କ୍ବାର୍ଟର୍‌ରେ ନାଦାଲ: ଭେରେଭ ବିଦା

ନ୍ୟୁୟର୍କ: ଚଳିତ ୟୁଏସ୍ ଓପନ୍‌ ‌ଟେନିସ୍‌ ପ୍ରତିଯୋଗିତାର ପୁରୁଷ ଏକକ କ୍ବାର୍ଟର ଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ସ୍ପେନ୍‌ ତାରକା ରାଫେଲ୍‌ ନାଦାଲ୍‌ ସ୍ଥାନ ପକ୍କା କରିଥିଲା ବେଳେ ଷଷ୍ଠ ମାନ୍ୟତାପ୍ରାପ୍ତ ଜର୍ମାନି ଖେଳାଳି ଆଲେକ୍‌ଜାଣ୍ଡର ଭେରେଭଙ୍କ ଅଭିଯାନ ଶେଷ ହୋଇଛି। ୧୮ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ନାଦାଲ ପ୍ରି-କ୍ବାର୍ଟର ଫାଇନାଲ୍‌ରେ ୬-୩, ୩-୬, ୬-୧, ୬-୨ ସେଟ୍‌ରେ କ୍ରୋଏସିଆର ମାରିନ ସିଲିକଙ୍କୁ ପରାସ୍ତ କରିଥିଲେ। ଏଠାରେ ଚାରିଥର ଟ୍ରଫି ଜିତିବାର ସୌଭାଗ୍ୟ ପାଇଥିବା ନାଦାଲ୍‌ ୨୨ ମାନ୍ୟତାପ୍ରାପ୍ତ ସିଲିକଙ୍କ ବିପକ୍ଷ ଏହି ମ୍ୟାଚ୍‌ର ପ୍ରଥମ ସେଟ୍‌ ହାରିଯାଇଥିଲେ। ହେଲେ ସେ ପରବର୍ତୀ ତିନି ସେଟ୍‌କୁ ଜିତି ‌ପଞ୍ଚମ ୟୁଏସ୍‌ ଓପନ୍‌ ଟ୍ରଫି କରାୟତ କରିବା ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଥିଲେ। କ୍ବାର୍ଟର୍‌ ‌ଫାଇନାଲ୍‌ରେ ‌ସେ ବିଂଶ ମାନ୍ୟତାପ୍ରାପ୍ତ ଆର୍ଜେଣ୍ଟିନା ଖେଳାଳି ଡିଏଗୋ ସ୍ବାର୍ଜମ୍ୟାନ୍‌ଙ୍କୁ ଭେଟିବେ। ପ୍ରି-କ୍ବାର୍ଟର ଫାଇନାଲ୍‌ରେ ସ୍ବାର୍ଜମ୍ୟାନ୍‌ ୩-୬, ୬-୨, ୬-୪, ୬-୩ ସେଟ୍‌ରେ ଭେରେଭ୍‌ଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଥିଲେ। ଏହି ବିଜୟ ଫଳରେ ସ୍ବାର୍ଜମ୍ୟାନ୍‌ ଦ୍ବିତୀୟ ଥର ଲାଗି ୟୁଏସ୍‌ କ୍ବାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିଥିଲେ। ତ୍ର‌ୟୋଦଶ ମାନ୍ୟତାପ୍ରାପ୍ତ ‌ଫ୍ରାନ୍ସର ଗେଲ୍‌ ମନ୍‌ଫିଲ୍ସ ୬-୧, ୬-୨, ୬-୨ ସେଟ୍‌ରେ ସ୍ପେନ୍‌ର ପାବ୍‌ଲୋ ଆନ୍ଦୁଜାରଙ୍କୁ ପରାସ୍ତ କରି କ୍ବାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲେ। କ୍ବାର୍ଟର୍‌ ଫାଇନାଲ୍‌ରେ ତାଙ୍କ ଭେଟ ୨୪ ମାନ୍ୟତାପ୍ରାପ୍ତ ମାତିଓ ବେରେତିନିଙ୍କ ସହ ହେବ। ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ଇଟାଲି ତାରକା ବେରେତିନି ୬-୧, ୬-୪, ୭-୬ ସେଟ୍‌ରେ ରୁଷିଆର ଆନ୍ଦ୍ରେ ରୁବଲେଭଙ୍କୁ ହରାଇଥିଲେ।

ପଞ୍ଚମ ମାନ୍ୟତାପ୍ରାପ୍ତ ମହିଳା ତାରକା ଏଲିନା ସ୍ବିତୋଲିନା ଚଳିତ ୟୁଏସ୍‌ ଓପନ୍‌ର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ‌ମଙ୍ଗଳବାର କ୍ବାର୍ଟର୍‌ ଫାଇନାଲ୍‌ରେ ଏହି ୟୁକ୍ରେନ୍‌ ଲଳନା ସିଧାସଳଖ ୬-୪, ୬-୪ ସେଟ୍‌ରେ ଷୋଡ଼ଶ ମାନ୍ୟତାପ୍ରାପ୍ତ ବ୍ରିଟେନ୍‌ର ଜୋହନା କୋଣ୍ଟାଙ୍କୁ ପରାସ୍ତ କରି ପ୍ରଥମ ଥର ଲାଗି ୟୁଏସ୍‌ ଓପନ୍‌ର ସେମିଫାଇନାଲ୍‌ ପହଞ୍ଚିବାର ଗୌରବ ପାଇଥିଲେ। ପୂର୍ବରୁ ଖେଳାଯାଇଥିବା ପ୍ରି-କ୍ବାର୍ଟର ଫାଇନାଲ୍‌ରେ ବେଲ୍‌ଜିୟମର ଏଲାଇଜ୍‌ ‌ମର୍ତେନ୍ସ ୬-୧, ୬-୧ ସେଟ୍‌ରେ ଆମେରିକାର କ୍ରିଷ୍ଟି ଆହନ୍ସଙ୍କୁ ପରାସ୍ତ କରିଥିଲେ। କ୍ବାର୍ଟର ଫାଇନାଲ୍‌ରେ ୨୫ ମାନ୍ୟତାପ୍ରାପ୍ତ ମର୍ତେନ୍ସ କାନାଡ଼ାର ବିନ୍‌କା ଆ‌ନ୍ଦ୍ରିସ୍କୁଙ୍କୁ ଭେଟିବେ। ପଞ୍ଚଦଶ ମାନ୍ୟତାପ୍ରାପ୍ତ ଆନ୍ଦ୍ରିସ୍କୁ ୬-୧, ୪-୬, ୬-୨ ସେଟ୍‌ରେ ଟେଲର ଟାଉନ୍‌ସେଣ୍ଡଙ୍କୁ ହରାଇ ପ୍ରଥମ ଥର ଲାଗି ୟୁଏସ୍‌ ଓପନ୍‌ କ୍ବାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର