ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରୁ ମୁସ୍‌ଫିକର ରହିମଙ୍କ ଅବସର

ଢାକା: ଚଳିତ ଏସିଆ କପ୍‌ ଗ୍ରୁପ୍‌ ପର୍ଯ୍ୟାୟରୁ ବାଂଲାଦେଶ ଦଳ ବିଦା ହୋଇଯିବା ପରେ ଏହାର ୱିକେଟ୍‌ରକ୍ଷକ ମୁସ୍‌ଫିକର ରହିମ୍‌ ରବିବାର ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରୁ ଅବସର ଘୋଷଣା କରିଛନ୍ତି। ବିଶେଷକରି ଦିନିକିଆ ଆନ୍ତର୍ଜାତିକ ଏବଂ ଟେଷ୍ଟ୍‌ କ୍ରିକେଟ୍‌ ଉପରେ ଧ୍ୟାନକେନ୍ଦ୍ରୀତ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ମୁସ୍‌ଫିକର ନିଜ ଟ୍ବିଟରରେ ଲେଖିଛନ୍ତି। ତେବେ ସୁଯୋଗ ମିଳିଲେ ଫ୍ରାଞ୍ଚାଇଜ୍‌ ଭିତ୍ତିକ କ୍ରିକେଟ୍‌ ଖେଳିବାର ଇଛା ଜାହିର କରିଛନ୍ତି ଏହି ୩୫ ବର୍ଷ ବୟସ୍କ ପୂର୍ବତନ ବାଂଲାଦେଶ ଅଧିନାୟକ। ଚଳିତ ଏସିଆ କପ୍‌‌ରେ ବାଂଲାଦେଶ ଦଳ ଗୋଟିଏ ବି ବିଜୟ ହାସଲ କରିପାରିନଥିଲା। ଆଫ୍‌ଗାନିସ୍ତାନ ଏବଂ ଶ୍ରୀଲଙ୍କା ନିକଟରୁ ହାରି ବିଦାୟ ନେଇଥିଲା। ମୁସ୍‌ଫିକର ମଧ୍ୟ ଦୁଇଟି ମ୍ୟାଚ୍‌ରୁ ମାତ୍ର ୫ ରନ୍‌ କରିବାକୁ ସମର୍ଥ ହୋଇଥିଲେ। ଏହି ଫର୍ମାଟ୍‌ରେ ସେ ଖେଳିଥିବା ଶେଷ ୧୦ ମ୍ୟାଚ୍‌ରୁ କେବଳ ୩ ଥର ଦୁଇ ଅଙ୍କ ସ୍କୋର୍‌ ଛୁଇଁଥିଲେ। ବାଂଲାଦେଶ ପକ୍ଷରୁ ମୋଟ ୧୦୨ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲା ବେଳେ ୧୧୫.୦୩ ଷ୍ଟ୍ରାଇକ୍‌ ରେଟ୍‌ରେ ମୋଟ ୧୫୦୦ ରନ୍‌ ସଂଗ୍ରହ କରିଛନ୍ତି।

ସମ୍ବନ୍ଧିତ ଖବର