ନୂଆଦିଲ୍ଲୀ: ହକି ଇଣ୍ଡିଆ ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ମୋ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର କରିଛନ୍ତି। କାର୍ଯ୍ୟକାଳ ଅଧାରୁ ମୋତେ ସଭାପତି (ହକି ଇଣ୍ଡିଆର) ପଦରୁ ହଟାଇ ଦେଇଛନ୍ତି। ଏହାର ଅନ୍ୟତମ କାରଣ ହେଉଛି ମୋ ନାଁ ଓ ଧର୍ମ। ଏହା ମଧ୍ୟ ୨୦୧୧ ମସିହା ଜାତୀୟ କ୍ରୀଡ଼ା ବିକାଶ ସଂହିତାର ଖୋଲା ଉଲ୍ଲଂଘନ। ମଙ୍ଗଳବାର ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ହକି ଇଣ୍ଡିଆର ପୂର୍ବତନ ସଭାପତି ମୁସ୍ତାକ ଅହମ୍ମଦ। ଅହମ୍ମଦଙ୍କୁ ମଙ୍ଗଳବାର କ୍ରୀଡ଼ା ମନ୍ତ୍ରାଳୟ ହକି ଇଣ୍ଡିଆ ସଭାପତି ପଦରୁ ଇସ୍ତଫା ଦେବାକୁ କହିଥିଲା। ଏହି ନିର୍ଦ୍ଦେଶ ପାଇବା ପରେ ଅହମ୍ମଦ ଜାତିଆଣ କାର୍ଡ ଖେଳିଛନ୍ତି। ଏକ ନିର୍ଦ୍ଦିଷ୍ଟ ଓ ସଂଖ୍ୟାଲଘୁ ସଂପ୍ରଦାୟର ହୋଇଥିବାରୁ ତାଙ୍କୁ କାର୍ଯ୍ୟକାଳ ଶେଷ କରିବାର ସୁଯୋଗ ଦିଆଗଲାନି ବୋଲି ସେ ଅଭିଯୋଗ କରିଛନ୍ତି। କ୍ରୀଡ଼ାମନ୍ତ୍ରୀ ଓ କ୍ରୀଡ଼ା ସଚିବଙ୍କୁ ଲେଖିଥିବା ପାଞ୍ଚ ପୃଷ୍ଠା ସମ୍ବଳିତ ପତ୍ରରେ ଅହମ୍ମଦ ଅଭିଯୋଗ କରିଛନ୍ତି ଯେ କ୍ରୀଡ଼ା ମନ୍ତ୍ରାଳୟର ଏହି ଅଚାନକ ଓ ଏକତରଫା ପଦକ୍ଷେପ ଆକ୍ରୋଶମୂଳକ ଭାବେ ନିଆଯାଇଛି। ଏହା କେବଳ ମୋ ନାଁ ଓ ଧର୍ମ ପାଇଁ କରାଯାଇଛି। ଏହିକ୍ରମରେ ସେ ବିଭିନ୍ନ ଜାତୀୟ କ୍ରୀଡ଼ା ସଂସ୍ଥାରେ ଥିବା ସଭାପତିଙ୍କ ନାଁ ଖୋଲାଖୋଲି ଭାବେ ନେଇଛନ୍ତି।
ସୁଧାଂଶୁ ମିତ୍ତଲ (ଖୋଖୋ ସଂଘ), ରାଜୀବ ମେହଟ୍ଟା (ଅସି ଚାଳନା) ଓ ଆନନ୍ଦେଶ୍ବର ପାଣ୍ଡେ (ହ୍ୟାଣ୍ଡବଲ୍)ଙ୍କ ଭଳି ସଭାପତି ନିୟମିତ କ୍ରୀଡ଼ା ସଂହିତାର ଉଲ୍ଲଂଘନ କରୁଥିଲା ବେଳେ ସେମାନଙ୍କୁ କାହିଁକି ହଟାଯାଉନାହିଁ ବୋଲି ଅହମ୍ମଦ ପ୍ରଶ୍ନ କରିଛନ୍ତି। ନିଜ ପତ୍ରରେ ଅହମ୍ମଦ ଆହୁରି ଲେଖିଛନ୍ତି ଯେ ମୁଁ ଆଉ ଥରେ କହୁଛି ଯେ ମୋ ନାଁ ମୁସ୍ତାକ ଅହମ୍ମଦ ହୋଇଥିବାରୁ ଆପଣଙ୍କ ମନ୍ତ୍ରାଳୟ ଉଦ୍ଦେଶ୍ୟମୂଳକ ଭାବେ ମୋ ବିରୋଧରେ ଏଭଳି ପଦକ୍ଷେପ ନେଇଛି। ମନ୍ତ୍ରାଳୟରୁ ମନ ମୁତାବକ ଉତ୍ତର ନ ମିଳିଲେ କିମ୍ବା ପଦକ୍ଷେପ ନିଆନଗଲେ ମୋତେ ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବିଭିନ୍ନ ସାମ୍ବିଧାନିକ ପଦର ଦ୍ବାରସ୍ଥ ହେବାକୁ ଅନୁମତି ମିଳୁ। ସୂଚନାଯୋଗ୍ୟ ଯେ ୨୦୧୮ ମସିହା ଅକ୍ଟୋବର ମାସରେ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହୋଇଥିବା ଅହମ୍ମଦ ଲଗାତାର ତୃତୀୟ ଥର ପାଇଁ ନିଜ କାର୍ଯ୍ୟକାଳ ପୂରଣ କରିବାକୁ ଯାଉଥିଲେ। ତେବେ ନିୟମ ଅନୁସାରେ ଲଗାତାର ଦୁଇଟି କାର୍ଯ୍ୟକାଳ ପରେ କୁଲିଂ ଅଫ୍ ପିରିୟଡ୍ରେ ଯାଇନଥିବାରୁ ତାଙ୍କୁ ସଭାପତି ପଦରୁ ତୁରନ୍ତ ହଟାଇବାକୁ କ୍ରୀଡ଼ା ମନ୍ତ୍ରାଳୟ ହକି ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଥିଲା। ଅହମ୍ମଦ ଏହା ପୂର୍ବରୁ ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ହକି ଇଣ୍ଡିଆର କୋଷାଧ୍ୟକ୍ଷ ଓ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ମହାସଚିବ ଥିଲେ। ଏହା ପରେ ୨୦୧୮ରୁ ୨୦୨୨ ମସିହା ପାଇଁ ସଭାପତି ନିର୍ବାଚିତ ହୋଇଥିଲେ। ଯାହା ନୂଆ କ୍ରୀଡ଼ା ସଂହିତା ଅନୁସାରେ ସଂପୂର୍ଣ୍ଣ ବେଆଇନ। ଏହା ପୂର୍ବରୁ ଅହମ୍ମଦ ମଧ୍ୟ ଭାରତୀୟ ଅଲିମ୍ପିକ୍ସ ସଂଘର ସହଯୋଗୀ ଯୁଗ୍ମ ସଚିବ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/mushtaq.jpg)