ସେମିରେ ସିସିପାସ୍‌-ନାଦାଲ, କ୍ବିତୋଭା-କଲିନ୍ସ

ମେଲ୍‌ବର୍ନ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଏକକ ସେମିଫାଇନାଲ୍‌ରେ ରୋଜର ଫେଡେରର୍‌ଙ୍କୁ ବିଦାୟ ରାସ୍ତା ଦେଖାଇଥିବା ଗ୍ରିସ୍‌ର ୨୦ ବର୍ଷୀୟ ଯୁବକ ଷ୍ଟିଫାନୋସ ସିସିପାସ୍‌ଙ୍କୁ ଭେଟିବେ ସ୍ପେନ୍‌ ତାରକା ରାଫେଲ୍‌ ନାଦାଲ୍‌। ସେହିପରି ମହିଳା ଏକକରେ ଦ୍ବିତୀୟ ମାନ୍ୟତା ଜର୍ମାନିର ଆଞ୍ଜେଲିକ୍‌ କର୍ବର୍‌ଙ୍କୁ ମାତ୍‌ ଦେଇଥିବା ଆମେରିକା ଡାନିଏଲ୍‌ ରୋଜ୍‌ କଲିନ୍‌ ଅଷ୍ଟମ ମାନ୍ୟତା ପେଟ୍ରା ‌କ୍ବିତୋଭାଙ୍କୁ ଭେଟିବେ। ମଙ୍ଗଳବାର ପୁରୁଷ ଏକକ କ୍ବାର୍ଟର୍‌ ଫାଇନାଲ୍‌ରେ ଚତୁର୍ଦଶ ମାନ୍ୟତା ସିସିପାସ ୭-୫, ୪-୬, ୬-୪, ୭-୬ ସେଟ୍‌ରେ ଦ୍ବିବିଂଶ ମନ୍ୟତା ସ୍ପେନ୍‌ର ରବର୍ଟୋ ବତିସ୍ତା ଅଗୁଟ୍‌ଙ୍କୁ ପରାସ୍ତ କରିଥିଲେ। ବିଜୟ ସହ ଏହି ୨୦ ବର୍ଷ ବୟସ୍କ ଗ୍ରିକ୍‌ ଯୁବକ ସବୁଠୁ କନିଷ୍ଠ ଖେଳାଳି ଭା‌ବେ ଅଷ୍ଟ୍ରଲିଆନ୍‌ ଓପନ୍‌ ସେମିଫାଇନାଲ୍‌ରେ ପହଞ୍ଚିବାର ଦ୍ବିତୀୟ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ୨୦୦୩ରେ ଆମେରିକାର ଆଣ୍ଡି ରୋଡିକ୍‌ ମଧ୍ୟ ସମାନ ୨୦ ବର୍ଷ ବୟସରେ ଏଠାରେ ସେମିଫାଇନାଲ୍‌‌ ଖେଳିଥିଲେ। ସିସିପାସ ମଧ୍ୟ ପ୍ରଥମ ଥର ଲାଗି ଗ୍ରାଣ୍ଡ୍‌ ସ୍ଲାମ୍‌ ସେମିଫାଇନାଲ୍‌ ଖେଳିବାର ଗୌରବ ପାଇଛନ୍ତି। ଅନ୍ୟ ଏକ କ୍ବାର୍ଟର୍‌ ଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତା ନାଦାଲ୍‌ ସିଧସଳଖ ୬-୩, ୬-୪, ୬-୨ ସେଟ୍‌ରେ ଆମେରିକାର ଫ୍ରାନ୍‌ସିସ୍‌ ତିଆଫୋଏଙ୍କୁ ହରାଇ ଅଷ୍ଟାଦଶ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ହାତେଇବା ଦିଗରେ ଆଉ ଗୋଟେ ପାଦ ଆଗକୁ ବଢ଼ିଛନ୍ତି। ସେହିପରି ମହିଳା ଏକକରେ ଅଣମାନ୍ୟତା କଲିନ୍‌ ୨-୬, ୭-୫, ୬-୧ ସେଟ୍‌ରେ ରୁଷିଆର ଆନାସ୍ତେସିଆ ପାଭ୍‌ଲ୍ୟୁଚେଙ୍କୋଭାଙ୍କୁ ପରାସ୍ତ କରିଥିଲେ। ଦୁଇ ଥର ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ଚେକ୍‌ ଗଣରାଜ୍ୟର କ୍ବିତୋଭା ସିଧ‌ାସଳଖ ୬-୧, ୬-୪ ସେଟ୍‌ରେ ପଞ୍ଚଦଶ ମାନ୍ୟତା ଅଷ୍ଟ୍ରେଲିଆର ଆସ୍‌ଲେ ବାର୍ତିଙ୍କୁ ପରାଜିତ କରିଥି‌ଲେ। ଏଥି ସହିତ ଦୁଇ ଥର ୱିମ୍ବିଲଡନ୍‌ ବିଜୟିନୀ କ୍ବିତୋଭା ଦ୍ବିତୀୟ ଥର ଲାଗି ଅଷ୍ଟ୍ରେଲିଆନ୍‌ ଓପନ୍‌ ମହିଳା ଏକକ ସେମିଫାଇନାଲ୍‌ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତ। ଏହା ପୂର୍ବରୁ ଶେଷ ଥର ପାଇଁ କ୍ବିତୋଭା ୨୦୧୨ରେ ମେଲ୍‌ବର୍ନ ପାର୍କରେ ସେମିଫାଇନାଲ୍‌ ଖେଳିଥିଲେ। ଏଥର ତାଙ୍କ ସେମିଫାଇନାଲ୍‌ ପ୍ରତିଦ୍ବନ୍ଦ୍ବୀ ତଥା ୨୫ ବର୍ଷ ବୟସ୍କା କଲିନ୍‌ ପ୍ରଥମ ଥର ଲାଗି ଗ୍ରାଣ୍ଡ୍‌ ସ୍ଲାମ୍‌ ସେମିରେ ପ୍ରବେଶ କରିଛନ୍ତି।

ଭାରତର ଅଭିଯାନ ଶେଷ
ଅଷ୍ଟ୍ରେଲିଆ ଓପନ୍‌ ‌ଟେନିସ୍‌ ପ୍ରତିଯୋଗିତାରେ ମଙ୍ଗଳବାର ଭାରତର ଅଭିଯାନ ଶେଷ ହୋଇଛି। ଶେଷ ଭାରତୀୟ ଭାବେ ମେଲ୍‌ବର୍ନରେ ତିଷ୍ଠି ରହିଥିବା ପୁରୁଖା ଲିଆଣ୍ଡର ପେସ୍‌ ମିଶ୍ରିତ ‌ଯୁଗଳରେ ହାରିଯାଇଛନ୍ତି। ଅଷ୍ଟ୍ରେଲିଆର ସାମନ୍ଥା ସ୍ତୋସୁରଙ୍କୁ ସାଥୀ କରି ଖେଳୁଥିବା ‌ପେସ୍‌ ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ୬-୪, ୪-୬, ୮-୧୦ ସେଟ୍‌ରେ ପଞ୍ଚମ ମାନ୍ୟତା ଜର୍ମାନି-କଲମ୍ବିଆ ଯୋଡ଼ି ଆନ୍ନାଲିନା ଗ୍ରୋଏନ୍‌ଫିଲ୍‌ଡଙ୍କଠୁ ହାରି ଯାଇଥିଲେ। ପ୍ରଥମ ପର୍ଯ୍ୟାୟରେ ଭାରତ-ଅଷ୍ଟ୍ରେଲିଆ ଯୋଡ଼ି ନେଦରଲାଣ୍ଡ୍‌-ଚେକ୍‌ ଗଣରାଜ୍ୟ ଯୋଡ଼ି ୱିସ୍‌ଲେ କୁଲୋଫ୍‌ ଓ କ୍ବିତା ପେଶ୍ଚକେଙ୍କୁ ହରାଇ ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିଥିଲେ। ହେଲେ ପୁରୁଷ ଯୁଗଳରେ ୪୫ ବର୍ଷୀୟ ପେସ୍‌ ଓ ତାଙ୍କ ସାଥୀ ମେକ୍ସିକୋର ମିଗୁଏଲ୍‌ ଆଞ୍ଜେଲ ରିଜ୍‌-ଭାରିଲା ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲେ। ସେହିଭଳି ଜୀବନ ନେଦୁଚେଝିଆନ୍‌ ଓ ତାଙ୍କ ସାଥୀ ନିକୋଲାସ ମୋନ୍‌ରୋଏ ମଧ୍ୟ ଆରମ୍ଭରୁ ବିଦା ହୋଇଥିଲେ। ପୁରୁଷ ଏକକରେ ପ୍ରଜ୍ଞେଶ ଗୁ‌ଶେଶ୍ବରନ୍‌ ପ୍ରଥମ ପର୍ଯ୍ୟାୟରୁ ଏବଂ ରାମକୁମାର ରାମନାଥନ, ଅଙ୍କିତା ରାଇନା ଓ କର୍ମାନ ଥାଣ୍ଡି ମୁଖ୍ୟ ପର୍ଯ୍ୟାୟରେ ସ୍ଥାନ ପାଇବାରେ ବିଫଳ ହୋଇଥିଲେ।

ସମ୍ବନ୍ଧିତ ଖବର