ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌: କ୍ବାର୍ଟର୍‌ରେ ନାଦାଲ, ଜୋକୋଭିକ, ଫେଡେରର୍‌, ହାଲେପ୍‌

ମିଶ୍ରିତ ଯୁଗଳରେ ପେସ୍‌, ବୋପାନ୍ନା ଆଗେଇଲେ

ମେଲ୍‌ବର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାର ପୁରୁଷ ଏକକ କ୍ବାର୍ଟର୍‌ ଫାଇନାଲ୍‌ରେ ବିଶ୍ବ ମାନ୍ୟତାର ପ୍ରଥମ ତିନି ସ୍ଥାନରେଥିବା ରାଫେଲ ନାଦାଲ, ନୋଭାକ ଜୋକୋଭିକ ଓ ରୋଜର ଫେଡେରର୍‌ ପ୍ରବେଶ କରିଛନ୍ତି। ପ୍ରିକ୍ବାର୍ଟର୍‌ ଫାଇନାଲ୍‌ରେ ସ୍ପେନ୍‌ର ନାଦାଲ ୬-୩, ୩-୬, ୭-୬, ୭-୬ ସେଟ୍‌ରେ ଅଷ୍ଟ୍ରେଲିଆର ନିକ୍‌ କିର୍ଗିସଙ୍କୁ, ସର୍ବିୟାର ଜୋକୋଭିକ ୬-୩, ୬-୪, ୬-୪ ସେଟ୍‌ରେ ଆର୍ଜେଣ୍ଟିନାର ଡିଏଗୋ ସୱର୍ଜମାନ୍‌ଙ୍କୁ, ସ୍ବିଜ୍‌ରଲାଣ୍ଡର ରୋଜର ‌ଫେଡେରର୍‌ ୪-୬, ୬-୧, ୬-୨, ୬-୨ ସେଟ୍‌ରେ ହଙ୍ଗେରିର ମାର୍ଟନ ଫୁକ୍‌‌ସୋଭିକ୍‌ଙ୍କୁ ପରାସ୍ତ କରିଥିଲେ। କ୍ବାର୍ଟର ଫାଇନାଲ୍‌ରେ ୧୯ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜେତା ନାଦାଲ ପଞ୍ଚମ ମାନ୍ୟତା ପ୍ରାପ୍ତ ଡୋମିନିକ୍‌ ଥିମ୍‌ଙ୍କୁ ଭେଟିବେ। ‌ପ୍ରିକ୍ବାର୍ଟର ଫାଇନାଲ୍‌ରେ ଅ‌ଷ୍ଟ୍ରିଆ ତାରକା ଥିମ୍‌ ୬-୨, ୬-୪, ୬-୪ ସେଟ୍‌ରେ ଦଶମ ମାନ୍ୟତାପ୍ରାପ୍ତ ଗେଲ୍‌ ମନ୍‌ଫିଲ୍ସଙ୍କୁ ହରାଇଥିଲେ। ୧୬ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜେତା ଜୋକୋଭିକ କାନାଡ଼ାର ମିଲୋସ ରାଓନିକ୍‌ଙ୍କୁ ଭେଟିବେ। ୩୨ ମାନ୍ୟତା ରାଓନିକ୍‌ ୬-୪, ୬-୩, ୭-୫ ସେଟ୍‌ରେ କ୍ରୋଏସିଆର ମାରିନ ସିଲିକ୍‌ଙ୍କୁ ମାତ୍‌ ଦେଇ କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ୨୦ ଗ୍ରାଣ୍ଡ୍ ସ୍ଲାମ୍‌ ବିଜେତା ଫେଡେରର୍‌ ସେମିଫାଇନାଲ୍‌ ସ୍ଥାନ ପାଇଁ ଆମେରିକାର ଟେନିଜ୍‌ ସାଣ୍ଡଗ୍ରେନ୍‌ଙ୍କ ସହ ଲଢ଼ିବେ। ସାଣ୍ଡଗ୍ରେନ୍‌ ୭-୬, ୭-୫, ୬-୭, ୬-୪ ସେଟ୍‌ରେ ଦ୍ବାଦଶ ମାନ୍ୟତାପ୍ରାପ୍ତ ଫାବିଓ ଫୋଗନିନିଙ୍କୁ ହରାଇଥିଲେ। ଅନ୍ୟ ଏକ କ୍ବାର୍ଟର ଫାଇନାଲ୍‌ରେ ଜର୍ମାନିର ଆଲେକ୍‌ଜାଣ୍ଡର ଜେରଭ ଓ ୩ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜେତା ସ୍ବିଜରଲାଣ୍ଡର ଷ୍ଟାନ୍‌ଲେସ୍‌ ୱ‌ାରିଙ୍କା ମୁହାଁମୁହିଁ ହେବେ। ପ୍ରିକ୍ବାର୍ଟର୍‌ ଫାଇନାଲ୍‌ରେ ସପ୍ତମ ମାନ୍ୟତାପ୍ରାପ୍ତ ଜେରଭ ୬-୪, ୬-୪, ୬-୪ ସେଟ୍‌ରେ ରୁଷିଆର ଆନ୍ଦ୍ରେ ରୁବଲେଭଙ୍କୁ ଏବଂ ୱାରିଙ୍କା ୬-୨, ୨-୬, ୪-୬, ୭-୬, ୬-୨ ସେଟ୍‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ରୁଷିଆର ଡାନିଲ ମେଦଭେଦେଭଙ୍କୁ ପରାସ୍ତ କରିଥିଲେ।

ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଆସ୍‌ଲେ ବାର୍ଟି, ଚତୁର୍ଥ ମାନ୍ୟତାପ୍ରାପ୍ତ ସିମୋନା ହାଲେପ, ସପ୍ତମ ମାନ୍ୟତାପ୍ରାପ୍ତ ପେଟ୍ରା କ୍ବିତୋଭା ସ୍ଥାନ ପକ୍କା କରିଛନ୍ତି। ଅଷ୍ଟ୍ରେଲିଆର ବାର୍ଟି ୬-୩, ୧-୬, ୬-୪ ସେଟ୍‌ରେ ଆମେରିକାର ଆଲିସାନ ରି‌ସ୍କେଙ୍କୁ, ରୋମାନିଆର ହାଲେପ ୬-୪, ୬-୪‌ ସେଟ୍‌ରେ ନିଜ ଦେଶର ଏଲିସ ମର୍ତେନ୍ସଙ୍କୁ ଓ ଚେକ୍‌ ଗଣରାଜ୍ୟର କ୍ବିତୋଭା ୭-୬, ୬-୩, ୬-୨ ସେଟ୍‌ରେ ଗ୍ରିସ୍‌ର ମାରିଆ ସାକାରିଙ୍କୁ ପରାସ୍ତ କରିଥିଲେ। ହେଲେ ପୂର୍ବତନ ଶୀର୍ଷମାନ୍ୟତା ଖେଳାଳି ଆଞ୍ଜେଲିକ୍‌ କର୍ବର ଓ ନବମ ମାନ୍ୟତାପ୍ରାପ୍ତ କିକି ବର୍ତେନ୍ସଙ୍କ ଅଭିଯାନ ପ୍ରିକ୍ବାର୍ଟର ଫାଇନାଲ୍‌ରେ ଶେଷ ହୋଇଯାଇଛି। ରୁଷିଆର ଆନାସ୍ତାସିଆ ପାଭ୍‌ଲୁଚେଙ୍କୋଭା ୬-୭, ୭-୬, ୬-୨ ସେଟ୍‌ରେ କର୍ବରଙ୍କୁ ଓ ଦୁଇଟି ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀ ସ୍ପେନ୍‌ର ଗାର୍ବିନୋ ମୁଗୁରୁଜା ୬-୩, ୬-୩ ସେଟ୍‌ରେ ବର୍ତେନ୍ସଙ୍କୁ ହରାଇ ବିଦାୟର ରାସ୍ତା ଦେଖାଇଥିଲେ। କ୍ବାର୍ଟର୍‌ରେ ପାଭ୍‌ଲୁଚେଙ୍କୋଭା ଓ ମୁଗୁରୁଜା ମୁହାଁମୁହିଁ ହେ‌ବାକୁ ଥିଲା ବେଳେ ବାର୍ଟିଙ୍କୁ ଭେଟିବେ କ୍ବିତୋଭା। ଅନ୍ୟ ଦୁଇ କ୍ବାର୍ଟର ଫାଇନାଲ୍‌ରେ ହାଲେପ ଓ ଇସ୍ତୋନିଆର ଆନେଟ୍‌ କୋଣ୍ଟାଭିଏତ ଏବଂ ତୁନିସିଆର ଓନ୍‌ସ ଜାବିଓର ଓ ଆମେରିକାର ସେଫିଆ କେନିନ ମୁହାଁମୁହିଁ ହେବେ। ପ୍ରିକ୍ବାର୍ଟର ଫାଇନାଲ୍‌ରେ କୋଣ୍ଟାଭିଏତ ୬-୭, ୭-୫, ୭-୫ ସେଟ୍‌ରେ ପୋଲାଣ୍ଡର ଇଗା ସ୍ବିତେକଙ୍କୁ, ଜାବିଓର ୭-୬, ୬-୧ ସେଟ୍‌ରେ ଚୀନ୍‌ର କ୍ବିଆଙ୍ଗ ୱାଙ୍ଗ୍‌ଙ୍କୁ ଏବଂ କେନିନ ୬-୭, ୬-୩, ୬-୦ ସେଟ୍‌ରେ ନିଜ ଦେଶର କୋକୋ ଗୌଫ୍‌ଙ୍କୁ ପରାସ୍ତ କରିଥିଲେ।

ମିଶ୍ରିତ ଯୁଗଳରେ ପେସ୍‌, ବୋପାନ୍ନା ଆଗେଇଲେ
ଭାରତୀୟ ଟେନିସ ତାରକା ଲିଆଣ୍ଡର ପେସ୍‌ ଓ ରୋହନ ବୋପାନ୍ନା ନିଜ ନିଜ ସାଥୀଙ୍କ ସହ ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ପ୍ରତିଯୋଗିତାରେ ଆଗକୁ ବଢ଼ିଛନ୍ତି। ଲାଟଭିଆର ଜେଲିନା ଓସ୍ତାପେଙ୍କୋଙ୍କୁ ସାଥୀ କରି ଖେଳୁଥିବା ପେସ୍‌ ପ୍ରଥମ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଯୋଡ଼ି ଷ୍ଟ୍ରମ ସାଣ୍ଡର୍ସ ଓ ମାର୍କ ପୋଲ୍‌ମାନ୍ସଙ୍କୁ ୬-୭, ୬-୩, ୧୦-୪ ସେଟ୍‌ରେ ହରାଇ ଦେଇଥିଲେ। ଏହି ଭାରତ-ଲାଟଭିଆ ଯୋଡ଼ି ଦ୍ବିତୀୟ ପର୍ଯ୍ୟାୟରେ ବ୍ରିଟେନ୍‌-ଆମେରିକା ଯୋଡ଼ି ଜାମି ମୁରେ ଓ ବେଥାନି ମା‌ତିକ-ସାଣ୍ଡ୍ସଙ୍କୁ ଭେଟିବେ। ୟୁକ୍ରେନ୍‌ର ନାଦିଆ କିଚେନକ ସାଥୀ କରି ଖେଳୁଥିବା ବୋପାନ୍ନା ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୟୁକ୍ରେନ୍‌-ଭାରତ ଯୋଡ଼ି ଦ୍ବିତୀୟ ପର୍ଯ୍ୟାୟ ମୁକାବିଲାରେ ୬-୪, ୭-୬ ସେଟ୍‌ରେ ଆମେରିକା-ବ୍ରାଜିଲର ନିକୋଲେ ମେଲିଚର ଓ ବ୍ରୁ‌ନୋ ସୌରେସଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର