ପ୍ୟାରିସ : ଚଳିତ ଫ୍ରେଞ୍ଚ୍ ଓପନ୍ ଟେନିସ ପ୍ରତିଯୋଗିତାର ପୁରୁଷ ଏକକ କ୍ବାର୍ଟର ଫାଇନାଲ୍ରେ ବିଶ୍ବର ଏକ ନମ୍ବର ତଥା ଶୀର୍ଷ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ୍ଙ୍କୁ ବିଦା କରି ସ୍ପେନ୍ ତାରକା ରାଫେଲ ନାଦାଲ କ୍ଲେ କୋର୍ଟ ରାଜା ବୋଲି ପୁଣି ପ୍ରମାଣିତ କରିଛନ୍ତି। ମଙ୍ଗଳବାର ମଧ୍ୟରାତ୍ରରେ ଖେଳାଯାଇଥିବା ମ୍ୟାଚ୍ରେ ପଞ୍ଚମ ମାନ୍ୟତାପ୍ରାପ୍ତ ତଥା କୀର୍ତ୍ତିମାନଧାରୀ ୨୧ ଗ୍ରାଣ୍ଡ ସ୍ଲାମ୍ ବିଜେତା ନାଦାଲ ୬-୨, ୪-୬, ୬-୨, ୭-୬ (୪) ସେଟ୍ରେ ୨୦ ଗ୍ରାଣ୍ଡ ସ୍ଲାମ୍ ବିଜେତା ସର୍ବିୟା ତାରକା ଜୋକୋଭିକ୍ଙ୍କୁ ମାତ୍ ଦେଇଥିଲେ। ଏଥି ସହିତ ୧୩ ଥର ରୋଲାଁ ଗାରୋସ ବିଜେତା ନାଦାଲ ଗତ ବର୍ଷ ସେମିଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ଜୋକୋଭିକ୍ଙ୍କଠୁ ନେଇଥିଲେ। ଗତ ବର୍ଷ ସେମିଫାଇନାଲ୍ରେ ନାଦାଲଙ୍କୁ ହରାଇ ଜୋକୋଭିକ ଫାଇନାଲ୍ରେ ପହଞ୍ଚିଥିଲେ। ଫାଇନାଲ୍ରେ ଗ୍ରିସ୍ର ଷ୍ଟିଫାନୋସ ସିସିପାସଙ୍କୁ ହରାଇ ଟ୍ରଫି କରାୟତ୍ତ କରିଥିଲେ। ଏଥର ଫାଇନାଲ୍ ସ୍ଥାନ ପାଇଁ ନାଦାଲ ଶନିବାର ତୃତୀୟ ମାନ୍ୟତାପ୍ରାପ୍ତ ଜର୍ମାନିର ଆଲେକ୍ଜାଣ୍ଡର ଭେରେଭଙ୍କୁ ଭେଟିବେ।
ମହିଳା ସେମିରେ ସ୍ବିତେକ
ବିଶ୍ବର ଏକ ନମ୍ବର ମହିଳା ଟେନିସ ତାରକା ଈଗା ସ୍ବିତେକ ଫ୍ରେଞ୍ଚ ଓପନ୍ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ବୁଧବାର କ୍ବାର୍ଟର ଫାଇନାଲ୍ରେ ୨୧ ବର୍ଷୀୟା ଏହି ପୋଲାଣ୍ଡ ଯୁବତୀ ସିଧସଳଖ ୬-୩, ୬-୨ ସେଟ୍ରେ ଏକାଦଶ ମାନ୍ୟତାପ୍ରାପ୍ତ ଆମେରିକାର ଜେସିକା ପେଗୁଲାଙ୍କୁ ହରାଇଥିଲେ। ୨୦୨୦ ବିଜୟିନୀ ସ୍ବିତେକ ସେମିଫାଇନାଲ୍ରେ ବିଂଶ ମାନ୍ୟତାପ୍ରାପ୍ତ ଡାରିଆ କାସତକିନାଙ୍କୁ ଭେଟିବେ। କ୍ବାର୍ଟର ଫାଇନାଲ୍ରେ ରୁଷୀୟ ଲଳନା କାସତକିନା ୬-୪, ୭-୬ ସେଟ୍ରେ ୨୯ ମାନ୍ୟତାପ୍ରାପ୍ତ ନିଜ ଦେଶର ଭେରୋନିକା କୁଦେରମେତୋଭାଙ୍କୁ ପରାସ୍ତ କରିଥିଲେ।