ଭୁବନେଶ୍ବର: ନଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ ଟ୍ବେଣ୍ଟି-୨୦ କ୍ରିକେଟ୍ ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟରେ ଓଡ଼ିଶା ଅପରାଜେୟ ରହି ଗ୍ରୁପ୍-ସି ବିଜେତା ଭାବେ ସୁପର-୮ରେ ପ୍ରବେଶ କରିଛି। ତେଲେଙ୍ଗାନା, ଦିଲ୍ଲୀ ଓ ଜମ୍ମୁ କାଶ୍ମୀରକୁ ହରାଇଥିବା ଓଡ଼ିଶା ଶୁକ୍ରବାର ଶେଷ ଲିଗ୍ ମ୍ୟାଚ୍ରେ ରାଜସ୍ଥାନକୁ ୨୮ ରନ୍ରେ ପରାସ୍ତ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଓଡ଼ିଶା ସୁଖରାମ ମାଝୀ (୭୭ ରନ୍)ଙ୍କ ଅର୍ଦ୍ଧଶତକ ବଳରେ ୮ ୱିକେଟ୍ ହରାଇ ୨୨୩ ରନ୍ କରିଥିଲା। କାଳିଆ ପ୍ରଧାନ ୪୬ ରନ୍ର ଉପଯୋଗୀ ପାଳି ଖେଳିଥିଲେ।
ଜବାବରେ ଆୟୋଜକ ରାଜସ୍ଥାନ ୧୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୯୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ସୁଖରାମ ଓ ନକୁଳ ବଡ଼ନାୟକ ୩ ଲେଖାଏଁ ଏବଂ ତପନ କୁମାର ଗୌଡ଼ ୨ ୱିକେଟ୍ ନେଇଥିଲେ। ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ସୁଖରାମଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଏହି ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟ ଶେଷ ହୋଇଥିଲା ବେଳେ ସୁପର-୮, ସେମିଫାଇନାଲ୍ ଓ ଫାଇନାଲ୍ ମାର୍ଚ୍ଚ ୧୩ରୁ ୧୭ ପର୍ଯ୍ୟନ୍ତ ହାଇଦ୍ରାବାଦରେ ଖେଳାଯିବ। ସୁପର-୮ରେ ଓଡ଼ିଶା ଗ୍ରୁପ୍-ଏରେ ଆନ୍ଧ୍ରପ୍ରଦେଶ, ହରିୟାଣା ଏବଂ ମହାରାଷ୍ଟ୍ର ଓ ହିମାଚଳପ୍ରଦେଶ ମଧ୍ୟରେ ଖେଳାଯିବାକୁ ଥିବା କ୍ରସ୍ ଓଭର ମ୍ୟାଚ୍ ବିଜେତା ସହ ରହିଛି।