ନୂଆଦିଲ୍ଲୀ : ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଆଇପିଏଲ୍ ତ୍ରୟୋଦଶ ସଂସ୍କରଣ ଚାଲୁ ରହିଛି। ହେଲେ ସେଠାରେ ନାଡା (ଜାତୀୟ ଡୋପ୍ ନିରୋଧୀ ସଂସ୍ଥା)ର କୌଣସି ଡୋପ୍ ନିୟଂତ୍ରଣ ଅଧିକାରୀଙ୍କୁ ଏପର୍ଯ୍ୟନ୍ତ ଦେଖିବାକୁ ମିଳୁନି। ଫଳରେ ୟୁଏଇରେ ଆଇପିଏଲ୍ରେ ଅଂଶଗ୍ରହଣ କରିଥିବା କ୍ରିକେଟର୍ମାନଙ୍କ ନମୂନା ସଂଗ୍ରହ କାର୍ଯ୍ୟକ୍ରମ ଏବେ ବି ଆରମ୍ଭ ହୋଇପାରିନି। ଦେଶର ଡୋପ୍ ନିୟଂତ୍ରଣ ଅଧିକାରୀମାନଙ୍କୁ ୟୁଏଇ ଯିବା ପାଇଁ ସରକାରୀ ଅନୁମତି ମିଳିପାରିନଥିବାରୁ ଏଭଳି ଅସୁବିଧା ହୋଇଛି। ସଂପୃକ୍ତ ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ଅନୁମତି ଅପେକ୍ଷାରେ ରହିଛନ୍ତି।
ଏଠାରେ ସୂଚନାଯୋଗ୍ୟ, ୟୁଏଇର ତିନିଟି ଭେନ୍ୟୁ ଦୁବାଇ, ଆବୁଧାବି ଓ ସାର୍ଜାରେ ଖେଳାଯାଉଥିବା ଆଇପିଏଲ୍ ନଭେମ୍ବର ୧୦ ତାରିଖରେ ଶେଷ ହେବ। ‘ନାଡା’ର ପ୍ରଥମ ଦଫା ଡୋପ୍ ନିୟଂତ୍ରଣ ଅଧିକାରୀମାନେ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ୟୁଏଇ ଯାତ୍ରା କରିବାର ଥିଲା। ହେଲେ ବୈଦେଶିକ ମନ୍ତ୍ରଣାଳୟ ନିକଟରେ ସେମାନଙ୍କ ଅନୁମୋଦନ ଏବେ ବି ପଡ଼ିରହିଥିବାରୁ ଭାରତ ଛାଡ଼ିପାରୁନାହାନ୍ତି। ଆଇପିଏଲ୍ ଆରମ୍ଭ ହେବାର ଇତି ମଧ୍ୟରେ ଚତୁର୍ଥ ସପ୍ତାହ ଅତିକ୍ରମ କରିବାକୁ ଯାଉଥିଲେ ମଧ୍ୟ ଦଫା ଡୋପ୍ ନିୟଂତ୍ରଣ ଅଧିକାରୀଙ୍କ ଅନୁପସ୍ଥିତିରୁ ଖେଳାଳିମାନଙ୍କ ଡୋପ୍ ପରୀକ୍ଷା ମଧ୍ୟ ହୋଇପାରିନି। କିନ୍ତୁ ସଂପୃକ୍ତ ଅଧିକାରୀମାନଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଗୁରୁତ୍ବ ଦେଇ ମନ୍ତ୍ରଣାଳୟ ୟୁଏଇ ଯାତ୍ରା ପାଇଁ ଅନୁମତି ଦେବାରେ ବିଳମ୍ବ କରୁଥିବା ଜଣାପଡ଼ିଛି। ପୁଣି ୟୁଏଇରେ ବିଦେଶରୁ ଯାଇଥିବା ବ୍ୟକ୍ତିଙ୍କ ପାଇଁ ବାଧ୍ୟତାମୂଳକ ସଂଗରୋଧ ନିୟମ ମଧ୍ୟ ଏଥିରେ ଅଡୁଆ ସୃଷ୍ଟି କରୁଛି। ତଥାପି ଆସନ୍ତା ସପ୍ତାହ ମଧ୍ୟରେ ଅନୁମତି ମିଳିଯିବ ବୋଲି ‘ନାଡା’ ଆଶାବାଦୀ ରହିଛି।