ପ୍ୟାରିସ : ଚଳିତ ଫ୍ରେଞ୍ଚ୍‌ ଓପନ୍‌ ଟେନିସ ପ୍ରତିଯୋଗିତାର ପୁରୁଷ ଏକକ ପ୍ରି-କ୍ବାର୍ଟର ଫାଇନାଲ୍‌ରେ ଗତ ଥରର ବିଜେତା ଓ ଉପବିଜେତା ଯଥାକ୍ରମେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ରାଫେଲ ନାଦାଲ ଏବଂ ତୃତୀୟ ମାନ୍ୟତାପ୍ରାପ୍ତ ଡୋମିନିକ ଥିମ ପ୍ରବେଶ କରିଛନ୍ତି। ଶୁକ୍ରବାର ତୃତୀୟ ରାଉଣ୍ଡ ମୁକାବିଲାରେ ଏଠାରେ ୧୨ଥର ଟ୍ରଫି ଜିତିଥିବା ସ୍ପେନ୍‌ର ନାଦାଲ ୬-୧, ୬-୪, ୬-୦ ସେଟ୍‌ରେ ଇଟାଲିର ଷ୍ଟିଫାନୋ ଟ୍ରାଭାଗ୍ଲିଆଙ୍କୁ ଏବଂ ଗତ ଦୁଇ ବର୍ଷର ଉପବିଜେତା ଅଷ୍ଟ୍ରିଆର ୬-୪, ୬-୩, ୬-୧ ‌ସିଧାସଳଖ ସେଟ୍‌ରେ ନରୱେର କାସ୍‌ପାର ରୁଡଙ୍କୁ ପରାସ୍ତ କରିଥିଲେ। ତେବେ ଷୋଡ଼ଶ ମାନ୍ୟତାପ୍ରାପ୍ତ ଷ୍ଟାନ୍‌ ୱାରିଙ୍କା ଅଭିଯାନ ତୃତୀୟ ପର୍ଯ୍ୟାୟରେ ଶେଷ ହୋଇଛି। ସେ ୬-୨, ୩-୬, ୩-୬, ୬-୪, ୦-୬ ସେଟ୍‌ରେ ୨୩୯ ମାନ୍ୟତାପ୍ରାପ୍ତ ଫ୍ରାନ୍ସର ଗା‌ଷ୍ଟନଙ୍କଠୁ ହାରି ବିଦାୟ ନେଇଥିଲେ।

Advertisment

ମହିଳା ଏକକରେ ଶୀର୍ଷ ମାନ୍ୟତାପ୍ରାପ୍ତ ‌ସିମୋନା ହାଲେପ ପ୍ରି-କ୍ବାର୍ଟର ଫାଇନ‌ାଲ୍‌ ସ୍ଥାନ ପକ୍କା କରିଛନ୍ତି। ୨୦୧୮ ବିଜୟିନୀ ଏହି ରୋମାନିଆ ଲଳନା ୬-୦, ୬-୧ ସେଟ୍‌ରେ ଆମେରିକାର ଆମନ୍ଦା ଆନିସିମୋଭାଙ୍କୁ ପରାସ୍ତ କରିଥିଲେ। ୨୫ ମାନ୍ୟତାପ୍ରାପ୍ତ ଆନିସିମୋଭା ଗତ ବର୍ଷ କ୍ବାର୍ଟର ଫାଇନାଲ୍‌ରେ ହାଲେପଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଥିଲେ। ଏହି ବିଜୟ ସହ ହାଲେପ ଗତ ବର୍ଷ ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ହାଲେପ ପୋଲାଣ୍ଡର ୧୯ ବର୍ଷୀୟା ଯୁବତୀ ଇଗା ସ୍ବିଏତେକଙ୍କୁ ଭେଟିବେ। ସ୍ବିଏତେକ ୬-୩, ୬-୨ ସେଟ୍‌ରେ ପୂର୍ବତନ ସେମିଫାଇନାଲିଷ୍ଟ୍‌ କାନାଡ଼ାର ଉଗେନି ବୌଚାର୍ଡଙ୍କୁ ପରାସ୍ତ କରିଥିଲେ। ତୃତୀୟ ମାନ୍ୟତାପ୍ରାପ୍ତ ଏଲିନା ସ୍ବିତୋଲିନା ସହଜ ବିଜୟ ସହ ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିଛନ୍ତି। ୟୁକ୍ରେନର ସ୍ବିତୋଲିନା ୬-୪, ୭-୫ ସେଟ୍‌ରେ ରୁଷିଆର ଏକାତେରିନା ଆଲେକ୍‌ଜାଣ୍ଡ୍ରୋଭାଙ୍କୁ ହରାଇଥିଲେ। ସେ କ୍ବାର୍ଟର ଫାଇନାଲ୍‌ ସ୍ଥାନ ପାଇଁ ଫ୍ରାନ୍ସର କାରୋଲିନ ଗାର୍ସିଆଙ୍କୁ ଭେଟିବେ। ‌ଗାର୍ସିଆ ୧-୬, ୬-୪, ୭-୫ ସେଟ୍‌ରେ ଷୋଡ଼ଶ ମାନ୍ୟତାପ୍ରାପ୍ତ ବେଲ୍‌ଜିୟମର ଏଲିସ ମର୍ତେନ୍ସଙ୍କୁ ପରାସ୍ତ କରିଥିଲେ।