ମିଆଁମାର-ନେପାଳ ଫାଇନାଲ୍‌ ଆଜି

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ପ୍ରଥମ ମହିଳା ଗୋଲ୍‌ଡ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ‌ଶୁକ୍ରବାର ମିଆଁମାର ଓ ନେପାଳ ମୁହାଁମୁହିଁ ହେବେ। ଏହି ଚତୁଃରାଷ୍ଟ୍ରୀୟ ବନ୍ଧୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବିଶ୍ବ ମାନ୍ୟତାର ୪୪ତମ ସ୍ଥାନରେ ଥିବା ମିଆଁମାର ଅପରା‌ଜେୟ ସହ ପଏଣ୍ଟ୍‌ ତାଲିକାର ଶୀର୍ଷରେ ରହି ଫାଇନାଲ ସ୍ଥାନ ପକ୍କା କରିଥିଲା। ସେହିଭଳି ୧୦୮ ମାନ୍ୟତା ନେପାଳ ୩ରୁ ୨ ବିଜୟ ଓ ଗ‌ୋଟିଏ ପରାଜୟ ସହ ଦ୍ବିତୀୟ ସ୍ଥାନରେ ରହି ସମସ୍ତଙ୍କୁ ଚକିତ କରି ଫାଇନାଲ୍‌ରେ ପହଞ୍ଚିଥିଲା। ତେବେ ନେପାଳଠୁ ଉଚ୍ଚ ମାନ୍ୟତା ଦୁଇ ଦଳ ଭାରତ (୬୨) ଓ ଇରାନ (୬୦) ଯଥାକ୍ରମେ ଶେଷ ଦୁଇ ସ୍ଥାନରେ ରହି ବିଦାୟ ନେଇଥିଲେ। ଭାରତ ‌ଗୋଟିଏ ବିଜୟ ପାଇଥିଲା ବେଳେ ଇରାନ ହ୍ୟାଟ୍ରିକ ପରାଜୟ ବରଣ କରି ଅଭିଯାନ ଶେଷ କରିଥିଲା। ମିଆଁମାର ଉଦ୍‌ଘାଟନୀ ମ୍ୟାଚ୍‌ରେ ୩-୦ରେ ନେପାଳକୁ, ଦ୍ବିତୀୟ ମ୍ୟାଚ୍‌ରେ ୨-୦ରେ ଇରାନ୍‌କୁ ଏବଂ ଶେଷ ଲିଗ୍‌ ମ୍ୟାଚ୍‌ରେ ୨-୦ରେ ଆୟୋଜକ ଭାରତକୁ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ନେପାଳ ଦ୍ବିତୀୟ ମ୍ୟାଚ୍‌ରେ ଭାରତକୁ ୨-୧ ଏବଂ ତୃତୀୟ ମ୍ୟାଚ୍‌ରେ ଇରାନ୍‌କୁ ୩-୦ରେ ପରାସ୍ତ କରିଥିଲା। ଅପରାଜେୟ ସହ ଫାଇନାଲ୍‌ରେ ପହଞ୍ଚିଥିବାରୁ ଉଚ୍ଚ ମାନ୍ୟତାରେ ଥିବା ମିଆଁମାରର ପଲ୍ଲା ଭାରି ରହିଛି। ହେଲେ ନେପାଳ ନିଜଠାରୁ ଉଚ୍ଚ ମାନ୍ୟତା ଇରାନ ଓ ଭାରତକୁ ହରାଇ ଫାଇନାଲରେ ପ୍ରବେଶ କରିଥିବାରୁ ମିଆଁମାରକୁ ଟକ୍କର ଦେବାକୁ ପୁରା ସକ୍ଷମ ରହିଛି। ନେପାଳର ସବିତ୍ରା ଭଣ୍ଡାରି ୪ ଗୋଲ୍‌ ଦେଇ ଆଗରେ ରହିଥିଲା ବେଳେ ମିଆଁମାରର ୱିଙ୍ଗ୍‌ ଥେଙ୍ଗି ତୁନ୍‌ ଓ ୟି ୟି ଓ’ ୨ ଲେଖାଏଁ ଗୋଲ୍‌ ଦେଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର