ମୁସ୍‌ଫିକର ମାଡ଼ରେ ଶ୍ରୀଲଙ୍କା ଧୂଳି ଚାଟିଲା

ବାଂଲାଦେଶର ପ୍ରଥମ ବିଜୟ

କଲମ୍ବୋ: ନିଦାହସ୍‌ ଟ୍ରଫି ତ୍ରି-ରାଷ୍ଟ୍ରୀୟ କ୍ରିକେଟ୍‌ ପ୍ରତିଯୋଗିତାରେ ବାଂଲାଦେଶ ପ୍ରଥମ ବିଜୟ ହାସଲ କରିଛି। ଶନିବାର ଏହି ଟେ୍ଵଣ୍ଟି-୨୦ ପ୍ରତିଯୋଗିତାର ତୀବ୍ର ସଂଘର୍ଷପୂର୍ଣ୍ଣ ତୃତୀୟ ମ୍ୟାଚ୍‌ରେ ଓ୍ଵିକେଟ୍‌ ରକ୍ଷକ ବ୍ୟାଟ୍ସମ୍ୟାନ୍‌ ମୁସଫିକର ରହିମ (୭୨* ରନ୍‌, ୩୫ ବଲ୍‌, ୫ ଚୌକା, ୪ ଛକା)ଙ୍କ ଧମାକାଦାର ବ୍ୟାଟିଂ ବଳରେ ବାଂଲାଦେଶ ଶେଷ ଓଭରରେ ହିଁ ଆୟୋଜକ ଶ୍ରୀଲଙ୍କାକୁ ଧୂଳି ଚଟାଇଥିଲା। ଶେଷ ଓଭରରୁ ବିଜୟ ପାଇଁ ୯ ରନ୍‌ର ଦରକାର ଥିଲା ବେଳେ ମୁସଫିକର ଏହାକୁ ଗୋଟିଏ ଚୌକା ସହ ଦୁଇଟି ବଲ୍‌ ପୂର୍ବରୁ ହାସଲ କରି ନେଇଥିଲେ। ଆଜି ଶ୍ରୀଲଙ୍କା ଦେଇଥିବା ୨୧୫ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ବାଂଲାଦେଶ ୧୯.୪ ଓଭରରେ ଓ ୫ ଓ୍ଵିକେଟ୍‌ ବିନିମୟରେ ହାସଲ କରିିଥିଲା। ତା’ ସହ ପୂରା ଦୁଇ ପଏଣ୍ଟ ଅର୍ଜନ କରିଥିଲା। ଟେ୍ଵଣ୍ଟି-୨୦ରେ ପଛୁଆ ବ୍ୟାଟିଂ କରି ଜିତିବାରେ ମଧ୍ୟ ଏହାର ବାଂଲାଦେଶର ସର୍ବବୃହତ୍‌ ବିଜୟ ଥିଲା। ଏହା ପୂର୍ବରୁ ବାଂଲାଦେଶ ତା’ ଟେ୍ଵଣ୍ଟି-୨୦ ଇତିହାସରେ କେବେବି ଏତେବଡ଼ ବିଜୟ ଲକ୍ଷ୍ୟକୁ ଛୁଇଁ ପାରି ନଥିଲା। ଲିଟିଲ ମାଷ୍ଟର ମୁସଫିକର ଶନିବାର ତାଙ୍କ ଖେଳ ଜୀବନର ତୃତୀୟ ଟେ୍ଵଣ୍ଟି-୨୦ ଅର୍ଧଶତକ ହାସଲ କରିଥିଲେ। ଏହା ପୂର୍ବରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ତମିମ ଇକବାଲ (୪୭ ରନ୍‌, ୨୯ ବଲ୍‌, ୬ ଚୌକା, ୧ ଛକା)) ଓ ଲିଟନ ଦାସ (୪୩ ରନ୍‌, ୧୯ ବଲ୍‌, ୨ ଚୌକା, ୫ ଛକା) ପ୍ରଥମ ଓ୍ଵିକେଟ୍‌ରେ ଧୂଆଁଧାର ବ୍ୟାଟିଂ କରି ମାତ୍ର ୫.୫ ଓଭରରୁ ୭୪ ରନ୍‌ ଯୋଡ଼ିଥିଲେ। ଏହା ପରେ ମୁସଫିକର ସାହସିକ ବ୍ୟାଟିଂ କରି ବିଜୟ ମୁଣ୍ଡି ମାରିଥିଲେ। ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଝିପି ଝିପି ବର୍ଷର ପାଇଁ ୧୫ ମିନିଟ୍‌ ବିଳମ୍ବରେ ଟସ୍‌ ପଡ଼ିଥିବା ଏହି ମ୍ୟାଚରେ ବାଂଲାଦେଶ ଟସ୍‌ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଶ୍ରୀଲଙ୍କା କିନ୍ତୁ କୁଶଲ ପେରେରୋ (୭୪ ରନ୍‌, ୪୮ ବଲ୍‌, ୮ ଚୌକା, ୨ ଛକା) ଓ କୁଶଲ ମେଣ୍ଡିସ (୫୭ ରନ୍‌, ୩୦ ବଲ୍‌, ୨ ଚୌକା, ୫ ଛକା)ଙ୍କ ଅର୍ଧଶତକ ସହ ଶେଷ ଆଡ଼କୁ ଉପୁଲ ଥରଙ୍ଗା (୩୨* ରନ୍‌, ୧୫ ବଲ୍‌, ୪ ଚୌକା, ୧ ଛକା)ଙ୍କ ଧୁଆଁଧାର ବ୍ୟାଟିଂ ବଳରେ ନିର୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୨୧୪ ରନ୍‌ର ବଡ଼ ସ୍କୋର କରି ନେଇଥିଲା। ଅଧିନାୟକ ଦୀନେଶ ଚାନ୍ଦିିମାଳ (୨), ଦାସୁନ ସନକା (୦) ଓ ଥିସାରା ପେରେରା (୦) ଏକଅଙ୍କରେ ସୀମିତ ହେବା ଯୋଗୁଁ ଅବଶ୍ୟ ଏକଦା ଅଢ଼େଇ ଶହ ରନ୍‌ ଲକ୍ଷ୍ୟରେ ଥିବା ଶ୍ରୀଲଙ୍କା ଏହାର ଆଖ ପାଖରେ ପହଞ୍ଚି ପାରି ନଥିଲା। ଦନୁଷ୍କା ଗୁଳତିଲକେ ୨୭ ରନ୍‌ କରିଥିଲେ।

ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ୨୦ ଓଭରରେ ୨୧୪/୬ (କୁଶଲ ପେରେରା ୭୪, କୁଶଲ ମେଣ୍ଡିସ ୫୭, ଉପୁଲ ଥରଙ୍ଗା ୩୨*, ମୁସ୍ତାଫିଜୁର ରେହମାନ ୩/୪୮, ମହମ୍ମଦୁଲ୍ଲା ୨/୧୫)। ବାଂଲାଦେଶ ୧୯.୪ ଓଭରରେ ୨୧୫/୫ ( ମୁସଫିକର ରହିମ ୭୨*, ତମିମ ଇକବାଲ ୪୭, ଲିଟନ ଦାସ ୪୩, ସୌମ୍ୟ ସରକାର ୨୪, ମହମ୍ମଦୁଲ୍ଲା ୨୦, ନୁଓ୍ଵାନ ପ୍ରଦୀପ ୨/୩୭,ଥିସାରା ପେରେରା ୧/୩୬)।

ସମ୍ବନ୍ଧିତ ଖବର