ତୃତୀୟ ହ୍ୟାଟ୍ରିକ୍‌ ସହ ନାଦାଲଙ୍କ କୀର୍ତ୍ତି

ଦ୍ବାଦଶ ଥର ଜିତିଲେ ଫ୍ରେଞ୍ଚ୍‌ ଓପନ୍‌ ଟ୍ରଫି

ପ୍ୟାରିସ୍‌: ସ୍ପେନ୍‌ ତାରକା ରାଫେଲ ନାଦାଲ ରୋଲାଁ ଗ୍ୟାରସ୍‌ରେ ପୁଣି ଥରେ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି। ଏଥି ସହିତ ସେ ନିଜ ଟେନିସ ଜୀବନରେ ଦ୍ବାଦଶ ଥର ପାଇଁ ଫ୍ରେଞ୍ଚ୍‌ ଓପନ୍‌ ପୁରୁଷ ଏକକ ଟ୍ରଫି ଜିତି ନେଇଛନ୍ତି। ପୁଣି କୌଣସି ଗୋଟିଏ ଗ୍ରାଣ୍ଡ୍‌ ସ୍ଲାମ୍‌ରେ ଏତେ ସଂଖ୍ୟକ ଟ୍ରଫି ଜିତିବାରେ ସେ ମଧ୍ୟ ପ୍ରଥମ ଖେଳାଳି ହୋଇଛନ୍ତି। ଏକ୍ଷେତ୍ରରେ ସେ ମାର୍ଗାରେଟ୍‌ କୋର୍ଟ (୧୧ ଥର ଅଷ୍ଟ୍ରେଲିଆ ଓପନ୍‌ ବିଜେତା)ଙ୍କ କୀର୍ତିମାନକୁ ପଛକୁ ଠେଲି ଦେଇଛନ୍ତି। ରବିବାର ଫାଇନାଲ୍‌ରେ ଏହି ଦ୍ବିତୀୟ ମାନ୍ୟତାପ୍ରାପ୍ତ ନାଦାଲ ୪ ସେଟ୍‌ ସଂଘର୍ଷ ପରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ଙ୍କୁ ୬-୩, ୫-୭, ୬-୧ ଓ ୬-୧ ସେଟ୍‌ରେ ପରାସ୍ତ କରି ଫ୍ରେଞ୍ଚ୍‌ ଓପନ୍‌ ଟ୍ରଫି ବଜାୟ ରଖିଛନ୍ତି। ନାଦାଲ ମଧ୍ୟ ରୋଲାଁ ଗ୍ୟାରସ୍‌ରେ ୧୨ଥର ପାଇଁ ଫାଇନାଲ୍‌ ପ୍ରବେଶ କରି କୌଣସି ଗ୍ରାଣ୍ଡ୍‌ ସ୍ଲାମ୍‌ ଏକକ ବର୍ଗରେ ସର୍ବାଧିକ ଥର ଏଭଳି ସଫଳତାର କୀର୍ତି ବହନ କରିଥିଲେ। ଏକ୍ଷେତ୍ରରେ ସେ ଏଥର ତାଙ୍କ ସେମିଫାଇନାଲ୍‌ ପ୍ରତିଦ୍ବନ୍ଦ୍ବୀ ସ୍ବିଜରଲାଣ୍ଡ୍‌ ତାରକା ରୋଜର ଫେଡେରର୍‌ (୧୧)ଙ୍କୁ ଟପି ଯାଇଥିଲେ। ଏଠାରେ ନିଜର ଦ୍ବାଦଶ ଥର ଫାଇନାଲ୍‌ ପ୍ରବେଶକୁ ନାଦାଲ ମଧ୍ୟ ଟ୍ରଫି ହାସଲରେ ରୂପାନ୍ତର କରିଥିଲେ। ପୂର୍ବରୁ ୨୦୦୫, ୨୦୦୬, ୨୦୦୭ ଓ ୨୦୦୮ରେ କ୍ରମାଗତ ୪ ଥର ଟ୍ରଫି ଜିତିଥିବା ନାଦାଲ ପୁଣି ୨୦୧୦ରୁ ୨୦୧୪ ମଧ୍ୟରେ ୫ ଥର ଲଗାତାର ଟ୍ରଫି ଉପରେ କବ୍‌ଜା କରି କ୍ଲେ-କୋର୍ଟର ସମ୍ରାଟ୍‌ ଆଖ୍ୟା ହାତେଇଥିଲେ। ୨୦୦୪ରୁ ୨୦୧୪ ମଧ୍ୟରେ ସେ ଦୁଇଥର ହ୍ୟାଟ୍ରିକ୍‌ ଅର୍ଜନ କରିବା ପରେ ତୃତୀୟ ଥର ପାଇଁ ମଧ୍ୟ ହ୍ୟାଟ୍ରିକ୍‌ ପାଇଛନ୍ତି। ୨୦୧୭ ଓ ୨୦୧୮ରେ ଏଠାରେ ଜିତିବା ପରେ ଚଳିତ ୨୦୧୯ରେ ମଧ୍ୟ ଜିତି ଟ୍ରଫି ବଜାୟ ରଖିବା ସାଙ୍ଗକୁ ତୃତୀୟ ଥର ହ୍ୟାଟ୍ରିକ୍‌ ସଫଳତା ପାଇଛନ୍ତି। ଚଳିତ ଫ୍ରେଞ୍ଚ୍‌ ଓପନ୍‌ ଜିତିବା ପରେ ନାଦାଲଙ୍କ ମୋଟ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ସଂଖ୍ୟା ୧୮ରେ ପହଞ୍ଚିଯାଇଛି। ସେମଧ୍ୟରୁ କେବଳ ୧୨ ଥର ଫ୍ରେଞ୍ଚ୍‌ ଓପନ୍‌ ଜିତିଥିଲା ବେଳେ ୩ ଥର ୟୁଏସ୍‌ ଓପନ୍‌ (୨୦୧୦, ୨୦୧୩, ୨୦୧୭), ୨ ଥର ୱିମ୍ବିଲଡନ୍‌ (୨୦୦୮, ୨୦୧୦) ଏବଂ ଥରେ ଅଷ୍ଟ୍ରେଲୀୟ ଓପନ୍‌ (୨୦୦୯) ଟ୍ରଫି ନିଜ ପାଖରେ ରଖିଛନ୍ତି। ଅନ୍ୟପକ୍ଷରେ ନିଜର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ସନ୍ଧାନରେ ଥିବା ଥିମ୍‌ଙ୍କ ସ୍ବପ୍ନ ଅଧୁରା ରହିଗଲା। ଗ୍ରାଣ୍ଡ୍‌ ସ୍ଲାମ୍‌ରେ ଥିମ୍‌ଙ୍କ ଶ୍ରେଷ୍ଠ ପ୍ରଦର୍ଶନ ରୋଲାଁ ଗ୍ୟାରସ୍‌ରେ ରହିଛି। ଗତବର୍ଷ ସେ ମଧ୍ୟ ଏଥରର ପ୍ରତିଦ୍ବନ୍ଦ୍ବୀ ନାଦାଲଙ୍କଠୁ ହାରି ଫ୍ରେଞ୍ଚ୍‌ ଓପନ୍‌ ଉପବିଜେତା ହୋଇଥିଲେ।

ସମ୍ବନ୍ଧିତ ଖବର