ସେମିରେ ନାଦାଲ, ପ୍ରଥମ ଥର ‌ସେମିରେ ବେନ୍‌ସିକ୍‌ ଓ ଆନ୍ଦ୍ରିସ୍କୁ

ନ୍ୟୁୟର୍କ: ୩ ଥର ବିଜେତା ରାଫେଲ ନାଦାଲ ଚଳିତ ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ ପୁରୁଷ ଏକକ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ବୁଧବାର ରାତିରେ ଏହି ଦ୍ବିତୀୟ ମାନ୍ୟତାପ୍ରାପ୍ତ ସ୍ପେନ୍‌ ତାରକା ସିଧାସଳଖ ୬-୪, ୭-୫ ଓ ୬-୨ ସେଟ୍‌ରେ ବିଂଶ ମାନ୍ୟତାପ୍ରାପ୍ତ ଆର୍ଜେଣ୍ଟିନାର ଡିଏଗୋ ସ୍ବାର୍ଜମାନ୍‌ଙ୍କୁ ପରାସ୍ତ କରିଛନ୍ତି। ପୂର୍ବ ରାଉଣ୍ଡରେ ଷଷ୍ଠ ମାନ୍ୟତାପ୍ରାପ୍ତ ଆଲେକ୍‌ଜାଣ୍ଡର ଭେରେଭ୍‌ଙ୍କୁ ପରାସ୍ତ କରି ୨୫ ବର୍ଷ ମଧ୍ୟରେ ସବୁଠୁ ଗେଡ଼ା (୫’୭” ଉଚ୍ଚତା) ଖେଳାଳି ଭାବେ ୟୁଏସ୍‌ ଓପନ୍‌ କ୍ବାର୍ଟର ଫାଇନାଲ୍‌ ପ୍ରବେଶ କରିଥିବା ସ୍ବାର୍ଜମାନ୍‌ ନାଦାଲଙ୍କଠୁ କିନ୍ତୁ ହାର୍‌ ମାନିଥିଲେ। ସେମିଫାଇନାଲ୍‌ରେ ତାଙ୍କର ମୁକାବିଲା ୨୪ ମାନ୍ୟତାପ୍ରାପ୍ତ ଇଟାଲି ତାରକା ମାଟିଓ ବେରେଟିନିଙ୍କ ସହ ହେବ। ବୁଧବାରର ଅନ୍ୟ ଏକ ସଂଘର୍ଷପୂର୍ଣ୍ଣ କ୍ବାର୍ଟର ଫାଇନାଲ୍‌ରେ ବେରେଟିନି ୩-୬, ୬-୩, ୬-୨, ୩-୬ ଓ ୭-୬ ଟାଇବ୍ରେକର୍‌ ସେଟ୍‌ରେ ତ୍ରୟୋଦଶ ମାନ୍ୟତାପ୍ରପ୍ତ ଫ୍ରାନ୍‌ସ ତାରକା ଗେଲ୍‌ ମୋନ୍‌ଫିଲ୍‌ସଙ୍କୁ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଥିଲେ। ତେବେ ତୃତୀୟ ମାନ୍ୟତାପ୍ରାପ୍ତ ରୋଜର ଫେଡେରର୍‌ ଏବଂ ଶୀର୍ଷ ମାନ୍ୟତାପ୍ରାପ୍ତ ତଥା ୨୦୧୮ ବିଜେତା ନୋଭାକ୍‌ ଜୋକୋଭିକ୍‌ କ୍ବାର୍ଟର ଫାଇନାଲ୍‌ରୁ ହିଁ ବିଦାୟ ନେଇସାରିଥିବାରୁ ନାଦାଲଙ୍କ ପାଇଁ ଚତୁର୍ଥ ଥର ୟୁଏସ୍‌ ଓପନ୍‌ ମୁକୁଟ ଜିତିବାର ସୁଯୋଗ ଆସିଯାଇଛି।

ପ୍ରଥମ ଥର ‌ସେମିରେ ବେନ୍‌ସିକ୍‌ ଓ ଆନ୍ଦ୍ରିସ୍କୁ
ଚଳିତ ୟୁଏସ୍‌ ଓପନ୍‌ ମହିଳା ଏକକରେ ଆମେରିକାର ସେରେନା ୱିଲିୟମ୍‌ସ ଏବଂ ଈଲିନା ସ୍ବିତୋଲିନାଙ୍କ ପରେ ସ୍ବିଜରଲାଣ୍ଡ୍‌ର ବେଲିନ୍ଦା ବେନ୍‌ସିକ୍‌ ଓ କାନାଡାର ବିଅଙ୍କା ଆନ୍ଦ୍ରିସ୍ବୁ ଏହି ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ବୁଧବାର ଖେଳାଯାଇଥିବା ଦୁଇଟି କ୍ବାର୍ଟର ଫାଇନାଲ୍‌କୁ ଜିତି ଉଭୟେ ବେନ୍‌ସିକ୍‌ ଓ ଆନ୍ଦ୍ରିସ୍କୁ ନିଜ ନିଜ ଜୀବନରେ ପ୍ରଥମ ଥର ଲାଗି ଗ୍ରାଣ୍ଡ୍‌ସ୍ଲାମ୍‌ ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଛନ୍ତି। ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ତ୍ରୟୋଦଶ ମାନ୍ୟତାପ୍ରାପ୍ତ ବେନ୍‌ସିକ୍‌ ସିଧାସଳଖ ୭-୬ ଓ ୬-୩ ସେଟ୍‌ରେ ୨୩ତମ ମାନ୍ୟତାପ୍ରାପ୍ତ କ୍ରୋଏସିଆର ଡୋନା ଭେକିକ୍‌ଙ୍କୁ ପରାସ୍ତ କରିଦେଇଥିଲା ବେଳେ ପଞ୍ଚଦଶ ମାନ୍ୟତାପ୍ରାପ୍ତ ଆ‌ନ୍ଦ୍ରିସ୍କୁ ୩-୬, ୬-୨ ଓ ୬-୩ ସେଟ୍‌ରେ ୨୫ ମାନ୍ୟ‌ତାପ୍ରାପ୍ତ ବେଲ୍‌ଜିୟମ୍‌ର ଏଲିସେ ମର୍ତେନ୍‌ସଙ୍କୁ ପରାସ୍ତ କରିଥିଲେ। ଏଥି ସହିତ ୧୯ ବର୍ଷ ବୟସ୍କା ଆନ୍ଦ୍ରିସ୍କୁ ମଧ୍ୟ ୨୦୦୯ ପରଠୁ ପ୍ରଥମ ଯୁବା ଖେଳାଳି ଭାବେ ୟୁଏସ୍‌ ଓପନ୍‌ ସେମିଫାଇନାଲ୍‌ ପ୍ରବେଶ କରିବାର ଗୌରବ ବହନ କରିଛନ୍ତି। ଏବେ ଦ୍ବିତୀୟ ସେମିଫାଇନାଲ୍‌ରେ ବେନ୍‌ସିକ୍‌ ଓ ଆନ୍ଦ୍ରିସ୍କୁ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର