ମେଲ୍‌ବର୍ଣ୍ଣ : ଦ୍ବିତୀୟ ମାନ୍ୟତାପ୍ରାପ୍ତ ରାଫେଲ ନାଦାଲ ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ପ୍ରତିଯୋଗିତାର କ୍ବାର୍ଟର୍‌ ଫାଇନାଲ୍‌ରେ ସ୍ଥାନ ପକ୍କା କରିବା ସହ କୀର୍ତ୍ତିମାନ ଭରା ୨୧ତମ ଗ୍ରାଣ୍ଡ ସ୍ଲମ୍‌ ଦିଗରେ ଆଉ ଏକ ପାଦ ଆଗକୁ ବଢ଼ାଇଛନ୍ତି‌। ସୋମବାର ପ୍ରିକ୍ବାର୍ଟର ଫାଇନାଲ୍‌ରେ ଏହି ‌ସ୍ପେନ୍‌ ତାରକା ୬-୩, ୬-୪, ୬-୨ ‌‌ସେଟ୍‌ରେ ଷୋଡ଼ଶ ମାନ୍ୟତାପ୍ରାପ୍ତ ଇଟାଲିର ଫାବିଓ ଫୋଗନିନିଙ୍କୁ ପରାସ୍ତ କରି ୪୩ ଥର ଲାଗି ଗ୍ରାଣ୍ଡ ସ୍ଲାମ୍‌ କ୍ବାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ‌କ୍ବାର୍ଟରରେ ସେ ପଞ୍ଚମ ମାନ୍ୟତାପ୍ରାପ୍ତ ଷ୍ଟିଫାନସ ସିସିପାସ୍‌ଙ୍କୁ ଭେଟି‌ବେ। ପେଟ ଯନ୍ତ୍ରଣା ଯୋଗୁଁ ନବମ ମାନ୍ୟତାପ୍ରାପ୍ତ ଇଟାଲି ମାତିଓ ବେରେତିନି ପ୍ରିକ୍ବାର୍ଟର ଫାଇନାଲ୍‌ରୁ ଓହରି ଯିବାରୁ ତାଙ୍କ ବିପକ୍ଷ ଖେଳାଳି ଗ୍ରିକ୍‌ର ସିସିପାସ ବିନାବାଧା‌ରେ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ। ‌ଏମାନଙ୍କ ଛଡ଼ା ରୁଷିଆର ଦୁଇ ଖେଳାଳି ଡାନିଲ ମେଦଭେଦବ ଓ ଆନ୍ଦ୍ରେ ରୁବଲେଭ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲେ। କ୍ବାର୍ଟରରେ ମଧ୍ୟ ଏହି ଦୁଇ ଖେଳାଳି ମୁହାଁମୁହିଁ ହେବେ। ଚତୁର୍ଥ ମାନ୍ୟତାପ୍ରାପ୍ତ ମେଦଭେଦବ ୬-୪, ୬-୨, ୬-୩ ସେଟ୍‌ରେ ଆମେରିକାର ମାକେଞ୍ଜି ମ୍ୟାକ୍‌ଡୋନାଲ୍‌ଡଙ୍କୁ ହରାଇଥିଲେ। ତେବେ ସପ୍ତମ ମାନ୍ୟତାପ୍ରାପ୍ତ ରୁବଲେଭ ୬-୨, ୭-୬ରେ ଆଗୁଆ ଥିଲା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ନରୱେର କାସ୍‌ପର ରୁଡ ଓହରି ଯିବାରୁ ସେ କ୍ବାର୍ଟରରେ ପ୍ରବେଶ କରିଥିଲେ।

Advertisment

ବାର୍ଟିଙ୍କ ବିଜୟ ଜାରି; ସ୍ବିତୋଲିନା ବିଦା
ଶୀର୍ଷ ମାନ୍ୟତାପ୍ରାପ୍ତ ଆସ୍‌ଲେ ବାର୍ଟି ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ବାର୍ଟର ଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛନ୍ତି। ମହିଳା ଏକକ ପ୍ରିକ୍ବାର୍ଟର ଫାଇନାଲ୍‌ରେ ଏହି ସ୍ଥାନୀୟ ତାରକା ସିଧାସଳଖ ୬-୩, ୬-୪ ସେଟ୍‌ରେ ଆମେରିକାର ଅଣମାନ୍ୟତା ଖେଳାଳି ‌ସେଲ୍‌ବି ରୋଜର୍ସଙ୍କୁ ହରାଇଥିଲେ। ଫ୍ରେଞ୍ଚ ଓପନ୍‌ (୨୦୧୯) ବିଜୟିନୀ ବାର୍ଟି କ୍ବାର୍ଟରରେ ୨୫ ମାନ୍ୟତାପ୍ରାପ୍ତ କାରୋଲିନା ମୁଚୋଭାଙ୍କୁ ଭେଟିବେ। ଚେକ୍‌ଗଣରାଜ୍ୟର ମୁଚୋଭା ୭-୬, ୭-୫ ସେଟ୍‌ରେ ଅଷ୍ଟାଦଶ ମାନ୍ୟତାପ୍ରାପ୍ତ ଜର୍ମାନିର ଏଲିସ ମର୍ତେନ୍ସଙ୍କୁ ପରାସ୍ତ କରିଥିଲେ। ‌ତେବେ ପଞ୍ଚମ ମାନ୍ୟତାପ୍ରାପ୍ତ ଏଲିନା ସ୍ବିତୋଲିନାଙ୍କ ଅଭିଯାନ ଶେଷ ହୋଇଛି। ଆମେରିକାର ଜେସିକା ପେଗୁଲା ୬-୪, ୩-୬, ୬-୩ ସେଟ୍‌ରେ ସ୍ବିତୋଲିନାଙ୍କୁ ହରାଇ ବିଦାୟର ରାସ୍ତା ଦେଖାଇଥିଲେ। ପେଗୁଲା କ୍ବାର୍ଟର ଫାଇନାଲ୍‌ରେ ନିଜ ଦେଶର ଜେନଫର ବ୍ରାଡିଙ୍କୁ ଭେଟିବେ। ‌୨୨ ମାନ୍ୟତାପ୍ରାପ୍ତ ବ୍ରାଡି ୬-୧, ୭-୫ ସେଟ୍‌ରେ କ୍ରୋଏସିଆର ଡୋନା ଭେକିକଙ୍କୁ ମାତ୍‌ ଦେଇଥିଲେ।