ପ୍ୟାରିସ୍ : ରାଫେଲ ନାଡାଲ ନିଜ କ୍ୟାରିୟରର ୧୪ତମ ଫ୍ରେଞ୍ଚ ଓପନ ଟାଇଟେଲ ହାସଲ କରିଛନ୍ତି । ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ୩୬ ବର୍ଷୀୟ ନାଡାଲ ୨୩ ବର୍ଷୀୟ କାସପର ରଡଙ୍କୁ ୬-୩, ୬-୩, ୬-୦ରେ ହରାଇ ଏହି ଟାଇଟେଲ ହାସଲ କରିଛନ୍ତି । ମାତ୍ର ୨ ଘଣ୍ଟା ୧୮ ମିନିଟ ସମୟ ଖେଳି ସେ ରଡଙ୍କୁ ହରାଇଦେଇଥିଲେ ।
ଆଜିର ବିଜୟ ସହ ନାଡାଲ ଆଉ ଏକ ରେକର୍ଡ କରିଛନ୍ତି । ଏହି ଟାଇଟେଲ ହାସଲ କରିବାରେ ସେ ସବୁଠାରୁ ବୟସ୍କ ଟେନିସ ଖେଳାଳିରେ ପରିଣତ ହୋଇଛନ୍ତି । ପୂର୍ବରୁ ଏହି ରେକର୍ଡ ଆଣ୍ଡ୍ରେସ ଗିମେନୋଙ୍କ ନାମରେ ଥିଲା । ସେ ୧୯୭୨ରେ ୩୪ ବର୍ଷ ୩୦୫ ଦିନ ବୟସରେ ଏହି ଟାଇଟେଲ ହାସଲ କରିଥିଲେ ।
ଚଳିତ ବର୍ଷ ଆରମ୍ଭରେ ନାଡାଲ ନିଜର ୨ୟ ଅଷ୍ଟ୍ରେଲିଆନ ଓପନ ଟାଇଟେଲ ଜିତିଥିଲେ । ବିଶ୍ବର ନଂ୨ ମାନ୍ୟତାପ୍ରାପ୍ତ ଡାନିଲ ମେଡବେଡୋଭଙ୍କୁ ହରାଇ ସେ ଏହି ଟାଇଟେଲ ଜିତିଥିଲେ ।
ଆଜିର ବିଜୟ ସହ ନାଡାଲଙ୍କ ମୋଟ ଗ୍ରାଣ୍ଡସ୍ଲାମ ଟାଇଟେଲ ସଂଖ୍ୟା ୨୨ରେ ପହଞ୍ଚିଛି । ରୋଜର ଫେଡେରର ଓ ନୋଭାକ ଜୋକୋଭିକ ୨୦ ଟି ଲେଖାଏଁ ଗ୍ରାଣ୍ଡସ୍ଲାମ ଟାଇଟେଲ ଜିତିଛନ୍ତି । ଏଣୁ ନାଡାଲ ସେମାନଙ୍କଠାରୁ ୨ଟି ଟାଇଟେଲ ଅଧିକ ପାଇଛନ୍ତି । ଚଳିତ ଫ୍ରେଞ୍ଚ ଓପନର କ୍ବାର୍ଟର ଫାଇନାଲରେ ନାଡାଲ ଜୋକୋଭକଙ୍କୁ ହରାଇଥିଲେ ।