ମାଦ୍ରିଦ୍‌: ସ୍ପେନ୍‌ ତାରକା ରାଫେଲ ନାଦାଲ ଆଗାମୀ ୱିମ୍ବଲଡନ୍‌ ଏବଂ ଟୋକିଓ ଅଲିମ୍ପିକ୍ସରୁ ଓହରି ଯାଇଛନ୍ତି। ଗତ ସପ୍ତାହରେ ଫ୍ରେଞ୍ଚ୍‌ ଓପନ୍‌ର ସେମିଫାଇନାଲ୍‌ରୁ ବିଦାୟ ନେଇଥିବା ଡବ୍ଲୁଟିଏ ମାନ୍ୟତାର ଏହି ଦ୍ବିତୀୟ ଖେଳାଳି ନିଜ ଦଳ ସହ ବିଚାରବିମର୍ଶ କରିବା ପରେ ଗୁରୁବାର ଓହରିଯିବାର ନିଷ୍ପତ୍ତି ନେଇଛନ୍ତି। ତାଙ୍କ କହିବା କଥା ହେଲା ଫ୍ରେଞ୍ଚ୍‌ ଓପନ୍‌ ଏବଂ ୱିମ୍ବଲଡନ୍‌ ମଧ୍ୟରେ ଦୁଇ ସପ୍ତାହର ବ୍ୟବଧାନ ରହିଛି। ଗତ ୧୩ ତାରିଖରେ ଫ୍ରେଞ୍ଚ୍‌ ଓପନ୍‌ ଶେଷ ହୋଇଥିଲା ବେଳେ ଆସନ୍ତା ୨୮ ତାରିଖରୁ ୱିମ୍ବଲଡନ୍‌ ଆରମ୍ଭ ହେବ। କ୍ଲେକୋର୍ଟରେ ୫ ପ୍ରତିଯୋଗିତା ଖେଳିବା ପରେ ଗ୍ରାସ୍‌ କୋର୍ଟ ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ ଏହି ସମୟ ଯଥେଷ୍ଟ ନୁହେଁ ବୋଲି ନାଦାଲ କହିଛନ୍ତି। ଏହା ତାଙ୍କ ଶରୀର ପ୍ରତି କ୍ଷତି ପହଞ୍ଚାଇବ ବୋଲି ସେ ଅନୁଭବ କରି ଆଗାମୀ ଦୁଇଟି ପ୍ରତିଯୋଗିତାରୁ ଓହରିଯିବାକୁ ବାଧ୍ୟ ହୋଇଛନ୍ତି ବୋଲି ଟ୍ବିଟରରେ କହିଛନ୍ତି। ଏଭଳି ନିଷ୍ପତ୍ତି ନେବା ଆଦୌ ସହଜ ନୁହେଁ, ହେଲେ ସ୍ବାସ୍ଥ୍ୟଗତ କାରଣ ପାଇଁ ମୋ ଦଳ ସହ ଆଲୋଚନା କରି ଓହରିଯିବାକୁ ସ୍ଥିର କରିଛି। ଏହାହିଁ ମୋ ପାଇଁ ସଠିକ୍‌ ନିଷ୍ପତ୍ତି ବୋଲି ସେ କହିଛନ୍ତି। ଏନେଇ ସମଗ୍ର ବିଶ୍ବରେ ଥିବା ମୋର ପ୍ରଶଂସକ ଏବଂ ବିଶେଷକରି ଇଂଲଣ୍ଡ ଓ ଜାପାନ ପ୍ରଶଂସକଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଛାଡ଼ିଛି ବୋଲି କହିଛନ୍ତି।

Advertisment

ଏଠାରେ ସୂଚନାଯୋଗ୍ୟ, ମୋଟ ୨୦ ଗ୍ରାଣ୍ଡ୍‌ ସ୍ଲାମ୍‌ ଏବଂ ରୋଲାଁ ଗ୍ୟାରସ୍‌ରେ ବିଶେଷକରି ୧୩ ଥର ବିଜେତା ବିଜେତା ନାଦାଲ ଫ୍ରେଞ୍ଚ୍‌ ଓପନ୍‌ ଖେଳିବା ପୂର୍ବରୁ ଚଳିତ ବର୍ଷ ମଣ୍ଟେ କାର୍ଲୋ ମାଷ୍ଟର୍ସ, ବାର୍ସିଲୋନା, ମାଦ୍ରିଦ୍‌ ମାଷ୍ଟର୍ସ ଓ ରୋମ୍‌ ମାଷ୍ଟର୍ସରେ ଖେଳିଥିଲେ। ସେ ୱିମ୍ବଲଡନ୍‌ରେ ୨ ଥର (୨୦୦୮ ଓ ୨୦୧୦) ପୁରୁଷ ଏକକ ଟ୍ରଫି ଜିତିବାର ଗୌରବ ବହନ କରିଛନ୍ତି। ସେହିପରି ନାଦାଲ ଅଲିମ୍ପିକ୍ସରେ ୨ଟି ସ୍ବର୍ଣ୍ଣ ପଦକ ହାସଲ କରିସାରିଛନ୍ତି। ୨୦୦୮ ବେଜିଂ କ୍ରୀଡ଼ାରେ ଏକକ ବର୍ଗରେ ଏବଂ ୨୦୧୬ ରିଓ କ୍ରୀଡ଼ାରେ ଯୁଗଳ ବର୍ଗରେ ଏହି ସ୍ବର୍ଣ୍ଣିମ ସଫଳତା ହାତେଇଥିଲେ।