ଟୋକିଓରେ ଇଦ୍‌ ପାଳିଲେ ମୁସଲମାନ ଅଲିମ୍ପିଆନ୍‌

ଟୋକିଓ : ଅଲିମ୍ପିକ୍ସ ୨୩ ତାରିଖରେ ଆରମ୍ଭ ହୋଇଥିଲା ବେଳେ ଏହା ପୂର୍ବରୁ ଖେଳାଳିମାନେ ଟୋକିଓରେ ପହଞ୍ଚିଛନ୍ତି। କରୋନା ମହାମାରୀ କଟକଣା ଯୋଗୁଁ ଖେଳାଳିମାନେ ମଧ୍ୟ ନିଜ ପରିବାର ସଦସ୍ୟଙ୍କୁ ସାଥୀରେ ଆଣିପାରିନାହାନ୍ତି। ଏହି ଅଲିମ୍ପିକ୍ସ ସମୟରେ ପଡ଼ିଛି ମୁସଲମାନଙ୍କ ପର୍ବ ଇଦ୍‌ ଅଲ୍‌-ଅଧା। ଏହି ପର୍ବକୁ ମୁସଲମାନମାନେ ନିଜ ପରିବାର ସଦସ୍ୟ ଏବଂ ବନ୍ଧୁବାନ୍ଧବଙ୍କ ସହ ଧୁମ୍‌ଧାମରେ ପାଳନ କରିଥା’ନ୍ତି। ହେଲେ ଟୋକିଓରେ ଥିବାରୁ ପରିବାର ଏବଂ ବନ୍ଧୁବାନ୍ଧବଙ୍କ ସହ ପାଳନ କରିବାରୁ ବଞ୍ଚିତ ହୋଇଛନ୍ତି। ବୁଧବାର ପଡ଼ିଥିବା ଏହି ପର୍ବକୁ ଟୋକିଓରେ ଥିବା ମୁସଲମାନ ସଂପ୍ରଦାୟର ଖେଳାଳି, ପ୍ରଶିକ୍ଷକ ଏବଂ ଅଧିକାରୀମାନେ ଏକାଠି ହୋଇ ପାଳନ କରିଛନ୍ତି। ସମସ୍ତେ ମାସ୍କ ପିନ୍ଧି ସମୂହ ପ୍ରାର୍ଥନା କରିଥିଲେ। ସମୂହ ପ୍ରାର୍ଥନା ବେଳର ଫଟୋକୁ ଜୋର୍ଡାନ ଅଲିମ୍ପିକ୍‌ ସମିତି ‌ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛି। କ୍ରୀଡ଼ା ଗ୍ରାମରେ ଇଦ୍‌ ଉପ‌ଲକ୍ଷେ ମୁସ୍‌ଲିମ୍‌ ଦେଶଗୁଡ଼ିକ ଏହି ସମୂହ ପ୍ରାର୍ଥନାର ଆୟୋଜନ କରିଥିଲେ ବୋଲି ‌ଶିରୋନାମା ରଖିଥିଲା।

ମାସ୍କ ପିନ୍ଧିଲେନି କିର୍ଗିଜସ୍ତାନ, ତାଜିକସ୍ତାନ ଖେଳାଳି
ଉଦ୍‌ଘାଟନୀ ଉତ୍ସବ ପରେଡ୍‌ରେ କିର୍ଗିଜସ୍ତାନ ଓ ତାଜିକସ୍ତାନ ଖେଳାଳିମାନେ ମାସ୍କ ପିନ୍ଧି ନଥିବାର ନଜରକୁ ଆସିଥିଲା। କିର୍ଗିଜସ୍ତାନର ଦୁଇ ପତାକାଧାରୀ ସୁଟର କାନ୍ୟାକେଇ କୁବାନି‌ଚବେକୋଭା ଓ ସ୍ବିମର ଡେନିସ ପେଟ୍ରାସୋଭାଙ୍କ ସହ ପ୍ରାୟ ୧୫ ଜଣ ପ୍ରତିଯୋଗୀଙ୍କ ମୁହଁରେ ମାସ୍କ ନଥିଲା। ଏହି ଦଳର କେବଳ ଜଣେ ହିଁ ମାସ୍କ ପିନ୍ଧିଥିଲେ। ସେହିପରି ତାଜିକିସ୍ତାନର କିଛି ଖେଳାଳି ପରେଡ୍‌ ବେଳେ ମାସ୍କ ମଧ୍ୟ ପିନ୍ଧି ନଥିଲେ। ପାକିସ୍ତାନର ଦୁଇ ପତାକାଧାରୀ ମଧ୍ୟ ମୁହଁରେ ମାସ୍କ ପିନ୍ଧିବାକୁ ପସନ୍ଦ କରିନଥିଲେ। ‌ମହାମାରୀ କରୋନା ଭୟ ଭିତରେ ଗୋଟିଏ ବର୍ଷର ସ୍ଥଗିତା‌ଦେଶ ପରେ ଆରମ୍ଭ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ଦୁଇ ପଡ଼ୋଶୀ ରାଷ୍ଟ୍ର କିର୍ଗିଜସ୍ତାନ ଓ ତାଜିକସ୍ତାନର ଏଭଳି ଆଚରଣକୁ ସାମାଜିକ ଗଣମାଧ୍ୟମରେ ଅନେକ କ୍ରୀଡ଼ାବିତ ସମାଲୋଚନା କରିଛନ୍ତି।

୧୯୭୨‌ ମ୍ୟୁନିକ କ୍ରୀଡ଼ା ନିହତଙ୍କୁ ଶ୍ରଦ୍ଧାଞ୍ଜଳି
୧୯୭୨ ମ୍ୟୁନିକ କ୍ରୀଡ଼ା ବେଳେ ଇସ୍ରାଇଲ ଅଲିମ୍ପିକ୍ସ ଦଳର କିଛି ସଦସ୍ୟ ପାଲେନ୍‌ଷ୍ଟାଇନ୍‌ ବନ୍ଧୁକଧାରୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ଏହି ଅଭାବନୀୟ ଘଟଣାର ସ୍ମୃତି ଚାରଣରେ ଶୁକ୍ରବାର ଟୋକିଓ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ କିଛି ସମୟ ନୀରବ ହୋଇଯାଇଥିଲା। ୪୯ ବର୍ଷ ପରେ ପ୍ରଥମ ଥର ଲାଗି ଅଲିମ୍ପିକ୍ସରେ ୧୧ ନିହତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସେମାନଙ୍କ ପାଇଁ ଗୋଟିଏ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପ୍ରାୟ ଗୋଟିଏ ଦଶନ୍ଧୀ ଧରି ଏହି ୧୧ ପରିବାରର ସଦସ୍ୟମାନେ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବରେ ଶ୍ରଦ୍ଧାଞ୍ଜଳି ଦେବାକୁ ଦାବି କରି ଆସୁଥିଲେ। ‌ଶେଷରେ ଟୋକିଓରେ ସେମାନଙ୍କ ଦାବି ପୂରଣ ହୋଇଛି। ସୂଚନାଯୋଗ୍ୟ. ୧୯୭୨ ସେପ୍ଟେମ୍ବର ୫ ତାରିଖରେ ପାଲେଷ୍ଟାଇନ୍‌ର ବନ୍ଧୁକଧାରୀଙ୍କ ଗୁଳିରେ ୨୪ ଘଣ୍ଟା ମଧ୍ୟରେ ୧୧ ଇସ୍ରାଇଲ୍‌, ୫ ପାଲେଷ୍ଟାଇନ୍‌ ଏବଂ ଜଣେ ଜର୍ମାନି ପୁଲିସ କର୍ମଚାରୀଙ୍କ ଦେହାନ୍ତ ହୋଇଥିଲା।

ସମ୍ବନ୍ଧିତ ଖବର