ମୁସ୍ତାକ ଅଲ୍ଲୀ ଟି-୨୦ ଜାନୁଆରି ୧୦ରୁ, ରାଜ୍ୟଙ୍କୁ ଜଣାଇଲା ବିସିସିଆଇ

ଗ୍ରୁପ୍‌ ପର୍ଯ୍ୟାୟ ପରେ ଅନ୍ୟ ପ୍ରତିଯୋଗିତା ନେଇ ନିଷ୍ପତ୍ତି

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ବହୁ ବିଳମ୍ବିତ ଘରୋଇ ଋତୁକୁ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ସୟଦ୍‌ ମୁସ୍ତାକ୍‌ ଅଲ୍ଲୀ ଟି-୨୦ରୁ ଆରମ୍ଭ କରିବାକୁ ସ୍ଥିର କରିଛି। ଏହି ପ୍ରତିଯୋଗିତା ଆଗାମୀ ବର୍ଷ ଜାନୁଆରି ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଜୈବ ବଳୟ ସୁବିଧା ଉପଲବ୍‌ଧ ଥିବା ୬ ଭିନ୍ନ ଭିନ୍ନ ରାଜ୍ୟରେ ଏହି ପ୍ରତିଯୋଗିତା ହେବ ବୋଲି ରାଜ୍ୟ ସଂଘମାନଙ୍କୁ ବିସିସିଆଇ ଜଣାଇଦେଇଛି। ଏଥିରେ ଅଂଶଗ୍ରହଣ କରିବାକୁ ଥିବା ଦଳଗୁଡ଼ିକ ଜାନୁଆରି ୨ ତାରିଖରେ ନିଜ ନିଜର ସଂଘକୁ ରିପୋର୍ଟ କରିବାକୁ ମଧ୍ୟ କୁହାଯାଇଛି। ଏନେଇ ବିସିସିଆଇ ସଂପାଦକ ଜୟ ଶାହା ରାଜ୍ୟ ଶାଖାଗୁଡ଼ିକୁ ଇ-ମେଲ୍‌ ଜରିଆରେ ଅବଗତ କରାଇଥିଲା ବେଳେ ରଣଜୀ ଟ୍ରଫି କେବେଠୁ ଆରମ୍ଭ ହେବ ସେନେଇ କୌଣସି ସ୍ପଷ୍ଟ ଚିତ୍ର ଦେଇନାହାନ୍ତି। ଆସନ୍ତାବର୍ଷର ଆଇପିଏଲ୍‌ ପୂର୍ବରୁ ଫେବ୍ରୁଆରିରେ ଖେଳାଳି ମହାନିଲାମ ଯୋଜନା ରଖାଯାଇଥିବାରୁ ବିସିସିଆଇ ମୁଖ୍ୟତଃ ଟି-୨୦ (ସୟଦ୍‌ ମୁସ୍ତାକ ଅଲ୍ଲୀ) ପ୍ରତିଯୋଗିତା ଆଗୁଆ ଆୟୋଜନ କରିବାକୁ ପସନ୍ଦ କରିଛି।

‘‘ତୁମମାନଙ୍କ ପ୍ରସ୍ତାବକୁ ପାଥେୟ କରି ଏବଂ ସଂଗୃହୀତ ଫିଡ୍‌ବ୍ୟାକ୍‌କୁ ନେଇ ମୁଁ ଖୁବ୍‌ ସନ୍ତୁଷ୍ଟ। ସେହି ଦୃଷ୍ଟିରୁ ବିସିସିଆଇ ୨୦୨୦-୨୧ ଘରୋଇ ଋତୁ ପାଇଁ ନେଇଥିବା ନିଷ୍ପତ୍ତିକୁ ଅବଗତ କରାଉଛି’’ ବୋଲି କହିଛନ୍ତି ଶାହା। ବିସିସିଆଇର ଯୋଜନା ମୁତାବକ ଟି-୨୦ ପ୍ରତିଯୋଗିତା ସୟଦ୍‌ ମୁସ୍ତାକ୍‌ ଅଲ୍ଲୀ ଟ୍ରଫି ସୂଚୀ ପ୍ରସ୍ତୁତ କରାଯାଇଥିବା ନେଇ ରାଜ୍ୟ ସଂଘଙ୍କୁ ଶାହା ଜଣାଇଛନ୍ତି। ଆସନ୍ତାବର୍ଷ ଜାନୁଆରି ୨ ତାରିଖ ସୁଦ୍ଧା ଦଳଗୁଡ଼ିକ ନିଜ ନିଜ ରାଜ୍ୟ ସଂଘରେ ଏକତ୍ରିତ ହେବେ। ଜାନୁଆରି ୧୦ ତାରିଖରୁ ଟି-୨୦ ପ୍ରତିଯୋଗିତା ଆରମ୍ଭ ହେବ ଏବଂ ଫାଇନାଲ୍‌ ମ୍ୟାଚ୍‌ ୩୧ ତାରିଖରେ ଖେଳାଯିବ ବୋଲି ଶାହା କହିଛନ୍ତି। ତେବେ ରଣଜୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫି ନେଇ ନିଷ୍ପତ୍ତି ସୟଦ୍‌ ମୁସ୍ତାକ୍‌ ଅଲ୍ଲୀ ଗ୍ରୁପ୍‌ ପର୍ଯ୍ୟାୟ ଶେଷରେ ନିଆଯିବ ବୋଲି ଶାହା ଆଭାସ ଦେଇଛନ୍ତି। ଏଥିପାଇଁ ମଧ୍ୟ ସଦସ୍ୟ ରାଜ୍ୟମାନଙ୍କଠୁ ଫିଡ୍‌ବ୍ୟାକ୍‌ ଲୋଡ଼ାଯିବ। ସଦସ୍ୟ ରାଜ୍ୟମାନେ ନିଜ ନିଜ ଯୋଜନା ମୁତାବକ ରଣଜୀ ଓ ବିଜୟ ହଜାରେ ଟ୍ରଫି ମ୍ୟାଚ୍‌ ଆୟୋଜନ କରିବାକୁ ଅନୁରୋଧ କରାଯାଇଛି। ଯଦି ସମୟ ଅଭାବ ଯୋଗୁଁ ମାତ୍ର ଗୋଟିଏ ପ୍ରତିଯୋଗିତା ଆୟୋଜନ ହୋଇପାରିବ ତାହାଲେ ବିଜୟ ହଜାରେ ଟ୍ରଫିକୁ ଅଗ୍ରାଧିକାର ଦିଆଯିବ। ଏପରିସ୍ଥଳେ ରଣଜୀ ଟ୍ରଫି ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯିବାର ଆଶଙ୍କାକୁ ଏଡ଼ାଇ ହେବନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର