ମେଲ୍ବର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ବୁଧବାର ଖେଳାଯାଇଥିବା କ୍ବାର୍ଟର ଫାଇନାଲ୍ରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ମହିଳା ଏକକରେ ଶୀର୍ଷ ମାନ୍ୟତାପ୍ରାପ୍ତ ଆସ୍ଲେ ବାର୍ଟି ଏବଂ ପୁରୁଷ ବର୍ଗ ଦ୍ବିତୀୟ ମାନ୍ୟତାପ୍ରାପ୍ତ ରାଫେଲ ନାଦାଲ ବିଦାୟ ନେଇଛନ୍ତି। ମହିଳା କ୍ବାର୍ଟର ଫାଇନାଲ୍ରେ ସ୍ଥାନୀୟ ତାରକା ବାର୍ଟିଙ୍କୁ ଚେକ୍ଗଣରାଜ୍ୟର କାରୋଲିନା ମୁକୋଭା ଏବଂ ସ୍ପେନ୍ ତାରକା ନାଦାଲଙ୍କୁ ପଞ୍ଚମ ମାନ୍ୟତାପ୍ରାପ୍ତ ଷ୍ଟିଫାନସ ସିସିପାସ୍ ହରାଇ ବିଦାୟ ରାସ୍ତା ଦେଖାଇଥିଲେ।
୨୫ ମାନ୍ୟତାପ୍ରାପ୍ତ ମୁକୋଭା ୧-୬, ୬-୩, ୬-୨ ସେଟ୍ରେ ବାର୍ଟିଙ୍କୁ ମାତ୍ ଦେଇ ସମସ୍ତଙ୍କୁ ଚକିତ କରିବା ସହ ପ୍ରଥମ ଥର ଲାଗି ଗ୍ରାଣ୍ଡ୍ ସ୍ଲାମ୍ ସେମିଫାଇନାଲ୍ ସ୍ଥାନ ପକ୍କା କରିଥିଲେ। ଏହି ପରାଜୟ ଫଳରେ ବାର୍ଟିଙ୍କ ଘରୋଇ ମାଟିରେ ୧୯୭୮ ପରେ ପ୍ରଥମ ଅଷ୍ଟ୍ରେଲୀୟ ଭାବେ ଟ୍ରଫି ଜିତିବାର ସ୍ବପ୍ନ ଭାଙ୍ଗିଯାଇଛି। ସେମିଫାଇନାଲ୍ରେ ମୁକୋଭାଙ୍କ ମୁକାବିଲା ଆମେରିକାର ଜେନଫର ବ୍ରାଡିଙ୍କ ସହ ହେବ। ୨୨ ମାନ୍ୟତାପ୍ରାପ୍ତ ବ୍ରାଡି ୪-୬, ୬-୨, ୬-୧ ସେଟ୍ରେ ନିଜ ଦେଶର ଜେସିକା ପେଗୁଲାଙ୍କୁ ପରାସ୍ତ କରିଥିଲେ। ବ୍ରାଡିଙ୍କ ଏହା ଦ୍ବିତୀୟ ଗ୍ରାଣ୍ଡ ସ୍ଲାମ୍ ସେମିଫାଇନାଲ୍ ପ୍ରବେଶ। ଗତ ବର୍ଷ ୟୁଏସ୍ ଓପନ୍ରେ ଶୀର୍ଷ ୪ରେ ପ୍ରବେଶ କରିଥିଲେ।
ସେହିପରି ପୁରୁଷ ଏକକରେ ଗ୍ରିକ୍ର ସିସିପାସ ୩-୬, ୨-୬, ୭-୬, ୬-୪, ୭-୫ ସେଟ୍ରେ ୨୦ ଗ୍ରାଣ୍ଡ ସ୍ଲାମ୍ ବିଜେତା ନାଦାଲଙ୍କୁ ପରାସ୍ତ କରିଥିଲେ। ଏଥିସହ ସିସିପାସ ଗତ ତିନି ବର୍ଷ ମଧ୍ୟରେ ଦ୍ବିତୀୟ ଥର ଲାଗି ଏଠାରେ ସେମିଫାଇନାଲ୍ ସ୍ଥାନ ପକ୍କା କରିଥିଲେ। ୨୦୧୯ରେ ସିସିପାସ ୨୦ ଗ୍ରାଣ୍ଡ ସ୍ଲାମ୍ ବିଜେତା ସ୍ବିଜରଲାଣ୍ଡର ରୋଜର ଫେଡେରର୍ଙ୍କୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଥିଲେ। ସେମିଫାଇନାଲ୍ରେ ୨୨ ବର୍ଷୀୟ ସିସିପାସ ରୁଷିଆର ଡାନିଲ ମେଦଭେଦବଙ୍କୁ ଭେଟିବେ। ଚତୁର୍ଥ ମାନ୍ୟତାପ୍ରାପ୍ତ ମେଦଭେଦବ ୭-୫, ୬-୩, ୬-୨ ସେଟ୍ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ନିଜ ଦେଶର ଆନ୍ଦ୍ରେ ରୁବଲେଭଙ୍କୁ ହରାଇଥିଲେ। ଏଥିସହ ମେଦଭେଦବ ଲଗାତାର ୧୯ତମ ବିଜୟ ପାଇଛନ୍ତି।