ନୂଆଦିଲ୍ଲୀ: କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଆପଣ କେବେ କୌଣସି ତମାଖୁ ବିଜ୍ଞାପନ କରୁଥିବାର ଦେଖିଛନ୍ତି କି? ସଚିନ ଏତେ ସଚେତନ ଯେ ସେ ନିଶାଦ୍ରବ୍ୟ ବିଜ୍ଞାପନରୁ ସେ ନିଜକୁ ଦୂରେଇ ରଖନ୍ତି। ସେ କହିଛନ୍ତି ଯେ ଜୀବନରେ ଲକ୍ଷ୍ୟ ହାସଲ କରିବା ପାଇଁ ଫିଟ୍ ରହିବା ଜରୁରୀ ଏବଂ ନିଜକୁ ଫିଟ୍ ରଖିବା ପାଇଁ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ଆବଶ୍ୟକ।
ସଚିନ କହିଛନ୍ତି ଯେ ତାଙ୍କୁ ଅନେକ ଅଫର ମିଳିଥିଲା ​​କିନ୍ତୁ ସେ ସମସ୍ତଙ୍କୁ ମନା କରିଦେଇଥିଲେ। ମଙ୍ଗଳବାର ମହାରାଷ୍ଟ୍ର ସରକାରଙ୍କ ସ୍ବଚ୍ଛ ମୁଖ ଅଭିଆନ୍ (ଏସ୍ଏମ୍ଏ) ପାଇଁ "ସ୍ମାଇଲ୍ ଆମ୍ବାସାଡର" ଭାବରେ ନିଯୁକ୍ତ ହେବା ପରେ ସେ ଏକ କାର୍ଯ୍ୟକ୍ରମରେ ଏପରି କହିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା।
ସଚିନ ଆହୁରି ବି କହିଛନ୍ତି ଯେ ‘ଯେତେବେଳେ ମୁଁ ଭାରତ ପାଇଁ ଖେଳିବା ଆରମ୍ଭ କରିଥିଲି ମୋତେ ଅନେକ ତମାଖୁ ଦ୍ରବ୍ୟର ବିଜ୍ଞାପନ ମିଳୁଥିଲା। ହେଲେ ମୋ ବାପା ଏପରି ବିଜ୍ଞାପନ ନକରିବାକୁ ମୋତେ ପରାମର୍ଶ ଦେଇଥିଲେ। ସେହି କାରଣରୁ ମୁଁ ଏପରି ବିଜ୍ଞାପନ କେବେ ବି ଗ୍ରହଣ କରିନାହିଁ।’ ଫିଟନେସର ଗୁରୁତ୍ୱ ଉପରେ ସେ ଆହୁରି ବି କହିଛନ୍ତି ଯେ ମୁଖ ସୁସ୍ଥତା ହିଁ ସମଗ୍ର ସ୍ବାସ୍ଥ୍ୟର ସୁସ୍ଥତା।
ପ୍ରାୟ ପଚାଶ ପ୍ରତିଶତ ପିଲାଙ୍କର ପାଟିରେ ରୋଗ ଅଛି। ଏହା ସେମାନଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ। କିନ୍ତୁ ଏହାକୁ ନେଇ କେହି ବ୍ୟସ୍ତ ହୁଅନ୍ତି ନାହିଁ। ଏଭଳି ଘଟଣା ସେମାନଙ୍କ ଆତ୍ମବିଶ୍ୱାସକୁ କ୍ଷତି ପହଞ୍ଚାଇପାରେ ବୋଲି ସଚିନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/Untitled-124.jpg)