ଦ୍ବିତୀୟ ଟେଷ୍ଟ୍‌ରୁ ନଦୀମ ବାଦ୍ ପଡ଼ିବା ନିଶ୍ଚିତ, ସୁସ୍ଥ ହୋଇ ଅଭ୍ୟାସ ଆରମ୍ଭ କଲେ ଅକ୍ଷର

କୋହଲି ଖସିଲେ; ରୁଟ୍‌ ଉଠିଲେ

ଚେନ୍ନାଇ, ୧୦ା୨: ପ୍ରଥମ ଟେଷ୍ଟ୍‌ରେ ଲଜ୍ଜାଜନକ ପରାଜୟ ବରଣ କରିବା ପରେ ଶନିବାରଠାରୁ ଏଠାରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ ଲାଗି ଭାରତୀୟ ଦଳରେ ବ୍ୟାପକ ନହେଲେ ବି ଛୋଟ କାଟିଆ ଅଦଳ ବଦଳ ହେବା ଏକ ପ୍ରକାର ନିଶ୍ଚିତ। ବିଶେଷ କରି ଝାଡ଼ଖଣ୍ଡର ବାମହାତୀ ସ୍ପିନର ଶାହାବାଜ ନଦୀମ ଏହି ମ୍ୟାଚ୍‌ରୁ ବାଦ୍‌ ପଡ଼ିବାର ସମ୍ଭାବନା ଅଧିକ। ନଦୀମ ଭାରତୀୟ ସମ୍ଭାବ୍ୟ ଦଳରେ ନଥିଲେ ମଧ୍ୟ ଅଲରାଉଣ୍ଡର ଅକ୍ଷର ପଟେଲ ଦୁର୍ଭାଗ୍ୟଜନକ ଭାବେ ଅଭ୍ୟାସ ବେଳେ ଆହତ ହେବାରୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ। ହେଲେ ଭାଗ୍ୟ ବଳରେ ମିଳିଥିବା ସୁଯୋଗରୁ କୌଣସି ଫାଇଦା ଉଠାଇ ପାରିନଥିଲେ। ଆଶାଜନକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ଦୁଇଟି ପାଳିରେ ୫୯ ଓଭର ବୋଲିଂ କରି ୨୩୩ ରନ୍ ବିନିମୟରେ ମାତ୍ର ୪ ୱିକେଟ୍ ନେଇଥିଲେ ସେ। ଆଉ ଓଭର ପିଛା ୪ରୁ ଅଧିକ ରନ୍ ବ୍ୟୟ କରିଥିଲେ। ସେହିଭଳି ଉଭୟ ପାଳିରେ ଖାତା ଖୋଲି ପାରିନଥିଲେ। ନଦୀମଙ୍କ ବଦଳ ଖେଳାଳିଙ୍କ ନାଁ ଶୁକ୍ରବାର ଅର୍ଥାତ୍ ମ୍ୟାଚ୍ ପୂର୍ବଦିନ ନିଆଯିବ ବୋଲି ସଂକେତ ଦେଇଛି ଟିମ୍ ଇଣ୍ଡିଆ।

ସଂପୂର୍ଣ୍ଣ ସୁସ୍ଥ ହୋଇ ପୁଣି ଥରେ ଅଭ୍ୟାସ ଆରମ୍ଭ କରିଥିବା ଅକ୍ଷର ହିଁ ତାଙ୍କ ସ୍ଥାନ ନେଇପାରନ୍ତି। ଅଧିନାୟକ ବିରାଟ କୋହଲି ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ନଦୀମଙ୍କ ସହ ଅଲରାଉଣ୍ଡର ୱାସିଂଟନ୍ ସୁନ୍ଦରଙ୍କ ବୋଲିଂ ପ୍ରଦର୍ଶନ ନେଇ ନିରାଶା ଜାହିର କରିଥିଲେ। ଯଶପ୍ରୀତ ବୁମ୍‌ରା, ଈଶାନ୍ତ ଶର୍ମା ଓ ରବିଚନ୍ଦ୍ରନ୍ ଅଶ୍ବିନ ସୃଷ୍ଟି କରିଥିବା ଚାପକୁ କାଏମ ରଖିବାକୁ ନଦୀମ ଓ ସୁନ୍ଦର ସକ୍ଷମ ନହେବା ପରେ ଇଂଲଣ୍ଡ ତାର ପ୍ରଥମ ପାଳିରେ ୫୭୮ ରନ୍‌ର ବିଶାଳ ସ୍କୋର କରିନେଲା ବୋଲି କୋହଲି ସିଧାସିଧା କହିଥିଲେ। ନିଜ ବୋଲିଂରେ ତ୍ରୁଟି ଥିବା ନି‌ଜେ ନଦୀମ ବି ସ୍ବୀକାର କରିଥି‌ଲେ। ଏଭଳି ସ୍ଥିତିରେ ସେ ଆଉ ଦଳରେ ରହିବା ସମ୍ଭାବନା ବହୁତ କମ୍। ଅନ୍ୟପକ୍ଷରେ ଇଂଲଣ୍ଡ ପ୍ରଥମ ପାଳିରେ ସୁନ୍ଦର ୨୬ ଓଭର ବୋଲିଂ କରି ୯୮ ରନ୍ ବ୍ୟୟ କରିଥିଲେ। ଦ୍ବିତୀୟ ପାଳିରେ ମାତ୍ର ଗୋଟିଏ ଓଭର ବୋଲିଂ ପାଇଥି‌ଲେ। ହେଲେ ବୋଲିଂ ବିଫଳତାକୁ ବ୍ୟାଟିଂରେ ଭରଣା କରି ‌ନେଇଥିଲେ। ଦ୍ବିତୀୟ ପାଳିରେ ଖାତା ଖୋଲି ପାରିନଥିଲେ ବି ପ୍ରଥମରେ ୮୫ ରନ୍‌ର ମହତ୍ବପୂର୍ଣ୍ଣ ସ୍କୋର କରିଥିଲେ। ଏଣୁ ତାଙ୍କ ସ୍ଥାନ ଅପରିବର୍ତ୍ତିତ ରହିବ।

ନୂଆ ପିଚ୍‌ରେ ପ୍ରଥମ ଦିନରୁ ଟର୍ନ
ଚେନ୍ନାଇର ଚେପକ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ୍‌ରେ ଟସ୍ ନିର୍ଣ୍ଣାୟକ ଭୂମିକା ନେଇଥିଲା। ପିଚ୍ ପ୍ରଥମ ଦୁଇ ଦିନ ବେଶ୍ ବ୍ୟାଟିଂ ଉପଯୋଗୀ ହୋଇଥିବାରୁ ଟସ୍ ଜିତିବା ପରେ ଇଂଲଣ୍ଡ ତା’ ପ୍ରଥମ ପାଳିରେ ୫୭୮ ରନ୍‌ର ବିଶାଳ ସ୍କୋର କରି ନେଇଥିଲା। ତୃତୀୟ ଦିନରୁ ପିଚ୍ ଟର୍ନ ନେବା ଆରମ୍ଭ କରିବା ସହ ଚତୁର୍ଥ ଏବଂ ପଞ୍ଚମ ଦିନରେ ଖେଳିବା ଏକ ପ୍ରକାର ଅସମ୍ଭବ ମନେ ହୋଇଥିଲା। ଭାରତ ଶେଷ ତିନି ଦିନରେ ଦୁଇଟି ପାଳି ଖେଳି ପରାଜିତ ହୋଇଥିଲା। ଏଣୁ ତାମିଲନାଡୁ କ୍ରିକେଟ୍ ସଂଘର ଯୁବ କ୍ୟୁରେଟର ରମେଶ କୁମାର ଏବଂ ବିସିସିଆଇର ପିଚ୍ ଏବଂ ଗ୍ରାଉଣ୍ଡ୍ସ କମିଟି ମୁଖ୍ୟ ତାପସ ଚାଟ୍ଟାର୍ଜୀ ଦ୍ବିତୀୟ ଟେଷ୍ଟ୍ ଲାଗି ଏକ ନୂଆ ପିଚ୍ ପ୍ରସ୍ତୁତ କରୁଛନ୍ତି। ଏହି ପିଚ୍‌ରେ ବଲ୍ ପ୍ରଥମ ଦିନରୁ ହିଁ ଘୂରିବା ଆରମ୍ଭ କରିବ। ଫଳରେ ଟସ୍‌ର ମହତ୍ବ କମିଯିବ। ଟସ୍ ଜିତୁଥିବା ଦଳ ମଧ୍ୟ ଅହେତୁକ ଫାଇଦାରେ ରହିବ ନାହିଁ।

ଲଢ଼ୁଆ ଖେଳ ଖେଳିବାକୁ କୋହଲିଙ୍କ ପ୍ରତିଜ୍ଞା
ଅଷ୍ଟ୍ରେଲିଆରେ ଶୃଙ୍ଖଳା ଜିତି ସ୍ବଦେଶ ଫେରିବା ପରେ ଇଂଲଣ୍ଡଠାରୁ ଭାରତ ଘରୋଇ ମାଟିରେ ଶୋଚନୀୟ ପରାଜୟ ବରଣ କରିବା ସମର୍ଥକଙ୍କୁ ଚକିତ ଓ ବ୍ୟଥିତ କରିଛି। ଅଧିନାୟକ ବିରାଟ କୋହଲି ମଧ୍ୟ ଏହି ଦୁଃଖକୁ ଅନୁଭବ କରିଛନ୍ତି। ସେଥିପାଇଁ ଦ୍ବିତୀୟ ଟେଷ୍ଟ୍‌ରେ ଦଳ ନିଶ୍ଚିତ ଭା‌ବେ ଲଢ଼ୁଆ କ୍ରିକେଟ୍ ଖେଳିବା ବୋଲି ପ୍ରତିଜ୍ଞା କରିଛନ୍ତି। ତେବେ ଉଭୟ ସଫଳତା ଏବଂ ବିଫଳତାକୁ ଆମକୁ ସ୍ବୀକାର କରିବାକୁ ହେବ ବୋଲି ମତ ରଖିଛନ୍ତି। ଦଳର ଅପ୍ରତ୍ୟାଶିତ ପରାଜୟ ପରେ ସେ କହିଛନ୍ତି ଯେ ଆମେ ଏମିତି ଏକ ଦଳ ଯିଏ ବିଫଳତା ଏବଂ ତ୍ରୁଟିକୁ ସ୍ବୀକାର କରି ସେଥିରୁ ଶିକ୍ଷା ଲାଭ କରିବାକୁ ଚେଷ୍ଟା କରୁ। ହେଲେ ଏକଥା ନିରାଟ ସତ ଯେ ଆସନ୍ତା‌ ତିନିଟି ଯାକ ମ୍ୟାଚ୍‌ରେ ଆମେ ନିଶ୍ଚିତ ଭାବେ କଡ଼ା ଟକ୍କର ଦେବୁ। ପ୍ରଥମ ଟେଷ୍ଟ୍‌ରେ ଯେମିତି ଆମ ନିୟନ୍ତ୍ରଣରୁ ସବୁକିଛି ଖସିଗଲା, ତାହା ହେବାକୁ ଦେବୁ ନାହିଁ।

ସୁନ୍ଦରଙ୍କୁ ରଖିବାକୁ ଗାଭାସ୍କରଙ୍କ ଆହ୍ବାନ
ବୋଲିଂରେ ସେତେଟା କମାଲ କରି ନଥିଲେ ମଧ୍ୟ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଅଲରାଉଣ୍ଡର ୱାସିଂଟନ ସୁନ୍ଦରଙ୍କ ଲଢ଼ୁଆ ବ୍ୟାଟିଂ ମହାନ କ୍ରିକେଟର ସୁନିଲ ଗାଭାସ୍କରଙ୍କୁ ବେଶ୍ ପ୍ରଭାବିତ କରିଛି। ସେଥିପାଇଁ ଦ୍ବିତୀୟ ଟେଷ୍ଟ୍‌ରେ ମଧ୍ୟ ତାଙ୍କୁ ଦଳରେ ରଖିବାକୁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ଆହ୍ବାନ କରିଛନ୍ତି। ‌ସେ ଅବଶ୍ୟ ସୁନ୍ଦରଙ୍କ ବୋଲିଂରେ ଥିବା ତ୍ରୁଟିକୁ ଉଜାଗର କରିଛନ୍ତି। ଏହି ତ୍ରୁଟିକୁ ସେ ଅଭିଜ୍ଞ ଅଫ୍‌ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନଙ୍କଠାରୁ ପରାମର୍ଶ ନେଇ ସୁଧାରି ପାରିବେ ବୋଲି କହିଛନ୍ତି।

ଦୁବାଇ: ଇଂଲଣ୍ଡ ନିକଟରୁ ଚେନ୍ନାଇରେ ପରାଜୟ ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ୍‌ ମାନ୍ୟତାର ପଞ୍ଚମ ସ୍ଥାନକୁ ଖସିଯାଇଛନ୍ତି। ଚେନ୍ନାଇ ଟେଷ୍ଟ୍‌ରେ ୧୧ ଓ ୭୨ ରନ୍‌ କରିଥିବା କୋହଲି ବୁଧବାର ପ୍ରକାଶିତ ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତା ତାଲିକାରେ ଗୋଟିଏ ସ୍ଥାନ ହରାଇ ପଞ୍ଚମରେ ପହଞ୍ଚିଛନ୍ତି। ତାଙ୍କ ରେଟିଂ ପଏଣ୍ଟ୍‌ ୮୫୨ ରହିଛି। ଅନ୍ୟପକ୍ଷରେ ଚେନ୍ନାଇରେ ଶ୍ରେଷ୍ଠ ଖେଳାଳି ବିବେଚିତ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ତାଙ୍କ ଦ୍ବିଶତକୀୟ ପାଳି ପାଇଁ ଉପହାର ସ୍ବରୂପ ୨ ସ୍ଥାନ ଉଠି ତୃତୀୟକୁ ଲମ୍ଫ ମାରିଛନ୍ତି। ରୁଟ୍‌ଙ୍କ ରେଟିଂ ପଏଣ୍ଟ୍‌ ୮୮୩ରେ ପହଞ୍ଚିଯାଇଛି।

୨୦୧୭ ସେପ୍ଟେମ୍ବର ପରେ ଏହା ମଧ୍ୟ ରୁଟ୍‌ଙ୍କ ସର୍ବୋଚ୍ଚ ମାନ୍ୟତା। ୨୦୧୭ ପରେ ପ୍ରଥମ ଥର ପାଇଁ କୋହଲିଙ୍କୁ ପଛରେ ପକାଇଥିବା ରୁଟ୍‌ ମଧ୍ୟ ଶୀର୍ଷ ମାନ୍ୟତାପ୍ରାପ୍ତ କେନ୍‌ ୱିଲିୟମ୍‌ସନ୍‌ଙ୍କଠୁ ୩୬ ଏବଂ ଦ୍ବିତୀୟରେ ଥିବା ଅଷ୍ଟ୍ରେଲୀୟ ତାରକା ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ମାତ୍ର ୮ ପଏଣ୍ଟ୍‌ ଦୂରରେ ରହିଛନ୍ତି। ଅନ୍ୟତମ ଅଷ୍ଟ୍ରେଲୀୟ ମାର୍ନସ ଲାବୁସେନ୍‌ (୮୫୦, ପଞ୍ଚମ) ଶୀର୍ଷ-୫ରେ ସ୍ଥାନ ସୁରକ୍ଷିତ ରଖିଛନ୍ତି। ସେହିପରି ଚେନ୍ନାଇ ଟେଷ୍ଟ୍‌ର ପ୍ରଥମ ପାଳିରେ ୯୧ ରନ୍‌ କରିଥିବା ଋଷଭ ପନ୍ତ୍‌ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ୱିକେଟ୍‌ରକ୍ଷକ ଭାବେ ୭୦୦ ରେଟିଂ ପଏଣ୍ଟ୍‌ ଛୁଇଁଛନ୍ତି। ସେ ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତା ତାଲିକାର ତ୍ରୟୋଦଶ ସ୍ଥାନ ବଜାୟ ରଖିଛନ୍ତି। ଓପ୍‌ନର ଶୁବମନ ଗିଲ୍‌ ୭ ସ୍ଥାନ ଲମ୍ଫ ମାରି ୪୦ ଏବଂ ଅଲ୍‌ରାଉଣ୍ଡର ୱାସିଂଟନ୍‌ ସୁନ୍ଦର ୨ ସ୍ଥାନ ଉଠି ୮୧ରେ ପହଞ୍ଚିଛନ୍ତି। ବୋଲରଙ୍କ ମାନ୍ୟତାରେ ଦୁଇ ଭାରତୀୟ ଅଭିଜ୍ଞ ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଏବଂ ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ଗୋଟିଏ ଲେଖାଏଁ ସ୍ଥାନ ଉଠି ଯଥାକ୍ରମେ ସପ୍ତମ ଓ ଅଷ୍ଟମରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ବାମହାତୀ ସ୍ପିନର ସାହବାଜ୍‌ ନଦୀମ ୨ ସ୍ଥାନ ଉଠି ୮୫ରେ ପହଞ୍ଚିଯାଇଛନ୍ତି।

ସମ୍ବନ୍ଧିତ ଖବର