରେ ହୋଇଥିବା ସନ୍ଧି ପାଇଁ ଛେଳି ମେଣ୍ଢାଙ୍କ ଭଳି ପାଣି ଜାହାଜରେ ଭାରତ ପଠାଇ ଦିଆଯାଇଥିଲା। ଶ୍ରୀଲଙ୍କାରେ ରହିଯାଇଥିବା ବଳକା ଭାରତୀୟ ତାମିଲଙ୍କୁ ୨,୦୦୦ ମସିହାରେ ହିଁ ସେଠାକାର ନାଗରିକତ୍ବ ମିଳିଥିଲା। ୩୦ ବର୍ଷର ଇଲମ ଯୁଦ୍ଧ ବା ଗୃହ ଯୁଦ୍ଧ ବେଳେ ସିଂହଳୀ ନାଗରିକମାନେ ଦେଶପ୍ରତି ସେମାନଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଉଥିଲେ। ଶ୍ରୀଲଙ୍କା ତାମିଲ ମଧ୍ୟ ଭାରତୀୟ ତାମିଲଙ୍କୁ ବିଶ୍ବାସଘାତକର ଆଖ୍ୟା ଦେଇଥିଲେ। କହିବାକୁ ଗଲେ ଭାରତୀୟ ତାମିଲମାନେ ଏକପ୍ରକାର ତ୍ରିଶଙ୍କୁ ଅବସ୍ଥାରେ ରହିଥିଲେ।
ତାମିଲଙ୍କ ପାଇଁ ସ୍ବର ଉତ୍ତୋଳନ ନ କରିବାର ଅଭିଯୋଗ
ମୁରଲୀ ହେଉଛନ୍ତି ଜଣେ ଭାରତୀୟ ତାମିଲ। ୩୦ ବର୍ଷ ଧରି ଚାଲିଥିବା ଶ୍ରୀଲଙ୍କାର ଗୃହଯୁଦ୍ଧର ଆଶାନ୍ତ ଓ ଭୟାବହ ସମୟରେ କେନ୍ଦ୍ରୀୟ ଶ୍ରୀଲଙ୍କାର ପାହାଡ଼ିଆ ଅଞ୍ଚଳରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା-ମାତାଙ୍କ ଆର୍ଥିକ ଅବସ୍ଥା ଅନ୍ୟ ଭାରତୀୟ ତାମିଲଙ୍କ ତୁଳନାରେ ଟିକିଏ ଭଲ ଥିଲା। ହେଲେ ତାଙ୍କ ବିସ୍କୁଟ ଫ୍ୟାକ୍ଟ୍ରିକୁ ସିଂହଳୀ ଭିଡ଼ ହିଂସାକାରୀ ଦୁଇ ଦୁଇ ଥର ଜାଳି ଦେଇଥିଲେ। ଶୈଶବ ଓ କିଶୋରାବସ୍ଥାରେ ମୁରଲୀ ଏସବୁ ସ୍ବଚକ୍ଷୁରେ ଦେଖିଥିଲେ। ଜଣେ ଭାରତୀୟ ତାମିଲ ବାଳକ ପ୍ରସିଦ୍ଧି ଲାଭ କରିବା ଏବଂ ବିଶ୍ବର ସଫଳତମ ବୋଲର ପାଲଟିବାକୁ ଶ୍ରୀଲଙ୍କା ତାମିଲମାନେ ସହି ପାରୁନଥିଲେ। ମୁରଲୀଙ୍କ ଆତ୍ମଜୀବନୀକୁ ସେମାନେ ଏବେ ବିରୋଧ କରିବାର ଏହା ମୂଳ କାରଣ। ସେପଟେ ଜଣେ ସଫଳ କ୍ରିକେଟର ହୋଇଥିଲେ ମଧ୍ୟ ଭାରତୀୟ ତାମିଲଙ୍କ ପ୍ରତି କିଛି କରିନଥିବାରୁ ଭାରତରେ ତାଙ୍କର ବିରୋଧ ହେଉଛି। ତା’ ଭିତରେ ‘୮୦୦’ ନାମରେ ନିର୍ମାଣ ହେବାକୁ ଥିବା ମୁରଲୀଙ୍କ ଆତ୍ମଜୀବନୀ ଏକପ୍ରକାର ବଳି ପଡ଼ିଯାଇଛି।