ୟୁଏସ୍ ଓପନ୍: ନାଦାଲ-ମେଡଭେଡେଭ୍‌ ଫାଇନାଲ୍

ନ୍ୟୁୟର୍କ: ୟୁଏସ୍ ଓପନ୍ ଗ୍ରାଣ୍ଡ୍ ସ୍ଲାମ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଏକକ ଫାଇନାଲରେ ସ୍ପେନୀୟ ତାରକା ରାଫେଲ୍ ନାଦାଲଙ୍କୁ ଭେଟିବେ ରୁଷିଆର ଡାନିଲ୍‌ ମେଡ୍‌ଭେ‌ଡେଭ୍‌। ନାଦାଲ ନିଜ ୧୯ତମ ଗ୍ରାଣ୍ଡ୍‌ ସ୍ଲାମ୍ ଟ୍ରଫି ବିଜୟ ଲକ୍ଷ୍ୟରେ ରହିବେ। ଡାନିଲ୍ କିନ୍ତୁ ପ୍ରଥମ ପ୍ରମୁଖ ବିଜୟର ସମ୍ଭାବନା ନେଇ ପଡ଼ିଆକୁ ଓହ୍ଲାଇବେ। ୧୪ ବର୍ଷ ପରେ ପ୍ରଥମ ରୁଷୀୟ ଭାବେ ଡାନିଲ୍‌ ଏକ ଗ୍ରାଣ୍ଡ୍ ସ୍ଲାମ୍ ଫାଇନାଲ୍ ଖେଳିବେ। ୨୦୦୫ ମସିହାର ମରାଟ ସାଫିନ ଶେଷ ରୁଷୀୟ ଭାବେ ଅଷ୍ଟ୍ରେଲିଆନ୍‌ ଓପନ ଫାଇନାଲ୍‌ ଖେଳିଥିଲେ। ଶୁକ୍ରବାର ଉଭୟ ପୁରୁଷ ଏକକ ସେମିଫାଇନାଲରେ ୨ ନମ୍ବର ନାଦାଲ ଏବଂ ଡାନିଲ୍‌ ସହଜ ବିଜୟ ସହ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। ଗତ ମାସରେ ଡାନିଲଙ୍କୁ ହରାଇ ନାଦାଲ ରୋଜର୍ସ କପ୍‌ ଜିତିଥିଲେ। ଉଭୟଙ୍କ ମଧ୍ୟରେ ପୂର୍ବରୁ ଏହି ଏକମାତ୍ର ମୁକାବିଲା ହୋଇଛି।

ପ୍ରଥମ ସେମିଫାଇନାଲରେ ଡାନିଲ୍‌ ମେଡଭେଡେଭ୍‌ ୭-୬ (୫), ୬-୪, ୬-୩ରେ ଗ୍ରିଗର୍‌ ଦିମିତ୍ରୋଭଙ୍କୁ ପରାସ୍ତ କରିଥିଲେ। ମେଡଭେଡେଭ୍‌ଙ୍କ ଏହା ଲଗାତାର ୧୨ତମ ବିଜୟ ଏବଂ ଚତୁର୍ଥ ଫାଇନାଲ୍ ପ୍ରବେଶ। ଦ୍ବିତୀୟ ସେମିଫାଇନାଲରେ ୩ ଥର ୟୁଏସ୍ ଓପନ୍ ବିଜେତା ନାଦାଲ ସମାନ ଢଙ୍ଗରେ ୭-୬ (୬), ୬-୪, ୬-୧ ସିଧାସଳଖ ସେଟ୍‌ରେ ଇଟାଲିର ୨୩ ବର୍ଷୀୟ ମାଟିଓ ବେ‌ରେଟିନିଙ୍କୁ ହରାଇ ଦେଇଥିଲେ। ଫାଇନାଲରେ ବିଜୟୀ ହେଲେ ନାଦାଲ ରୋଜର ଫେଡେରରଙ୍କ ୨୦ ଗ୍ରାଣ୍ଡ୍ ସ୍ଲାମ୍ ବିଜୟର ନିକଟତର ହୋଇଯିବେ। ‘ମୁଁ ଫାଇନାଲ୍ ଆସିଥିବାରୁ ଖୁସୀ, ରବିବାର ଜିତିଲେ ଚମତ୍କାର ହେବ। ନ‌ ହେଲେ ଭବିଷ୍ୟତରେ ଚେଷ୍ଟା କରିବି’ ବୋଲି କହିଛନ୍ତି ନାଦାଲ। ୧୯ ବର୍ଷ ପରେ ଜଣେ ରୁଷୀୟ ୟୁଏସ୍‌ ଓପନ୍‌ ଫାଇନାଲ୍‌ରେ ପହଞ୍ଚିଛନ୍ତି। ୨୦୦୦ ମସିହାରେ ମରାଟ ସାଫିନ ଫାଇନାଲ୍ ଖେଳିଥିଲେ। ମେଡଭେଡେଭ୍‌ କିନ୍ତୁ ଗୋଟିଏ ଋତୁରେ ୱାସିଂଟନ୍‌, କାନାଡ଼ା, ସିନସିନାଟି ଏବଂ ନ୍ୟୁୟର୍କରେ ଫାଇନାଲ୍‌କୁ ଉଠି ଆନ୍ଦ୍ରେ ଆଗାସୀ (୧୯୯୫) ଏବଂ ଇଭାନ୍ ଲେଣ୍ଡଲ (୧୯୮୨)ଙ୍କ ଭଳି ମହାନ ଖେଳାଳିଙ୍କ ସମକକ୍ଷ ହୋଇଛନ୍ତି। କିନ୍ତୁ ଉଭୟଙ୍କୁ କାଟିବା ଲାଗି ମେଡଭେଡେଭଙ୍କୁ ରବିବାର ଜିତିବାକୁ ହେବ। କାରଣ ଆଗାସୀ ଏବଂ ଲେଣ୍ଡଲଙ୍କୁ ସେଥର ୟୁଏସ୍‌ ଓପନ୍ ଫାଇନାଲରେ ଯଥାକ୍ରମେ ପିଟ୍ ସାମ୍ପ୍ରାସ ଏବଂ ଜିମ୍ନି କନ୍ନୋର୍ସ ହରାଇ ଦେଇଥିଲେ।

ସମ୍ବନ୍ଧିତ ଖବର