ରୋମ୍‌: ରାଫେଲ୍ ନାଦାଲଙ୍କ ଗ୍ରାଣ୍ଡ୍ ସ୍ଲାମ୍ କୀର୍ତ୍ତିମାନ ପ୍ରତିଷ୍ଠା କରିବା ବାଟରେ ପ୍ରତିବଂଧକ ସାଜିଛନ୍ତି ନୋଭାକ ଜୋକୋଭିକ୍‌। ନାଦାଲ ଏବଂ ରୋଜର ଫେଡେରର୍‌ ପୁରୁଷ ବର୍ଗରେ ରେକର୍ଡ ୨୦ ଲେଖାଏଁ ଗ୍ରାଣ୍ଡ୍ ସ୍ଲାମ ଜିତିଥିବା ବେଳେ ଉଭୟଙ୍କ ଅଭିଯାନ ଶେଷ ହୋଇଯାଇଛି। ଏବେ ଜୋକୋଭିକ୍‌ ଉଭୟଙ୍କ ନିକଟତର ହେବା ସୁଯୋଗରେ ରହିଛନ୍ତି। ୧୯ତମ ଗ୍ରାଣ୍ଡ ସ୍ଲାମ୍ ଟାଇଟଲ୍ ପାଇଁ ଜୋକୋଭିକ୍‌ ଫାଇନାଲରେ ଗ୍ରିସ୍‌ର ଷ୍ଟିଫୋନୋସ ସିସିପାସଙ୍କୁ ଭେଟିବେ। ଶୁକ୍ରବାର ରାତିରେ ଅନୁଷ୍ଠିତ ଫ୍ରେଞ୍ଚ୍‌ ଓପନ୍‌ ପୁରୁଷ ଏକକ ଦ୍ବିତୀୟ ସେମିଫାଇନାଲରେ ସର୍ବିୟା ତାରକା ଜୋକୋଭିକ୍‌ ୩-୬, ୬-୩, ୭-୬ (୪), ୬-୨ରେ ସ୍ପାନିସ ତାରକା ରାଫେଲ ନାଦାଲଙ୍କୁ ହରାଇ ଦେଇଥିଲେ। ରେକର୍ଡକୁ ଆଗକୁ ନେଇ ୧୪ତମ ଫ୍ରେଞ୍ଚ୍‌ ଓପନ୍ ଜିତିବା ଲକ୍ଷ୍ୟରେ ଥିବା ନାଦାଲ ପ୍ରଥମ ସେଟ୍‌ ଜିତିବା ପରେ ବିଶ୍ବର ଏକ ନମ୍ବର ଜୋକୋଭିକଙ୍କ ଲୟ ଆଗରେ ହାର ମାନିଥିଲେ। ୩୫ ବର୍ଷୀୟ ନାଦାଲ ପ୍ୟାରିସ୍‌ର କ୍ଲେ କୋର୍ଟରେ ସଫଳତମ ଥିଲେ ମଧ୍ୟ ଆଉ ଏକ ମୁକୁଟଠାରୁ ଦୁଇ ପାଦ ପଛରେ ଅଟକିଯାଇଥିଲେ। ୨୦୧୫ କ୍ବାର୍ଟର ଫାଇନାଲ୍ ପରେ ପ୍ରଥମ ଥର ଫ୍ରେଞ୍ଚ୍‌ ଓପନ୍‌ରେ ନାଦାଲଙ୍କୁ ଜୋକୋଭିକ୍ ମଧ୍ୟ ହରାଇବା ଦେଖିବାକୁ ମଳିଥିଲା। ଏବେ ନିଜ ୧୯ତମ ଗ୍ରାଣ୍ଡ୍ ସ୍ଲାମ ମୁକୁଟ ପାଇଁ ଜୋକୋଭିକ୍‌ ପ୍ରଥମ ଥର ଫାଇନାଲିଷ୍ଟ ଷ୍ଟିଫାନୋ ସିସିପାସଙ୍କୁ ରବିବାର ଭେଟିବେ।

Advertisment

ଭାରତୀୟ କ୍ରିକେଟର୍‌ ନେଲେ ମଜା
ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଅନୁଷ୍ଠିତ ନୋଭାକ ଜୋକୋଭିକ୍-ରାଫେଲ୍ ନାଦାଲ୍‌ ଫ୍ରେଞ୍ଚ୍‌ ଓପନ୍‌ ସେମିଫାଇନାଲକୁ ଭାରତୀୟ କ୍ରିକେଟରମାନେ ଢେର ଉପଭୋଗ କରିଛନ୍ତି। ଅଧୁନିକ ଟେନିସ୍‌ର ଏହି ଦୁଇ ମହାନ ଖେଳାଳିଙ୍କ ଲଢ଼େଇକୁ ନେଇ ମଧ୍ୟ ମଜାଦାର ଟ୍ବିଟ୍‌ କରିଥିଲେ ଭାରତୀୟ କ୍ରିକେଟର୍‌। ନାଦାଲଙ୍କ ପରାଜୟକୁ ବିଶ୍ବାସ କରିପାରିନଥିଲେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ୱାସିମ୍ ଜାଫର। ‘ସେମିଫାଇନାଲରେ ନାଦାଲଙ୍କ ପରାଜୟ ଏକ ଥଟ୍ଟା ନିଶ୍ଚିତ’ ବୋଲି ଲେଖିଛନ୍ତି ଜାଫର। ‘ଏହା କେବଳ ଟେନିସ୍ ନୁହେଁ, ସର୍ବୋଚ୍ଚ ସ୍ତରର ଏହା ଏକ ମାନଦଣ୍ଡ’ ବୋଲି ଲେଖିଛନ୍ତି ରବିଚନ୍ଦ୍ରନ ଅଶ୍ବିନ୍‌। ତେବେ ଜୋକୋଭିକ୍‌ଙ୍କ ବିଜୟରେ ଖୁସି ହୋଇଛନ୍ତି ଭାରତୀୟ ଅଲରାଉଣ୍ଡର୍‌ ୱାସିଂଟନ୍ ସୁନ୍ଦର। ‘ତୀବ୍ରତା, ପ୍ରବଳ ଉତ୍ସାହ ପରେ ଅତ୍ୟନ୍ତ ଆନନ୍ଦ ମିଳିଛି’ ବୋଲି ସୁନ୍ଦର ଟ୍ବିଟ୍‌ କରିଛନ୍ତି। ଖେଳରେ ଯଦି ‘କିଛି ଛାଡ଼ିଦେବାର ନାହିଁ’ କଥାଟିରୁ କିଛି ଶିଖିବାର ଅଛି ତେବେ ଏହି ଦୁଇ ମହାନ ଟେନିସ୍‌ ଖେଳାଳିଙ୍କ ଲଢ଼େଇ ଦେଖିବାକୁ ଟିଭି ସୁଇଚ୍ ଅନ୍ କରନ୍ତୁ, ଶୋଇ ପଡିଥିଲେ ରିପ୍ଲେ ଦେଖିବାକୁ ଭୁଲନ୍ତୁ ନାହିଁ। କାରଣ ଏହି ଲଢେଇର ହାଇଲାଇଟ୍ସ ଦେଖିବା କ୍ବାଲିଟିର ବିଚାରଯୋଗ୍ୟ ହେବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି ଦୀନେଶ କାର୍ତ୍ତିକ।

ପ୍ରତିକ୍ରିୟା

‘‘ରୋଲାଁ ଗ୍ୟାରୋସ୍‌ରେ ଏହା ମୋର ଶ୍ରେଷ୍ଠ ମ୍ୟାଚ୍‌। ୧୫ ବର୍ଷର ଖେଳ ଜୀବନରେ ଏହା ଫ୍ରେଞ୍ଚ୍‌ ଓପନ୍‌ରେ ଶ୍ରେଷ୍ଠ ୩ ମ୍ୟାଚ୍‌ ମଧ୍ୟରେ ରହିବ। ‌ଫ୍ରେଞ୍ଚ୍‌ ଓପନ୍‌ରେ ତୃତୀୟ ଥର ପାଇଁ ନାଦାଲଙ୍କୁ ହରାଇଲି। ଏହି ରାତ୍ରୀକାଳୀନ ବିଜୟ କିନ୍ତୁ ମୋ ପାଇଁ ଚିରକାଳ ମନେ ରହିବ’’: ନୋଭାକ ‌ଜୋକୋଭିକ୍‌

‘‘ବର୍ଷର ଏହି ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତାରେ ହାରିବା ମୋତେ ଦୁଃଖ ଦେଇଛି। ତଥାପି ଜୀବନ ଆଗେଇବ, ଏହା ଗୋଟିଏ ଟେନିସ୍ ମ୍ୟାଚ୍‌ ମାତ୍ର। ମୁଁ ଅବଗତ ଥିଲି ଖେଳ ଜୀବନରେ ୧୫ କି ୧୬ ଥର ଗୋଟିଏ ପ୍ରତିଯୋଗିତା ଜିତାଯାଇନପାରେ। ଈଶ୍ବର କୃପା ରହିଲେ ଆସନ୍ତା ବର୍ଷ ଆସିବି ଏବଂ ଆଉ ଏକ ସୁଯୋଗ ଦେଖିବି’’: ରାଫେଲ୍ ନାଦାଲ୍