ନୀରଜଙ୍କ ଜାଭ୍‌ଲିନକୁ ବିକୃତ କରିନଥିଲେ ନଦୀମ

ନିଜ ସ୍ବାର୍ଥ ପାଇଁ ମୋତେ ବ୍ୟବହାର କରନି: ନୀରଜ

ନୂଆଦିଲ୍ଲୀ: ଆଥଲେଟିକ୍ସରୁ ଭାରତକୁ ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ ଉପହାର ଦେଇଥିବା ଜାଭଲିନ୍ ତାରକା ନୀରଜ ଚୋପ୍ରାଙ୍କ ଜାଭଲିନକୁ ବିକୃତ କରିବାର କୌଣସି ପ୍ରୟାସ ପାକିସ୍ତାନୀ ପ୍ରତିଦ୍ବନ୍ଦ୍ବୀ ଅର୍ସଦ ନଦୀମ କରି ନଥିଲେ। ଏକଥା ନିଜେ ନୀରଜ ସ୍ପଷ୍ଟ କରିଛନ୍ତି। ତା ସହ ଏହି କଥାକୁ ଅଯଥାରେ ବିବାଦୀୟ ନ କରିବାକୁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି। ରିପୋର୍ଟ ଅନୁସାରେ ଟୋକିଓ ଅଲିମ୍ପିକ୍ସର ଜାଭଲିନ୍ ଫାଇନାଲ୍‌ରେ ନୀରଜଙ୍କୁ ନିଜ ପ୍ରଥମ ଥ୍ରୋ’କୁ ତରବରିଆ ଭାବେ ଫିଙ୍ଗିବାକୁ ପଡ଼ିଥିଲା। ଆଉ ଏହାର କାରଣ ନଦୀମ ଥିଲେ। କାରଣ ଫାଇନାଲ୍ ପୂର୍ବର ପାରମ୍ପରିକ ପରିଚୟ ପ୍ରଦାନ ପ୍ରକ୍ରିୟା ପରେ ନୀରଜ ନିଜ ପ୍ରିୟ ଜାଭଲିନଙ୍କୁ ଖୋଜି ପାଇନଥିଲେ। ସେହି ସମୟରେ ଏହା ନଦୀମଙ୍କ ହାତରେ ଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ଭାରତୀୟ କ୍ରୀଡ଼ାପ୍ରେମୀ ନଦୀମଙ୍କୁ ଘୋର ସମାଲୋଚନା କରିବା ଆରମ୍ଭ କରିଥି‌ଲେ।

‘‘ଫାଇନାଲ୍‌ରେ ମୋ ପାଳି ଆସିଲା ବେଳକୁ ମୋ ଜାଭଲିନ୍ ମିଳି ନଥିଲା। ଏଣୁ ମୁଁ ଏହାକୁ ଆତୁର ହୋଇ ଖୋଜିବା ଆରମ୍ଭ କରି ଦେଇଥିଲି। ହଠାତ୍ ମୁଁ ଦେଖିଲି ନଦୀମ ମୋ ଜାଭଲିନ୍ ଧରି ବୁଲୁଛନ୍ତି। ମୁଁ ତାଙ୍କୁ କହିଲି, ହେ ଭାଇ ଏହି ଜାଭଲିନଟିକୁ ମୋତେ ଦିଅ, ଏହା ମୋ ଜାଭଲିନ୍। ସେଥିପାଇଁ ଆପଣ ଦେଖିଥିବେ ମୁଁ କେତେ ତରବରିଆ ହୋଇ ମୋ ପ୍ରଥମ ଥ୍ରୋ’କୁ ଫିଙ୍ଗିଥିଲି’’ ବୋଲି ନୀରଜ ଏକ ସାକ୍ଷାତକାରରେ କହିଥିଲେ। ଏହା ପରେ ଅଲିମ୍ପିକ୍ସ ଫାଇନାଲ୍‌ରେ ପାକିସ୍ତାନୀ ପ୍ରତିଦ୍ବନ୍ଦ୍ବୀ ନଦୀମଙ୍କଠାରୁ ନୀରଜ ଜାଭଲିନ୍ ଆଣୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ‌ହୋଇଯାଇଥିଲା। ତା’ ସହ ଭାରତୀୟ କ୍ରୀଡ଼ାପ୍ରେମୀ ନଦୀମଙ୍କୁ ଭୀଷଣ ଟ୍ରୋଲ୍ କରିବା ଆରମ୍ଭ କରିଦେଇଥିଲେ। ନଦୀମ ଜାଣିଣୁଣି ନୀରଜଙ୍କ ଜାଭଲିନକୁ ବିକୃତ କରିଥିଲେ ବୋଲି ସେମାନେ ଅଭି‌ଯୋଗ କରିଥିଲେ।

ତାଙ୍କୁ ମଧ୍ୟ ଅଣଖେଳୁଆଡ଼ ପ୍ରବୃତ୍ତିର ଖେଳାଳି କହି କଡ଼ା ଭାଷାରେ କଟାକ୍ଷ ଓ ତାଚ୍ଛଲ୍ୟ କରିଥିଲେ। ଏହା ଜାଣିବା ପରେ ନୀରଜ ଟ୍ବିଟ୍ କରି ଏଭଳି ଘୃଣାଭରା କଥା ନକହିବା ସହ ଅଯଥାରେ ଭେଦଭାବ ସୃଷ୍ଟି ନକରିବାକୁ ପ୍ରଶଂସକଙ୍କୁ ଅନୁରୋଧ କରିଥିଲେ। ସେ ଲେଖିଥିଲେ ଯେ ମୋତେ ଓ ମୋ ମନ୍ତବ୍ୟକୁ ଅସ୍ତ୍ର କରି ନିଜ ସ୍ବାର୍ଥ ସାଧନ କରିବା ସହ ଅଯଥା ଗୁଜବ ସୃଷ୍ଟି ନକରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। କ୍ରୀଡ଼ା ଆମକୁ ଏକତ୍ର ଏବଂ ଅଖଣ୍ଡ ରହିବା ଶିଖାଇଥାଏ। ମୋ ମନ୍ତବ୍ୟକୁ ‌ନେଇ ସାଧାରଣ ଜନତାଙ୍କଠାରୁ ମିଳିଥିବା କିଛି ପ୍ରତିକ୍ରିୟା ମୋତେ ଅତ୍ୟନ୍ତ ବ୍ୟଥିତ କରିଛି। ହୃଦୟକୁ ବାଧିଛି।

ସମ୍ବନ୍ଧିତ ଖବର