ଗୁଆହାଟୀ: ଶେଷ ୪ ୱିକେଟ୍ରେ ଅବିଶ୍ବସନୀୟ ଭାବେ ୨୪୩ ରନ୍ ଯୋଡ଼ିବା ସହ ଗୁଆହାଟୀ ଟେଷ୍ଟ୍ରେ ଦକ୍ଷିଣ ଆଫ୍ରିକା ଅତ୍ୟନ୍ତ ଦୃଢ଼ ସ୍ଥିତିରେ ପହଞ୍ଚିଯାଇଛି। ପ୍ରଥମ ଦିନରେ ୬ ୱିକେଟ୍ ହରାଇ ସମ୍ମାନ ବାଣ୍ଟିବାକୁ ବାଧ୍ୟ ହୋଇଥିବା ଭ୍ରମଣକାରୀ ଦଳ ଦ୍ବିତୀୟ ଦିନର ସବୁ ଶ୍ରେୟ ହାତେଇ ନେବା ପରେ ଘରୋଇ ଭାରତ ଉପରେ ଚାପର ପାହାଡ଼ ସୃଷ୍ଟି ହୋଇଛି। ସ୍ପିନର୍ ସେନୁରନ୍ ମୁଥୁସାମି (୧୦୯) ଓ ନବମ ସ୍ଥାନରେ ବ୍ୟାଟିଂ ଆସିଥିବା ମାର୍କୋ ୟାନସେନ୍ (୯୩) ଘରୋଇ ବୋଲରଙ୍କ ସବୁ ଚାଲ୍କୁ ବିଫଳ କରି ଦେଢ଼ ଅଧିବେଶନ ପର୍ଯ୍ୟନ୍ତ ସେମାନଙ୍କୁ ନୟାନ୍ତ କରିବା ଦ୍ବିତୀୟ ଦିନର ମୁଖ୍ୟାଂଶ ହୋଇଛି। ମୁଥୁସାମିଙ୍କ ପ୍ରଥମ ଶତକ ଏବଂ ୟାନସେନ୍ଙ୍କ କ୍ୟାରିୟର୍ ଶ୍ରେଷ୍ଠ ୯୩ ରନ୍ ବଳରେ ଦକ୍ଷିଣ ଆଫ୍ରିକା ୨୪୭/୬ରୁ ଖେଳ ଆରମ୍ଭ କରି ୪୮୯ ରନ୍ର ବଡ଼ ସ୍କୋର୍ କରି ନେଇଛି। ଜବାବରେ ଭାରତ ରବିବାର ଷ୍ଟମ୍ପ୍ସ ବେଳକୁ ବିନା କ୍ଷତିରେ ମାତ୍ର ୯ ରନ୍ କରିଛି। ଯଶସ୍ବୀ ଜୟସ୍ବାଲ ୭ ଏବଂ କେଏଲ୍ ରାହୁଲ ୨ ରନ୍ କରି ଅପରାଜିତ ରହିଛନ୍ତି। ପ୍ରଥମ ପାଳିରେ ଏତେ ରନ୍ କରି କୌଣସି ବିଦେଶୀ ଦଳ ଭାରତରେ ଟେଷ୍ଟ୍ ହାରି ନଥିବାରୁ ଭାରତ ଏବେ ହରଡ଼ଘଣାରେ ପଡ଼ିଛି। ଦକ୍ଷିଣ ଆଫ୍ରିକା ଯଦି ଏହି ପୂର୍ବ ଧାରାକୁ ବଜାୟ ରଖିବାକୁ ସକ୍ଷମ ହୁଏ, ତେବେ ଗତ ୧୨ ମାସ ଭିତରେ ଘରୋଇ ପରିବେଶରେ ଭାରତ ଦ୍ବିତୀୟ ଶୃଙ୍ଖଳା ହାରିବ। ୧୨ ବର୍ଷ ଧରି ଘରେ କୌଣସି ଶୃଙ୍ଖଳା ହାରି ନଥିବା ଭାରତକୁ ଗତବର୍ଷ ନ୍ୟୁଜିଲାଣ୍ଡ ୦-୩ରେ ହରାଇଥିଲା। ଚଳିତ ୨ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ଇଡେନ୍ ଗାର୍ଡେନ୍ସରେ ପ୍ରଥମ ଟେଷ୍ଟ୍କୁ ଜିତି ୧-୦ରେ ଆଗୁଆ ଥିବାରୁ ଭାରତ ମୁଣ୍ଡରେ ଆଉ ଏକ ଶୃଙ୍ଖଳା ପରାଜୟର ଖଣ୍ଡା ଝୁଲୁଛି। ଦକ୍ଷିଣ ଆଫ୍ରିକାକୁ ବଡ଼ ସ୍କୋର୍ କରିବାର ସୁଯୋଗ ଦେବା ପରେ ଗୁଆହାଟୀ ଟେଷ୍ଟ୍କୁ ବଞ୍ଚାଇବା ବି ଭାରତ ପାଇଁ କାଠିକର ପାଠ ହେବାକୁ ଯାଉଛି।
ପ୍ରଥମ ଦିନରେ ୬ ୱିକେଟ୍ ଝାଡ଼ି ସାରିଥିବାରୁ ରବିବାର ଦକ୍ଷିଣ ଆଫ୍ରିକାର ଶେଷ ୪ ୱିକେଟ୍ ଭାରତ ପ୍ରଥମ ଘଣ୍ଟାକ ଭିତରେ କରାୟତ୍ତ କରିନେବ ବୋଲି ଆଶା କରାଯାଉଥିଲା। ହେଲେ ଇଡେନ୍ରେ ଖେଳି ନଥିବା ମୁଥୁସାମି ଗୁଆହାଟୀରେ ତାଙ୍କୁ ମିଳିଥିବା ସୁଯୋଗର ଭରପୂର ଫାଇଦା ଉଠାଇ ୧୯୨ ବଲ୍ରୁ ୯ ଚୌକା, ୨ ଛକା ବଳରେ ଜୀବନର ପ୍ରଥମ ଶତକ ଅର୍ଜନ କରି ନେଇଥିଲେ। ତା’ ସହିତ ଭାରତର ସବୁ ଯୋଜନାକୁ ଛାରଖାର କରି ଦେଇଥିଲେ। ରକ୍ଷଣାତ୍ମକ କ୍ରିକେଟ୍ର ଶ୍ରେଷ୍ଠ ପରିଚୟ ଦେଇଥିବା ମୁଥୁସାମିଙ୍କ ଶତକ ମଧ୍ୟ ପ୍ରଥମ ଥର ଟେଷ୍ଟ୍ ଆୟୋଜନ କରୁଥିବା ଗୁଆହାଟୀର ବର୍ଷାପାରା ଷ୍ଟାଡିୟମ୍ର ପ୍ରଥମ ଶତକ ଥିଲା। ସେପଟେ ୟାନ୍ସେନ୍ ଦ୍ରୁତ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକାର ରନ୍ ଗତିକୁ କମିବାକୁ ଦେଇ ନଥିଲେ।
ରବିବାର ସକାଳେ ସାମାନ୍ୟ ଚିନ୍ତାରେ ଥିବା ଦକ୍ଷିଣ ଆଫ୍ରିକାକୁ ମୁଥୁସାମି ଓ କାଇଲ୍ ଭେରିନେ ସପ୍ତମ ୱିକେଟ୍ରେ ୮୮ ରନ୍ର ଭାଗୀଦାର ଗଢ଼ି ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ। ଏପରିକି ରବିବାର ସକାଳର ୪୦ ଓଭର ପର୍ଯ୍ୟନ୍ତ ଭାରତୀୟ ବୋଲର ଗୋଟିଏ ବି ୱିକେଟ୍ ନେବା ସୁଯୋଗ ସୃଷ୍ଟି କରିପାରି ନଥିଲେ। ଭେରିନେ ଲଢ଼ୁଆ ଅର୍ଦ୍ଧଶତକ ଅଭିମୁଖେ ଗତି କରୁଥିବା ବେଳେ ରବୀନ୍ଦ୍ର ଜାଡ଼େଜା ତାଙ୍କୁ ଋଷଭ ପନ୍ତଙ୍କ ହାତରେ କ୍ୟାଚ୍ କରାଇ ଦିନର ପ୍ରଥମ ୱିକେଟ୍ ନେଇଥିଲେ। ଏହା ପରେ ମୁଥୁସାମି ଓ ୟାନ୍ସେନ୍ ନିଜ ନିଜ ଜୀବନର ଶ୍ରେଷ୍ଠ ପାଳି ଖେଳି ଭାରତର କାମଚଳା ଅଧିନାୟକ ପନ୍ତଙ୍କ ବାରମ୍ବାର ବୋଲିଂ ପରିବର୍ତ୍ତନକୁ ପ୍ରଭାବହୀନ କରି ଦେଇଥିଲେ। ୟାନ୍ସେନ୍ ଓ ମୁଥୁସାମି ଅଷ୍ଟମ ୱିକେଟ୍ରେ ମାତ୍ର ୧୭.୪ ଓଭରରୁ ୯୭ ରନ୍ର ପାଳି ଗଢ଼ି ଦକ୍ଷିଣ ଆଫ୍ରିକା ସ୍କୋର୍କୁ ୪୦୦ ରନ୍ ପାର କରାଇ ଦେଇଥିଲେ। ଶେଷରେ ୧୦୯ ରନ୍ରେ ଥିଲା ବେଳେ ମୁଥୁସାମିଙ୍କ ପ୍ରତୀକ୍ଷିତ ୱିକେଟ୍ ନେଇ ମହମ୍ମଦ ସିରାଜ ଏହି ଯୋଡ଼ିକୁ ଅଲଗା କରିଥିଲେ। ହାର୍ମରଙ୍କୁ ବୁମ୍ରା କ୍ଲିନ୍ ବୋଲ୍ଡ କରିବା ପରେ ୟାନ୍ସେନ୍ ନର୍ଭସ୍ ନାଇଣ୍ଟିର ଶିକାର ହୋଇ କୁଲଦୀପଙ୍କ ଶିକାର ହୋଇଥିଲେ। ଭାରତୀୟ ବୋଲରଙ୍କୁ ଦକ୍ଷିଣ ଆଫ୍ରିକାର ଶେଷ ୪ ୱିକେଟ୍ ନେବା ଲାଗି ୬୯.୨ ଓଭର ବୋଲିଂ କରିବାକୁ ପଡ଼ିଥିଲା।
ସଂକ୍ଷିପ୍ତ ସ୍କୋର: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୧୫୧.୧ ଓଭରରେ ୪୮୯/୧୦ (ସେନୁରନ୍ ମୁଥୁସାମି-୧୦୯, ମାର୍କୋ ୟାନ୍ସେନ୍-୯୩, ତ୍ରିଷ୍ଟନ୍ ଷ୍ଟବ୍ସ-୪୯, କାଏଲ୍ ଭେରିନ୍-୪୫, କୁଲଦୀପ ଯାଦବ-୪/୧୧୫, ଯଶପ୍ରୀତ୍ ବୁମ୍ରା-୧/୭୫, ରବୀନ୍ଦ୍ର ଜାଡ଼େଜା-୨/୯୪, ମହମ୍ମଦ ସିରାଜ-୨/୧୦୬)।
ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକୀୟ
ସେନୁରାନ୍ ମୁଥୁସାମିଙ୍କ ଶତକ ଏବେ ଖୁବ୍ ଚର୍ଚ୍ଚାରେ। ତାଙ୍କ ପୂର୍ବ ପୁରୁଷ ତଥା ସମ୍ପର୍କୀୟ ଏବେ ବି ତାମିଲ୍ନାଡୁର ନାଗପଟିନମ୍ରେ ରହୁଛନ୍ତି। ମୁଥୁସାମି କିନ୍ତୁ ନିଜକୁ ଜଣେ ‘ଦୃଢ଼ ଦକ୍ଷିଣ ଆଫ୍ରିକୀୟ’ ବିବେଚନା କରନ୍ତି। ମାତ୍ର ୧୧ ବର୍ଷ ବୟସରେ ପିତାଙ୍କୁ ହରାଇଥିବା ମୁଥୁସାମି ଦ୍ବିତୀୟ ଥର ପାଇଁ ଭାରତ ଆସିଛନ୍ତି। ୨୦୧୯ରେ ସେ ଭାରତ ଗସ୍ତ କରି ବିରାଟ କୋହଲିଙ୍କୁ ପ୍ରଥମ ଟେଷ୍ଟ୍ ଶିକାର କରିଥିଲେ। ଜଣେ ବ୍ୟାଟିଂ ଅଲ୍ରାଉଣ୍ଡର୍ ଭାବେ ଖେଳିଥିବା ମୁଥୁସାମି ରବିବାର ଶତକ ସ୍ବପ୍ନ ପୂରଣ କରିବାରୁ ତାଙ୍କ ପିତାଙ୍କ ସ୍ବପ୍ନ ବି ପୂରଣ ହୋଇଛି। ଡର୍ବାନ୍ରେ ରହୁଥିବା ଏହି ଭାରତୀୟ ବଂଶୋଦ୍ଭବ ସେଠାରେ ସ୍କୁଲ୍ କ୍ରିକେଟ୍ଠାରୁ ଆରମ୍ଭ କରି ଜାତୀୟ ଦଳକୁ ଆସିଛନ୍ତି। ଦକ୍ଷିଣ ଆଫ୍ରିକା ଦଳରେ ମଧ୍ୟ ସେ କେଶବ ମହାରାଜଙ୍କ ପରେ ଦ୍ବିତୀୟ ଭାରତୀୟ ବଂଶୋଦ୍ଭବ ଖେଳାଳି। ନିଜକୁ ସଚ୍ଚା ଦକ୍ଷିଣ ଆଫ୍ରିକୀୟ ମାନୁଥିବା ମୁଥୁସାମି କିନ୍ତୁ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ବଡ଼ ବିଶ୍ବାସୀ। ଯୋଗ ଅଭ୍ୟାସ ସହିତ ସେ ନିୟମିତ ମନ୍ଦିର ପରିଦର୍ଶନ କରିଥାନ୍ତି। ପିଲାଦିନେ ତାଙ୍କୁ ଜେଜେ ମା’ ହିଁ ଥ୍ରୋ ଡାଉନ୍ କରି କ୍ରିକେଟ୍ ବିକାଶରେ ଯୋଡ଼ିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/24/muyhuswayami-2025-11-24-01-33-42.jpg)