ପ୍ଲିସ୍‌କୋଭା ବିଦା: ପ୍ରିକ୍ବାର୍ଟରରେ ଫେଡେରର୍‌, ନାଦାଲ

ପ୍ୟାରିସ୍‌: ଚଳିତ ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତାର ମହିଳା ଏକକରେ ଶୁକ୍ରବାର ବିପର୍ଯ୍ୟୟ ଘଟିଛି। ଦ୍ବିତୀୟ ମାନ୍ୟତା କାରୋଲିନେ ପ୍ଲିସ୍‌କୋଭା ଦ୍ବିତୀୟ ରାଉଣ୍ଡ୍‌ରେ ପରାଜୟ ବରଣ କରି ବିଦାୟ ନେଇଛନ୍ତି। ଏହି ବିପର୍ଯ୍ୟୟ ଘଟାଇଛନ୍ତି ୩୧ତମ ମାନ୍ୟତା ପେଟ୍ରା ମାର୍ଟିକ୍‌। ମାର୍ଟିକ୍‌ ୬-୩, ୬-୩ ସିଧାସଳଖ ସେଟ୍‌ରେ ପ୍ଲିସ୍‌କୋଭାଙ୍କୁ ପରାସ୍ତ କରି ବିଦାୟ ରାସ୍ତ ଦେଖାଇଦେବା ସହିତ ତୃତୀୟ ରାଉଣ୍ଡ୍‌ ସ୍ଥାନ ସୁରକ୍ଷିତ କରି‌ନେଇଛନ୍ତି। ସେହିପରି ଦ୍ବାଦଶ ମାନ୍ୟତା ଆନାସ୍ତେସିଆ ସେଭାତ୍ସୋଭା ଏବଂ ୧୯ତମ ମାନ୍ୟତା ଗାର୍ବିନେ ମୁଗୁରୁଜା ବିଜୟ ଧାରା ଜାରି ରଖିଥିଲା ବେଳେ ୨୧ତମ ମାନ୍ୟତା କାର୍ଲା ସୁଆରେଜ୍‌ ନାଭାରୋ ପରାଜୟ ସହ ବିଦାୟ ନେଇଛନ୍ତି। ୨୨ତମ ମାନ୍ୟତା ବିନ୍‌ସ୍କା ଆନ୍ଦ୍ରେସ୍କୁ ଆହତ ଯୋଗୁ ଓହରି ଯାଇଥିଲେ। ଏହା ପୂର୍ବରୁ ଗୁରୁବାର ପୂର୍ବ ବିଜୟିନୀ ସିମୋନା ହାଲେପ୍‌ ତୃତୀୟ ରାଉଣ୍ଡ୍‌ ପ୍ରବେଶ କରିଥିଲେ। ଦ୍ବିତୀୟ ରାଉଣ୍ଡ୍‌ରେ ଏହି ତୃତୀୟ ମାନ୍ୟତା ରୋମାନିଆ ଲଳନା ପୋଲାଣ୍ଡ୍‌ର ମାଗ୍‌ଦା ଲିନେଟେଙ୍କୁ ୬-୪, ୫-୭ ଓ ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି।

ପୁରୁଷ ଏକକରେ କିନ୍ତୁ ଶୁକ୍ରବାର ମାନ୍ୟତା ଖେଳାଳିଙ୍କ ବିଜୟ ଧାରା ଜାରି ରହିଛି। ଦ୍ବିତୀୟ ମାନ୍ୟତା ରାଫେଲ ନାଦାଲ, ତୃତୀୟ ମାନ୍ୟତା ରୋଜର ଫେଡେରର୍‌ ନିଜ ନିଜର ସହଜ ବିଜୟ ସହ ତୃତୀୟ ରାଉଣ୍ଡ ଅତିକ୍ରମ କରିଛନ୍ତି। ସ୍ପେନ୍‌ ତାରକା ନାଦାଲ ୬-୧, ୬-୩, ୪-୬ ଓ ୬-୩ ସେଟ୍‌ରେ ୨୭ତମ ମାନ୍ୟତା ଗଫିନ୍‌ଙ୍କୁ ଏବଂ ସ୍ବିଜରଲାଣ୍ଡ୍‌ ତାରକା ଫେଡେରର୍‌ ୬-୩, ୬-୧, ୭-୬ ସେଟ୍‌ରେ ରୁଡ୍‌ଙ୍କୁ ପରାସ୍ତ କରି ପ୍ରିକ୍ବାର୍ଟର ଫାଇନାଲ୍‌ ପ୍ରବେଶ କରିଛନ୍ତି। ତେବେ ଅଷ୍ଟମ ମାନ୍ୟତା ଜୁଆନ୍‌ ମାର୍ଟିନ୍‌ ଡେଲ୍‌ ପୋଟ୍ରୋ ପ୍ରବଳ ସଂଘର୍ଷ କରି ଦ୍ବିତୀୟ ରାଉଣ୍ଡ୍‌ ଅତିକ୍ରମ କରିଛନ୍ତି। ଗୁରୁବାର ଏହି ରାଉଣ୍ଡ୍‌ ଜିତିବା ପାଇଁ ୨୦୦୯ ୟୁଏସ୍‌ ଓପନ୍‌ ବିଜେତା ଡେଲ୍‌ ପୋଟ୍ରୋଙ୍କୁ ୫ ସେଟ୍‌ ସଂଘର୍ଷ କରିବାକୁ ପଡ଼ିଥିଲା। ଶେଷରେ ୟାସିହିଟୋ ନିଶିଓକାଙ୍କୁ ୫-୭, ୬-୪, ୬-୨, ୬-୭ ଓ ୬-୨ ସେଟ୍‌ରେ ପରାସ୍ତ କରି ପୋଟ୍ରୋ ତୃତୀୟ ରାଉଣ୍ଡ୍‌ ସ୍ଥାନ ପକ୍କା କରିଛନ୍ତି। ତୃତୀୟ ରାଉଣ୍ଡ୍‌ରେ ପୋଟ୍ରୋଙ୍କ ମୁକାବିଲା ଅଷ୍ଟ୍ରେଲିଆର ଜୋର୍ଡନ୍‌ ଥମ୍ପ୍‌ସନ୍‌ଙ୍କ ସହ ହେବ। ଥମ୍ପ୍‌ସନ୍‌ ଅନ୍ୟ ଏକ ଦ୍ବିତୀୟ ରାଉଣ୍ଡ୍‌ ମୁକାବିଲାରେ ୪୦ ବର୍ଷ ବୟସ୍କ ଇଭୋ କାର୍ଲୋଭିକ୍‌ଙ୍କୁ ପରାସ୍ତ କରିଛନ୍ତି। ସେହିପରି ଶୁକ୍ରବାର ନବମ ମାନ୍ୟତା ଫାବିଓ ଫୋଗ୍‌ନିନି, ଦଶମ ମାନ୍ୟତା କାରେନ୍‌ ଖାଚାନୋଭ୍‌, ତ୍ରୟୋଦଶ ମାନ୍ୟତା ବୋର୍ନା କୋରିକ୍‌, ଚତୁର୍ଦଶ ମାନ୍ୟତା ଗେଲ୍‌ ମୋନ୍‌ଫିଲ୍‌ସ ମଧ୍ୟ ଆଗକୁ ବଢ଼ିଛନ୍ତି।

ସମ୍ବନ୍ଧିତ ଖବର