ନାଦାଲଙ୍କ ୨୩ ଗ୍ରାଣ୍ଡ ସ୍ଲାମ୍ ସ୍ବପ୍ନ ଅଧୁରା: କ୍ବାର୍ଟରରୁ ବିଦା

ବର୍ତ୍ତିଲେ ଏକ ନମ୍ବର ସ୍ବିତେକ, ସାବଲେଙ୍କା ଆଗେଇଲେ

ନ୍ୟୁୟର୍କ: ସ୍ପେନ୍‌ ତାରକା ରାଫେଲ ନାଦାଲଙ୍କ ୨୩ ଗ୍ରାଣ୍ଡ ସ୍ଲାମ୍‌ ଜିତିବା ସ୍ବପ୍ନ ଅଧୂରା ରହିଯାଇଛି। ଚଳିତ ୟୁଏସ୍‌ ଓପନ୍‌ ‌ଗ୍ରାଣ୍ଡ ସ୍ଲାମ୍‌ ପ୍ରତିଯୋଗିତାର ସୋମବାର ମୁକାବିଲାରେ ଏହି ଦ୍ବିତୀୟ ମାନ୍ୟତାପ୍ରାପ୍ତ ଖେଳାଳିଙ୍କୁ ମାତ୍‌ ଦେଇ ବିଦାୟ ରାସ୍ତା ଦେଖାଇଛନ୍ତି ୨୨ ମାନ୍ୟତାପ୍ରାପ୍ତ ଫ୍ରାନ୍‌ସିସ୍‌ ତିଆଫୋଏ। ପ୍ରିକ୍ବାର୍ଟର ଫାଇନାଲ୍‌ରେ ଆମେରିକାର ତିଆଫୋଏ ୬-୪, ୪-୬, ୬-୪, ୬-୩ ସେଟ୍‌ରେ ନାଦାଲ୍‌ଙ୍କୁ ହରାଇ କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ଏଥିସହ ସେ ଲଗାତାର ୧୭ ଗ୍ରାଣ୍ଡ ସ୍ଲାମ୍‌ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିବା ନାଦାଲଙ୍କ ଅଭିଯାନରେ ରୋକ୍‌ ଲଗାଇଥିଲେ। ପେଟ ଯନ୍ତ୍ରଣା ଯୋଗୁଁ ଚଳିତ ବର୍ଷ ୱିମ୍ବଲଡନ୍‌ ସେମିଫାଇନାଲ୍‌ରୁ ଓହରିଥିବା ନାଦାଲ କିନ୍ତୁ ଫ୍ରେଞ୍ଚ ଓପନ୍‌ ଓ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟ୍ରଫି କରାୟତ୍ତ କରିଥିଲେ। ‌୨୦୧୯ ପରେ ପ୍ରଥମ ଥର କୌଣସି ଗ୍ରାଣ୍ଡ ସ୍ଲାମ୍‌ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିବା ୨୪ ବର୍ଷୀୟ ତିଆଫୋଏ ସେମିଫାଇନାଲ୍‌ ସ୍ଥାନ ଲାଗି ରୁଷିଆର ଆନ୍ଦ୍ରେ ରୁବଲେଭଙ୍କୁ ଭେଟିବେ। ନବମ ମାନ୍ୟତାପ୍ରାପ୍ତ ରୁବଲେଭ ପ୍ରିକ୍ବାର୍ଟର ଫାଇନାଲ୍‌ରେ ସପ୍ତମ ମାନ୍ୟତାପ୍ରାପ୍ତ ବ୍ରିଟେନ୍‌ ଯୁବକ କାମେରୁନ ନୋରିଙ୍କୁ ସିଧାସଳଖ ୬-୪, ୬-୪, ୬-୪ ‌‌ସେଟ୍‌ରେ ପରାସ୍ତ କରିଥିଲେ। ତୃତୀୟ ମାନ୍ୟତାପ୍ରାପ୍ତ କାର୍ଲୋସ ଅଲ୍‌କାରାଜ ୨୦୧୪ ବିଜେତା ମାରିନ୍‌ ସିଲିକ୍‌ଙ୍କୁ ବିଦାୟ ରାସ୍ତା ଦେଖାଇଥିଲେ। ୩ ଘଣ୍ଟା ୫୩ ମିନିଟ୍‌ ଧରି ଚାଲିଥିବା ଏହି କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ସ୍ପେନ୍‌ର ଅଲ୍‌କାରାଜ ୬-୪, ୩-୬, ୬-୪, ୪-୬, ୬-୩ ସେଟ୍‌ରେ କ୍ରୋଏସିଆର ସିଲିକ୍‌ଙ୍କୁ ପରାସ୍ତ ହରାଇଥିଲେ। କ୍ବାର୍ଟର ଫାଇନା‌ଲ୍‌ରେ ୧୯ ବର୍ଷୀୟ ଅଲ୍‌କାରାଜ ଇଟାଲିର ଜାନିକ ସିନରଙ୍କୁ ଭେଟିବେ।

ବର୍ତ୍ତିଲେ ଏକ ନମ୍ବର ସ୍ବିତେକ, ସାବଲେଙ୍କା ଆଗେଇଲେ
ବିଶ୍ବର ଏକ ନମ୍ବର ମହିଳା ଟେନିସ ଖେଳାଳି ଈଗା ସ୍ବିତେକଙ୍କ ସହ ଷଷ୍ଠ ମାନ୍ୟତାପ୍ରାପ୍ତ ଆରିନା ସାବଲେଙ୍କା ଚଳିତ ୟୁଏସ୍‌ ଓପନ୍‌ର କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ‌ସୋମବାର ପ୍ରିକ୍ବାର୍ଟର ଫାଇନାଲ୍‌ରେ ୨୧ ବର୍ଷୀୟ ପୋଲାଣ୍ଡ ଲଳନା ସ୍ବିତେକ୍‌ ୨-୬, ୬-୪, ୬-୦ ସେଟ୍‌ରେ ଜର୍ମାନିର ଜୁଲେ ନିମିଏରଙ୍କୁ ହରାଇଥିଲେ। କ୍ବାର୍ଟର ଫାଇନାଲ୍‌ରେ ଫ୍ରେଞ୍ଚ୍‌ ଓପନ୍‌ ବିଜୟିନୀ ସ୍ବିତେକ ଆମେରିକାର ଜେସିକା ପେଗୁଲାଙ୍କୁ ଭେଟିବେ। ଅଷ୍ଟମ ମାନ୍ୟତାପ୍ରାପ୍ତ ପେଗୁଲା ସିଧାସଳଖ ୬-୩, ୬-୨ ସେଟ୍‌‌ରେ ୨୧ ମାନ୍ୟତାପ୍ରାପ୍ତ ଚେକ୍‌ ଗଣରାଜ୍ୟର ପେଟ୍ରା କ୍ବିତୋଭାଙ୍କୁ ପରାସ୍ତ କରିଥିଲେ। ବେଲାରୁଷ ଯୁବତୀ ସାବଲେଙ୍କା ୩-୬, ୬-୩, ୬-୨ ସେଟ୍‌ରେ ୧୯ ମାନ୍ୟତାପ୍ରାପ୍ତ ଆମେରିକାର ଡାନିଏଲି କଲିନ୍ସଙ୍କୁ ମାତ୍‌ ଦେଇଥିଲେ। ସେମିଫାଇନାଲ୍‌ ସ୍ଥାନ ପାଇଁ ସାବଲେଙ୍କା ଚେକ୍‌ ଗଣରାଜ୍ୟର କାରୋଲିନା ପ୍ଲିସ‌୍‌କୋଭାଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର