ଅଷ୍ଟ୍ରେଲିଆରେ ପ୍ରଥମ ଥର ପାଇଁ ଶୃଙ୍ଖଳା ଜିତି ଇତିହାସ ରଚିଥିବାରୁ ଭାରତୀୟ କ୍ରିକେଟ୍ ଦଳକୁ ଅଶେଷ ଅଶେଷ ଅଭିନନ୍ଦନ। ଜଣେ ଅଷ୍ଟ୍ରେଲୀୟ ହୋଇଥିବାରୁ ମୁଁ ଭଲ ଭାବରେ ଜାଣିଛି, ଏଠାକୁ ଆସି କୌଣସି ଉପମହାଦେଶୀୟ ଦଳ ଶୃଙ୍ଖଳା ଜିତିବା କେତେ କଷ୍ଟକର। ପିଚ୍, ପାଗ ଓ ପରିବେଶଠାରୁ ଆରମ୍ଭ କରି ଖେଳର ମାହୋଲ ପର୍ଯ୍ୟନ୍ତ, ଅଷ୍ଟ୍ରେଲିଆରେ ସବୁକିଛି ଭିନ୍ନ ଓ ଅଲଗା। ୱିକେଟ୍ରେ ଥିବା ଅତିରିକ୍ତ ଗତି ଏବଂ ଉଚ୍ଛାଳ ଉପମହାଦେଶୀୟ ବ୍ୟାଟ୍ସମ୍ୟାନଙ୍କ ଜୀବନକୁ ଦୁର୍ବିଷହ କରି ଦେଇଥାଏ। ହେଲେ ଅଷ୍ଟ୍ରେଲିଆରେ ପାଦ ଦେବା କ୍ଷଣି ବିରାଟ କୋହଲିଙ୍କ ଦଳ ଯେ ଏକ ମିସନରେ ଆସିଛି ତାହା ସ୍ପଷ୍ଟ ହୋଇଯାଇଥିଲା। ଅଧିନାୟକ ଭାବେ କୋହଲି ଅଷ୍ଟ୍ରେଲିଆରେ ଶୃଙ୍ଖଳା ଜିତିବାର ମିସନକୁ ପୂରଣ କରିବାକୁ ବଦ୍ଧପରିକର ଥିଲେ। କୋହଲି ବାହିନୀ ମଧ୍ୟ ବିଜୟର ହକ୍ଦାର ଥିଲା। ସେମାନେ ସବୁ ବିଭାଗରେ ଅଷ୍ଟ୍ରେଲିଆକୁ ମାତ୍ ଦେଲେ। ଅଷ୍ଟ୍ରେଲିଆ ବୋଲିଂ ବାହିନୀ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବୋଲି ମୁଁ ଶୁଣି ଆସୁଛି। ଭାରତ ଶୃଙ୍ଖଳାର ସ୍କୋରବୋର୍ଡ କିନ୍ତୁ ଭିନ୍ନ କଥା କହୁଛି। ଅଷ୍ଟ୍ରେଲିଆ ବୋଲରମାନେ ସଂପୂର୍ଣ୍ଣ ଶୃଙ୍ଖଳାରେ ଚେତେଶ୍ବର ପୂଜାରାଙ୍କୁ ଚକ୍ମା ଦେବାର ବାଟ ଖୋଜି ଖୋଜି ବାହାର କରି ପାରିଲେନି। ତିନିଟି ଶତକ ଶହ ସେ ଭାରତୀୟ ବ୍ୟାଟିଂର ବଡ଼ ପଥର ଭଲି ମନେ ହେଲେ। ପୂଜାରା ଶୃଙ୍ଖଳାରେ ସର୍ବାଧିକ ୫୨୧ ରନ୍ କଲେ। ୭ ପାଳିରେ ତାଙ୍କ ରନ୍ ସଂଗ୍ରହ ହାର ୭୪.୪୨ ଥିଲା। ଯାହାକୁ ଅତି ଭଲର ଆଖ୍ୟା ଦିଅଯାଇପାରେ। ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଗୋଟିଏ ହେଲେ ବି ଶତକ ଅର୍ଜନ କରି ପାରିଲେନି। ଏହା ହିଁ ଅଷ୍ଟ୍ରେଲିଆକୁ ସବୁଠାରୁ ବେଶୀ ବାଧିଲା। ଅନ୍ୟ ପକ୍ଷରେ ଭାରତ ୫ ଶତକ ଅର୍ଜନ କଲା। ପୂଜାରା ତିନିଟି ଶତକ ହାସଲ କରିଥିଲା ବେଳେ କୋହଲି ଓ ପନ୍ତ ଗୋଟିଏ ଲେଖାଏଁ ଶତକ କଲେ। ମୟଙ୍କ ଅଗ୍ରୱାଲ ନିଜ ପ୍ରଥମ ଶୃଙ୍ଖଳାରେ ଦୁଇଟି ଶତକ ହାସଲ କରିବାର ନିକଟତର ହେଲେ। ଅଷ୍ଟ୍ରେଲିଆ ବୋଲରଙ୍କୁ ଖେଳିବାରେ ସେ କୌଣସି ଅସୁବିଧାର ସମ୍ମୁଖୀନ ହେଉଥିଲା ଭଳି ଆଦୌ ପ୍ରତ୍ୟେୟମାନ ହୋଇ ନଥିଲା। ସେପଟେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂ ଅତି ସାଧାରଣ ଥିଲା। ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା ମାର୍କସ ହାରିସଙ୍କ ୭୯ ରନ୍। ଯାହା ଭାରତୀୟ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଦେଜା (୮୧)ଙ୍କ ବ୍ୟକ୍ତିଗତ ସ୍କୋରଠାରୁ ୨ କମ୍। ଏହା ହିଁ ଦୁଇ ଦଳ ମଧ୍ୟରେ ଥିବା ପାର୍ଥକ୍ୟକୁ ସ୍ପଷ୍ଟ କରି ଦେଉଛି। ଭାରତୀୟ ଦ୍ରୁତ ବୋଲିଂ କିନ୍ତୁ ପ୍ରଭବଶାଳୀ ଥିଲା। ଏକ ଗୋଷ୍ଠୀ ଭାବେ ସେମାନେ ଭାରତ ନେଇଥିବା ୭୦ରୁ ୫୦ ୱିକେଟ୍ ଅକ୍ତିଆର କଲେ। ଅଷ୍ଟ୍ରେଲୀୟ ପେସର ମାତ୍ର ୪୦ ୱିକେଟ୍ କରାୟତ କରିଥିଲେ। ଭାରତୀୟ ଖେଳାଳିମାନେ ଭ୍ରମଣକାରୀ ଭାବେ ଆସି ଉଭୟ ଗତି ଏବଂ ଉଚ୍ଛାଳରେ ଆମକୁ ଆଶ୍ଚର୍ଯ୍ୟ ଚକିତ କରିଦେଲେ। ସେମାନେ ଉଭୟ ସୁଇଂ ଏବଂ ରିଭର୍ସ ସୁଇଂ ସହ ନୂଆ ଓ ପୁରୁଣା ବଲ୍ରେ ବୋଲିଂ କରିବାର କଳାରେ ଓସ୍ତାଦ ଥିଲେ। ଅଷ୍ଟ୍ରେଲିଆ ପାଖରେ ଯଶ୍ପ୍ରୀତ ବୁମ୍ରାଙ୍କ ଭଳି ବୋଲର ବି ନଥିଲେ। ପୂଜାରାଙ୍କ ପ୍ରତି ମୋ ମନରେ ଗଭୀର ସମ୍ମାନ ରହିଛି। ଆଶାଜନକ ଭାବେ ସେ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଲେ। ମୋ ପାଇଁ କିନ୍ତୁ ବୁମ୍ରା ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି। ଭାରତୀୟ ସେନାର ସେ ହିଁ ଅସଲ ମହାଯୋଦ୍ଧା। ମୁଁ ସ୍ଥିର ନିଶ୍ଚିତ ଯେ ଆଗକୁ ବୁମ୍ରା ବିଶ୍ବର ଅନେକ ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କରିବେ। ତାଙ୍କ ରୂପରେ ଆମେ ଜଣେ ସ୍ବତନ୍ତ୍ର ବୋଲରଙ୍କୁ ଦେଖୁଛେ, ଏଥିନେଇ ମୋ ମନରେ ତିଳେମାତ୍ର ସନ୍ଦେହ ନାହିଁ। (୩୬୦ କର୍ପୋରେଟ୍ ରିଲେସନ୍ସ)