ନୂଆ କୀର୍ତ୍ତିମାନ ଦ୍ୱାରରେ ନାଦାଲ; ପ୍ରଥମ ଖେଳାଳି ଭାବେ ୨୧ ଗ୍ରାଣ୍ଡସ୍ଲାମ ବିଜୟ ଦ୍ୱାରରେ ପହଞ୍ଚିଲେ

ଫାଇନାଲ୍‌ରେ ମେଦଭେଦେଭଙ୍କୁ ଭେଟିବେ

ମେଲବର୍ଣ୍ଣ : ଇଟାଲିର ସପ୍ତମ ସିଡ୍ ଖେଳାଳି ମାତିଓ ବେରେତିନିଙ୍କୁ ଚାରି ସେଟ୍ ବିଶିଷ୍ଟ ତଥା ଉତ୍କଣ୍ଠାପୂର୍ଣ୍ଣ ସେମିଫାଇନାଲ୍‌ରେ ୬-୩, ୬-୨, ୩-୬, ୬-୩ ରେ ପରାସ୍ତ କରି ସ୍ପେନୀୟ ମହାନ ରାଫେଲ ନାଦାଲ ନୂଆ ଟେନିସ୍‌ ଇତିହାସ ରଚିବାର ଦ୍ବାର ଦେଶରେ ପହଞ୍ଚି ଯାଇଛନ୍ତି। ତା ସହିତ ପ୍ରଥମ ଖେଳାଳି ଭାବେ ୨୧ ଗ୍ରାଣ୍ଡସ୍ଲାମ୍ ଏକକ ଟ୍ରଫି ଜିତିବାର ମାଇଲଖୁଣ୍ଟର ଆହୁରି ନିକଟତର ହୋଇଛନ୍ତି ସେ।

କ୍ଲେ କୋର୍ଟ ମହାରାଜା ଭାବେ ପରିଚିତ ନାଦାଲ ଶୁକ୍ରବାରର ଏହି ବହୁ ପ୍ରତୀକ୍ଷିତ ସେମିଫାଇନାଲ୍‌ର ପ୍ରଥମ ଦୁଇ ସେଟ୍‌କୁ ଅତି ସହଜରେ ଜିତି ନେଇଥିଲେ। ହେଲେ ନିର୍ଣ୍ଣାୟକ ତୃତୀୟ ସେଟ୍‌କୁ ୩ ପଏଣ୍ଟ ବ୍ୟବଧାନରେ ଜିତି ନେଇ ବେରେତିନି ମ୍ୟାଚ୍ ବଞ୍ଚାଇ ଦେଇଥିଲେ। ଚତୁର୍ଥ ସେଟ୍‌ରେ କିନ୍ତୁ ନାଦାଲଙ୍କ ଶକ୍ତିଶାଳୀ ସର୍ଭିସ୍ ଆଗରେ ଆତ୍ମସମର୍ପଣ କରି ସେମିଫାଇନାଲ୍‌ରୁ ବିଦାୟ ନେଇଥିଲେ। ନାଦାଲ (୧୯)ଙ୍କ ତୁଳନାରେ ୨୦ଟି ଅଧିକ ଅନିଚ୍ଛାକୃତ ତ୍ରୁଟି କରିବା ବେରେତିନି (୩୯)ଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଫାଇନାଲ୍‌ରେ ଏବେ ୩୫ ବର୍ଷୀୟ ନାଦାଲ ରୁଷିଆର ଡାନିଲ ମେଦଭେଦେଭ୍ ଏବଂ ଗ୍ରିସ୍‌ର ଷ୍ଟିଫାନୋସ୍ ସିସିପାସ୍‌ଙ୍କ ମଧ୍ୟରେ ଖେଳାଯାଇ ଥିବା ଦ୍ବିତୀୟ ସେମିଫାଇନାଲର ବିଜେତା ମେଦଭେଦେଭଙ୍କୁ ଭେଟିବେ। ମେଦଭେଦେଭ ୭-୬, ୪-୬, ୬-୪, ୬-୧ରେ ସିସିପାସ୍‌ଙ୍କୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ଫାଇନାଲ୍‌ରେ ନାଦାଲ ବିଜୟୀ ହେଲେ ସ୍ବିଜରଲାଣ୍ଡର କିଂବଦନ୍ତି ତାରକା ରୋଜର ଫେଡେରର୍‌ ଏବଂ ସର୍ବିୟାର ବିବାଦୀୟ ଖେଳାଳି ତଥା ବିଶ୍ବର ଏକନମ୍ବର ଟେନିସ୍ ତାରକା ନୋଭାକ ଜୋକୋଭିକଙ୍କୁ ପଛ‌ରେ ପକାଇ ୨୧ତମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ଜିତିବାର ବିରଳ ସଫଳତା ଲାଭ କରିବେ। ସଂପ୍ରତି ନାଦାଲ, ଫେଡେରର ଏବଂ ଜୋକୋଭିକ୍ ପ୍ରତ୍ୟେକ ୨୦ଟି ଲେଖାଏଁ ଗ୍ରାଣ୍ଡସ୍ଲାମ୍ ଜିତି ସର୍ବାଧିକ ଗ୍ରାଣ୍ଡସ୍ଲାମ୍ ବିଜୟରେ ମିଳିତ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି। ଆଉ ମାତ୍ର ଗୋଟିଏ ବିଜୟ ହାସଲ କଲେ ନାଦାଲ ଏହି ଗତିରୋଧ ଦୂର କରିବାର ଐତିହାସିକ ସଫଳତା ଲାଭ କରିବେ। ସେଥିପାଇଁ ରବିବାର ଖେଳାଯିବାକୁ ଥିବା ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲ୍ ଉପରେ ଏବେ ସମଗ୍ର କ୍ରୀଡ଼ା ଜଗତର ନଜର ରହିଛି। ନାଦାଲ ପୂର୍ବରୁ ଦୀର୍ଘ ୧୩ ବର୍ଷ ତଳେ ଅର୍ଥାତ୍ ୨୦୦୯ରେ ଅଷ୍ଟ୍ରେଲିଆନ୍ ଓପନ୍ ଟ୍ରଫି ଜିତିଥିଲେ। ରବିବାର ସେ ଏଠାରେ ଷଷ୍ଠ ଥର ପାଇଁ ଫାଇନାଲ୍ ଖେଳି ଦ୍ବିତୀୟ ଟ୍ରଫି ଜିତିବାକୁ ପ୍ରୟାସ କରିବେ। ବିଜୟୀ ହେଲେ ୧୯୬୮ରେ ଓପନ୍ ଏରା ଆରମ୍ଭ ହେବା ପରେ ଜୋକୋଭିକଙ୍କ ପରେ ଦ୍ବିତୀୟ ଖେଳାଳି ଭାବେ ଚାରିଟି ଯାକ ଗ୍ରାଣ୍ଡସ୍ଲାମ୍‌କୁ ଅନ୍ୟୂନ ଦୁଇ ଥର ଲେଖାଏଁ ଜିତିବାର ଗୌରବ ହାସଲ କରିବେ। ଏହା ମଧ୍ୟ ତାଙ୍କର ୨୯ତମ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ ମ୍ୟାଚ୍ ହେବ। ”ଫାଇନାଲ୍‌ ଟିକେଟ ପାଇଥିବାରୁ ମୁଁ ଅତ୍ୟନ୍ତ ଭାଗ୍ୟଶାଳୀ। ମୁଁ ଏଠାରେ ଏକ ଦଶନ୍ଧିରୁ ଅଧିକ ବର୍ଷ ତଳେ ଟ୍ରଫି ଜିତିଥିଲି। ଆଉ ଥରେ ବିଜେତା ହେବାର ସୁଯୋଗ ମୋତେ ମିଳିବ ବୋଲି କେବେବି ଭବି ନଥିଲି” ବୋଲି ମ୍ୟାଚ୍ ପରେ ନାଦାଲ କହିଥିଲେ।

ମ୍ଲାଦେନୋଭିକ-ଦୋଦିଗଙ୍କୁ ମିଶ୍ରିତ ଯୁଗଳ ଟ୍ରଫି
ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଭେନୋଭିକ ଏବଂ କ୍ରୋଏସିଆର ଇଭାନ ଦୋଦିଗ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍‌ର ମିଶ୍ରିତ ଯୁଗଳ ଟ୍ରଫି ଜିତି ନେଇଛନ୍ତି। ଫାଇନାଲ୍‌ରେ ଏହି ଯୋଡ଼ି ସ୍ଥାନୀୟ ତାରକା ଜିମ୍ମି ଫୋରଲିସ୍ ଓ ଜାସନ କବଲରଙ୍କୁ ୬-୩, ୬-୪ ସିଧାସଳଖ ସେଟ୍‌ରେ ପରାସ୍ତ କରି ଏହି ସଫଳତା ଲାଭ କରିଛନ୍ତି। ପଞ୍ଚମ ସିଡ୍ ମ୍ଲାଭେନୋଭିକ ଏବଂ ଦୋଦିଗଙ୍କର ମିଳିତ ଭାବେ ଏହା ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ବିଜୟ ଥିଲା। ଅନ୍ୟପକ୍ଷରେ ଫୋରଲିସ୍ ଓ କବଲର ଘରୋଇ ପରିବେଶରେ ବିଜେତା ହେବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲେ।

ସମ୍ବନ୍ଧିତ ଖବର