ମେଲ୍ବର୍ଣ୍ଣ: ଦ୍ବିତୀୟ ମାନ୍ୟତାପ୍ରାପ୍ତ ରାଫେଲ ନାଦାଲ, ଚତୁର୍ଥ ମାନ୍ୟତାପ୍ରାପ୍ତ ଡାନିଏଲ୍ ମେଦ୍ଭେଦେଭ୍, ପଞ୍ଚମ ମାନ୍ୟତାପ୍ରାପ୍ତ ଷ୍ଟିଫାନୋସ୍ ସିସିପାସ୍, ସପ୍ତମ ମାନ୍ୟତାପ୍ରାପ୍ତ ଆନ୍ଦ୍ରେ ରୁବ୍ଲେଭ୍ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଗ୍ରାଣ୍ଡ୍ସ୍ଲାମ୍ରେ ବିଜୟ ଧାରା ଜାରି ରଖି ପ୍ରିକ୍ବାର୍ଟର ଫାଇନାଲ୍ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଶନିବାର ପୁରୁଷ ଏକକ ତୃତୀୟ ରାଉଣ୍ଡ୍ ମୁକାବିଲାରେ ସ୍ପେନ୍ ତାରକା ନାଦାଲ ଅଣମାନ୍ୟତାପ୍ରାପ୍ତ ଇଂଲଣ୍ଡର କାମେରନ୍ ନୁରିଙ୍କୁ ୭-୫, ୬-୨ ଓ ୭-୫ ସିଧାସଳଖ ସେଟ୍ରେ ପରାସ୍ତ କରିଥିଲା ବେଳେ ରୁଷିଆର ମେଦ୍ଭେଦେଭ୍ ୬-୩, ୬-୩, ୩-୬ ଓ ୬-୦ରେ ୨୮ ମାନ୍ୟତା ଫିଲିପ୍ କ୍ରାଜିନୋଭିକ୍ଙ୍କୁ ପରାସ୍ତ କରିଥିଲେ। ଏଥି ସହିତ ମେଦ୍ଭେଦେଭ୍ ମଧ୍ୟ ତାଙ୍କ କ୍ରମାଗତ ମ୍ୟାଚ୍ ବିଜୟ ଧାରାକୁ ୧୭ରେ ପହଞ୍ଚାଇଥିଲେ। ସେହିପରି ଗ୍ରିସ୍ ତାରକା ସିସିପାସ୍ ୬-୪, ୬-୧ ଓ ୬-୧ ସିଧାସଳଖ ସେଟ୍ରେ ସ୍ବିଡେନ୍ର ମିକାଇଲ ମେୟରଙ୍କୁ, ରୁଷିଆର ରୁବ୍ଲେଭ୍ ୭-୫, ୬-୨ ଓ ୬-୩ରେ ଫେଲିସିଆନ୍ ଲୋପେଜ୍ଙ୍କୁ ପରାସ୍ତ କରି ଚତୁର୍ଥ ରାଉଣ୍ଡ୍ରେ ପହଞ୍ଚି ଯାଇଛନ୍ତି। ଅନ୍ୟ ମାନ୍ୟତାପ୍ରାପ୍ତଙ୍କ ମଧ୍ୟରେ ଇଟାଲିର ମାଟିଓ ବେରେଟିନି (ନବମ) ୭-୬, ୭-୬, ୭-୬ରେ ରୁଷିଆର କାରେନ୍ କାଚାନୋଭ୍ (୧୯)ଙ୍କୁ, ଇଟାଲିର ଫାବିଓ ଫୋଗ୍ନିନି (୧୬) ୬-୪, ୬-୩ ଓ ୬-୪ ସେଟ୍ରେ ଆଲେକ୍ସ ଡି ମିନାଉର (୨୧)ଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡ ପାରି ହୋଇଛନ୍ତି।
ବାର୍ଟି ଆଗେଇଲେ; ପ୍ଲିସ୍କୋଭା ବିଦା
ମହିଳା ଏକକରେ ବିଶ୍ବ ମାନ୍ୟତାର ଶୀର୍ଷ ଆସ୍ ବାର୍ଟି ବିଜୟ ଅଭିଯାନ ଜାରି ରଖିଥିଲା ବେଳେ ଷଷ୍ଠ ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସ୍କୋଭା ତୃତୀୟ ରାଉଣ୍ଡ୍ ପରାଜୟ ସହ ବିଦାୟ ନେଇଛନ୍ତି। ତୃତୀୟ ରାଉଣ୍ଡରେ ଅଷ୍ଟ୍ରେଲୀୟ ମହିଳା ବାର୍ଟି ସିଧାସଳଖ ୬-୨ ଓ ୬-୪ ସେଟ୍ରେ ରୁଷିଆର ଏକ୍ଟାରିନା ଆଲେକ୍ଜାନ୍ଦ୍ରେଭା (୨୯ ମାନ୍ୟତା)ଙ୍କୁ ପରାସ୍ତ କରି ଚତୁର୍ଥ ରାଉଣ୍ଡ୍ ସ୍ଥାନ ପକ୍କା କରିଛନ୍ତି। କିନ୍ତୁ ଚେକ୍ ଗଣରାଜ୍ୟ ଲଳନା ପ୍ଲିସ୍କୋଭା ସିଧାସଳଖ ୫-୭ ଓ ୫-୭ରେ ନିଜ ଦେଶର କାରୋଲିନା ମୁଚୋଭା (୨୫ ମାନ୍ୟତା)ଙ୍କଠାରୁ ହାରି ବିଦାୟ ନେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚମ ମାନ୍ୟତା ଏଲିନା ସ୍ବିତୋଲିନା, ୨୨ ମାନ୍ୟତା ଜେନିଫର ବାର୍ଡି, ଅଷ୍ଟାଦଶ ମାନ୍ୟତା ଏଲିସେ ମର୍ତେନ୍ସ, ୨୮ ମାନ୍ୟତା ଡୋନା ଭେକିକ୍ ବିଜୟ ଧାରାରେ ରହି ଚତୁର୍ଥ ରାଉଣ୍ଡ୍ ସ୍ଥାନ ସୁରକ୍ଷିତ କରିଛନ୍ତି।
ମିଶ୍ରିତ ଯୁଗଳରେ ହାରିଲେ ବୋପାନ୍ନା: ଭାରତର ଅଭିଯାନ ଶେଷ
ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ରୁ ଭାରତର ଅଭିଯାନ ଶେଷ ହୋଇଯାଇଛି। ୪ ଜଣ ଭାରତୀୟ ଏହି ପ୍ରତିଯୋଗିତାର ମୁଖ୍ୟ ଡ୍ର’ରେ ସାମିଲ ହୋଇଥିଲା ବେଳେ କେହି ବି ପ୍ରଥମ ରାଉଣ୍ଡ୍ ବାଧା ଅତିକ୍ରମ କରିପାରିନଥିଲେ। ପୂର୍ବରୁ ପୁରୁଷ ଏକକରେ ସୁମିତ ନଗଲ, ପୁରୁଷ ଯୁଗଳରେ ଦିଭିଜ୍ ସରନ ଏବଂ ରୋହନ ବୋପାନ୍ନାଙ୍କ ସହିତ ମହିଳା ଯୁଗଳରେ ଅଙ୍କିତା ରାଇନା ପ୍ରଥମ ରାଉଣ୍ଡ୍ରୁ ବିଦାୟ ନେଇଥିଲା ବେଳେ ଶନିବାର ମିଶ୍ରିତ ଯୁଗଳ ପ୍ରଥମ ରାଉଣ୍ଡ୍ରୁ ମଧ୍ୟ ବୋପାନ୍ନା ବିଦାୟ ନେଇଛନ୍ତି। ଚୀନ୍ର ଡୁଆନ୍ ୟିଙ୍ଗ୍ୟିଙ୍ଗ୍ଙ୍କୁ ସାଥୀ କରି ଖେଳୁଥିବା ବୋପ୍ପାନା ମିଶ୍ରିତ ଯୁଗଳ ପ୍ରଥମ ରାଉଣ୍ଡ୍ରେ ବେଥାନି ମାଟେକ୍ ସାଣ୍ଡ୍ସ-ଜାମି ମରେ ଯୋଡ଼ିଙ୍କ ନିକଟରୁ ୪-୬ ଓ ୪-୬ ସିଧାସଳଖ ସେଟ୍ରେ ହାରି ଯାଇଛନ୍ତି।