ଆଇପିଏଲ୍‌ରେ ନାଡା, ୟୁଏଇ ମିଳିତ ଭାବେ ଡୋପ୍‌ ପରୀକ୍ଷଣ କରିବେ; ‘ସ୍ପର୍ଶ ବିହୀନ’ ପଦ୍ଧତି ଉପରେ ଗୁରୁତ୍ବ ‌

ନୂଆଦିଲ୍ଲୀ: ଜାତୀୟ ଡୋପିଂ ନିରୋଧୀ ସଂସ୍ଥା (ନାଡା) ଏବଂ ୟୁଏଇର ଜାତୀୟ ଡୋପିଂ ନିରୋଧୀ ସମିତି (ନାଡୋ) ମିଳିତ ଭାବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ସମୟରେ ଖେଳାଳିମାନଙ୍କ ଡୋପ୍ ପରୀକ୍ଷଣ କରିବେ। ଆସନ୍ତା ମାସ ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୟୁଏଇର ଦୁବାଇ, ଆବୁଧାବି ଏବଂ ସାରଜାଠାରେ ଆଇପିଏଲ୍ ଖେଳାଯିବ। ଅଂଶଗ୍ରହଣକାରୀ କ୍ରିକେଟର୍‌ଙ୍କ ମୂତ୍ର ନମୁନା ସଂଗ୍ରହ ବେଳେ ଦୁଇ ଦେଶର ଡୋପ୍ ନିୟନ୍ତ୍ରଣ ଅଧିକାରୀ (ଡିସିଓ) ୟୁଏଇ ନାଡୋର ‘ସାଧାରଣ ପରିଚାଳନା ପ୍ରଣାଳୀ (ଏସ୍‌ଓପି)’ ଅନୁଯାୟୀ କାର୍ଯ୍ୟକରିବେ। ନାଡା ଏହାର ୟୁଏଇ ପ୍ରତିପକ୍ଷଙ୍କ ସହ ଯୋଗାଯୋଗ କରିସାରିଛି। ପ୍ରାରମ୍ଭିକ ଆଲୋଚନା ଅନୁଯାୟୀ କ୍ରିକେଟର୍‌ଙ୍କ ଉଭୟ ପ୍ରତିଯୋଗିତା ବେଳେ ଏବଂ ପରେ ପରୀକ୍ଷା କରାଯିବ। କ୍ରିକେଟର୍‌ ଏବଂ ଡିସିଓଙ୍କ ସୁରକ୍ଷା ଲାଗି ସ୍ଥାନୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ‘ସ୍ପର୍ଶ ବିହୀନ’ ପଦ୍ଧତି ଉପରେ ଅଧିକ ଗୁରୁତ୍ୱ ଦେବେ।

‘ସ୍ପର୍ଶ ବିହୀନ’ ପଦ୍ଧତିର ଅର୍ଥ ହେଉଛି ଯେ ଡିସିଓ ପରିସ୍ରା ନମୁନା କଣ୍ଟେନର କିଟ୍ସକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବେ। ଖେଳାଳିମାନଙ୍କ ଅନୁସାରେ ଭେନ୍ୟୁ, ହୋଟେଲ କିମ୍ବା ରିସର୍ଟରୁ ସେମାନଙ୍କ ପରିସ୍ରା ନମୁନା ସଂଗ୍ରହ କରାଯିବ। ସଂଗ୍ରହ ପରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏହାକୁ ରଖାଯିବା ପରେ ନିର୍ଧାରିତ କିଛି ସମୟପରେ ପରିସ୍ରା ନମୁନା ସହ ସେହି ପାତ୍ରକୁ ପରୀକ୍ଷଣ ପାଇଁ ପଠାଯିବ। ଏହି ପ୍ରକ୍ରିୟା ସମୟରେ କ୍ରିକେଟର୍‌ ଜଣଙ୍କ ଏକୁଟିଆ ଅଛନ୍ତି, ଚାରିପାଖରେ ଅନ୍ୟ କୌଣସି ବ୍ୟକ୍ତି ନାହାନ୍ତି ବୋଲି ଡିସିଓଙ୍କୁ ନିଶ୍ଚିତ କରିବେ। ବୁଝାମଣା ଅନୁଯାୟୀ ନାଡା କିଛି ଡିସିଓଙ୍କୁ ୟୁଏଇ ପଠାଇବ। ସେଠାରେ ସଂଗରୋଧରେ ଗୋଟିଏ ସପ୍ତାହ ରହିବା ପରେ ୟୁଏଇର ନାଡୋ ଏବଂ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ କାର୍ଯ୍ୟରେ ଯୋଗଦେବେ। ନାଡା ଏହାର ଡିସିଓଙ୍କ ସମସ୍ତ ଖର୍ଚ୍ଚ ବହନ କରିବ। ଏଥିସହ ନାଡା ମଧ୍ୟ ପରୀକ୍ଷା ପାଇଁ ନମୁନା ‌ଦୋହା ଲାବୋରେଟୋରିକୁ ପଠାଇବାର ଖର୍ଚ୍ଚ କରିବ। ବିସିସିଆଇ କିମ୍ବା ଫ୍ରାଞ୍ଚାଇଜ୍‌ଗୁଡ଼ିକ ଏଥିଲାଗି କୌଣସି ଖର୍ଚ୍ଚ କରିବେନି। ସୂଚନାଯୋଗ୍ୟ ଯେ ୨୦୧୯ ଆଇପିଏଲ୍‌ ବେଳେ ବିସିସିଆଇ ନିଜ ପକ୍ଷରୁ ଡୋପ୍‌ ଟେଷ୍ଟ୍‌ ପାଇଁ ସ୍ବିଡେନ୍‌‌ର ଏକ ସଂସ୍ଥାକୁ ଦାୟିତ୍ବ ଦେଇଥିଲା ଏବଂ ସମସ୍ତ ଖର୍ଚ୍ଚ ବହନ କରିଥିଲା।

ସମ୍ବନ୍ଧିତ ଖବର