ମୁଁ ରୋବର୍ଟ ନୁହେଁ, ମୋର ଚର୍ମ କାଟିଲେ ରକ୍ତ ବାହାରିବ: ବିରାଟ କୋହଲି

କୋଲକାତା ଟେଷ୍ଟ ପୂର୍ବରୁ ଟିମ୍‌ ଇଣ୍ଡିଆର ଅଧିନାୟକ କହିଲେ ଖେଳାଳିଙ୍କୁ ବିଶ୍ରାମ ଦରକାର

କୋଲକାତା: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନିୟମିତ ଭାବରେ ଖେଳିବା ପରେ ବିଶ୍ରାମ ନେବାକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଶ୍ରୀଲଙ୍କା ବିରୋଧରେ ନଭେମ୍ବର ୧୬ରୁ ଆରମ୍ଭ ହେବାକୁ ଥିବା କୋଲକାତା ଟେଷ୍ଟ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଛନ୍ତି, ପ୍ରତ୍ୟେକ କ୍ରିକେଟର ବର୍ଷକୁ ୪୦ଟି ମ୍ୟାଚ ଖେଳିଥାଆନ୍ତି। ସେଥିପାଇଁ ସେମାନଙ୍କ ପାଖରେ ବୋଝ ଥାଏ। ସେମାନଙ୍କୁ ବିଶ୍ରାମ ମିଳିବା ଦରକାର।

ବିରାଟ କହିଛନ୍ତି, ୩ଟି ଫର୍ମାଟରେ ଖେଳୁଥିବା କ୍ରିକେଟରଙ୍କୁ ବିଶ୍ରାମ ଦିଆଯିବା ଦରକାର। ମୋର ମଧ୍ୟ ବିଶ୍ରାମ ଦରକାର ଅଛି। କ’ଣ ମତେ ବିଶ୍ରାମ ଦରକାର ନାହିଁ କି? ଯେତେବେଳେ ମୋର ଶରୀରକୁ ବିଶ୍ରାମ ଦରକାର ଅଛି, ତେବେ ଯାଇ ମୁଁ ଏହା କହୁଛି। ମୁଁ ରୋବର୍ଟ ନୁହେଁ, ଆପଣ ମୋର ଚର୍ମ କାଟି ଦେଖିପାରିବେ, ଏଥିରୁ ରକ୍ତ ବାହାରିବ।

ଭାରତ-ଶ୍ରୀଲଙ୍କା ଟେଷ୍ଟ ଶୃଙ୍ଖଳାର ପ୍ରଥମ ୨ଟି ମ୍ୟାଚରେ ହାର୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯିବା ନେଇ ସାମ୍ବାଦିକମାନଙ୍କ ପଶ୍ନରେ ବିରାଟ କହିଛନ୍ତି, ଏଣିକି ମତେ ବି ବିଶ୍ରାମ ଦରକାର।

୩ୟ ଟେଷ୍ଟ ମ୍ୟାଚ ପରେ ଓ ଏହା ପରେ ହେବାକୁ ଥିବା ଟି-୨୦ ଶୃଙ୍ଖଳା ପରେ କୋହଲିଙ୍କୁ ବିଶ୍ରାମ ଦିଆଯାଇପାରେ। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, କୋହଲି ବିଗତ ଗୋଟିଏ ବର୍ଷରେ ସବୁଠାରୁ ଅଧିକ କ୍ରିକେଟ ଖେଳିଛନ୍ତି। ସେଥିପାଇଁ ତାଙ୍କୁ ବିଶ୍ରାମ ଦିଆଯିବା ଦରକାର।

ସମ୍ବନ୍ଧିତ ଖବର