ମେଲ୍‌ବର୍ଣ୍ଣ: ଭାରତୀୟ ଟେନିସ ଖେଳାଳି ସୁମିତ ନଗଲ ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ର ଦ୍ବିତୀୟ ରାଉଣ୍ଡ ପ୍ରବେଶ କରି ଇତିହାସ ରଚିଛନ୍ତି। ସୋମବାର ପ୍ରଥମ ରାଉଣ୍ଡ୍‌ ମୁକାବିଲାରେ ନଗଲ ୬-୪, ୬-୨, ୭-୬ ସେଟ୍‌ରେ ବିଶ୍ବର ୨୭ ନମ୍ବର କାଜାଖସ୍ତାନର ଆଲେକ୍‌ଜାଣ୍ଡର ବୁବ୍‌ଲିକ୍‌ଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ସହ ସେ ପ୍ରଥମ ଭାରତୀୟ ଭାବେ ୩୫ ବର୍ଷ ପରେ ସିଡେଡ୍‌ ଖେଳାଳିଙ୍କୁ ହରାଇବାର ଗୌରବ ପାଇଛନ୍ତି। ୧୯୮୯ରେ ରମେଶ କ୍ରିଷ୍ଣନ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ବିଶ୍ବର ଏକ ନମ୍ବର ଓ ବିଜେତା ମାଟ୍ସ ୱିଲାଣ୍ଡରଙ୍କୁ ହରାଇଥିଲେ। ବିଶ୍ବର ୧୩୯ ନମ୍ବର ନଗଲ ଦ୍ବିତୀୟ ଥର ଲାଗି ଗ୍ରାଣ୍ଡସ୍ଲାମ୍‌ର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୨୦୨୦ ୟୁଏସ୍‌ ଓପନ୍‌ରେ ଶେଷ ଥର ଲାଗି ଦ୍ବିତୀୟ ରାଉଣ୍ଡରେ ପହଞ୍ଚି ଦ୍ବିତୀୟ ମାନ୍ୟତାପ୍ରାପ୍ତ ଡୋମିନିକ୍‌ ଥିମ୍‌ଙ୍କଠୁ ହାରି ବିଦାୟ ନେଇଥିଲେ। ଚତୁର୍ଥ ଥର ଲାଗି ଗ୍ରାଣ୍ଡସ୍ଲାମ୍‌ ଖେଳୁଥିବା ନଗଲ ୨୦୨୧ ଅଷ୍ଟ୍ରେଲିଆନ୍‌ ଓପନ୍‌ ପ୍ରଥମ ରାଉଣ୍ଡରେ ଲିଥୁନିଆର ରିକାର୍ଡାସ ବେରାଙ୍କିସ୍‌ଙ୍କଠୁ ହାରିଯାଇଥିଲେ। ନିଜ ଖେଳର ଉନ୍ନତି ଆଣି ସେ ଏବେ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦ୍ବିତୀୟ ରାଉଣ୍ଡରେ ୨୬ ବର୍ଷୀୟ ଏହି ଭାରତୀୟ ଖେଳାଳି ଚୀନ୍‌ର ସାଙ୍ଗ ଜୁଚେଁଙ୍ଗଙ୍କୁ ଭେଟିବେ। ତେବେ ପୁରୁ‌ଷ ଯୁଗଳରେ ଖେଳୁଥିବା ଭ‌ାରତୀୟ ଖେଳାଳି ୟୁକି ଭାମ୍ବ୍ରିଙ୍କ ଅଭିଯାନ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ସେ ଓ ତାଙ୍କ ନେଦରଲାଣ୍ଡ୍‌ସ ସାଥୀ ରବିନ ହାସେ କଡ଼ା ସଂଘର୍ଷ କରି ୬-୧, ୬-୭, ୬-୭ ସେଟ୍‌ରେ କଲମ୍ବିଆ ଓ ବ୍ରାଜିଲ ଯୋଡ଼ି ନିକୋଲାସ ବାରିଏଣ୍ଟୋସ ଓ ରାଫେଲ ମାଟୋସଙ୍କଠୁ ହାରି ଯାଇଥିଲେ।

Advertisment

କର୍ବର, ପ୍ଲିସ୍‌କୋଭା ବିଦା
ତିନି ଥରର ଗ୍ରାଣ୍ଡସ୍ଲାମ୍‌ ବିଜୟିନୀ ଆଞ୍ଜେଲିକ୍‌ କର୍ବର ଓ ଦୁଇ ଥର ଫାଇନାଲିଷ୍ଟ କାରୋଲିନା ପ୍ଲିସକୋଭାଙ୍କ ଅଷ୍ଟ୍ରେଲିଆନ୍‌ ଓପନ୍‌ ଅଭିଯାନ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ଜର୍ମାନିର କର୍ବରଙ୍କୁ ୬-୨, ୩-୬, ୬-୧ ସେଟ୍‌ରେ ୨୦୨୨ର ଫାଇନାଲିଷ୍ଟ ଆମେରିକାର ଡାନିଲ କଲିନ୍‌ ଏବଂ ଚେକ୍‌ଗଣରାଜ୍ୟର ପ୍ଲିସ୍‌କୋଭାଙ୍କୁ ୭-୬, ୬-୪ ସେଟ୍‌ରେ ୨୦୨୨ ୱିମ୍ବଲଡନ୍‌ ବିଜୟିନୀ କାଜାଖସ୍ତାନର ଏଲିନା ରିବାକିନା ପରାସ୍ତ କରିଛନ୍ତି। ବିଶ୍ବର ଏକ ନମ୍ବର ଇଗା ସ୍ବିତେକ, ଜେସିକା ପେଗୁଲା (ପଞ୍ଚମ), ଭିକ୍ଟୋରିଆ ଆଜାରେଙ୍କା (ଅଷ୍ଟାଦଶ), ଜେଲେନା ଓଷ୍ଟାପେଙ୍କୋ (ଏକାଦଶ), ୨୦୧୭ ୟୁଏସ୍‌ ଓପନ୍‌ ବିଜୟିନୀ ସ୍ଲୋଆନେ ଷ୍ଟିଫେନ୍ସ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୋଲାଣ୍ଡର ସ୍ବିତେକ ୭-୬, ୬-୨ ସେଟ୍‌ରେ ପୂର୍ବତନ ବିଜୟିନୀ ଆମେରିକାର ସୋଫିଆ କେନିନ୍‌ଙ୍କୁ, ‌ଆମେରିକାର ପେଗୁଲା ୬-୨, ୬-୪ ସେଟ୍‌ରେ କାନାଡ଼ାର ରିବେକା ମାରିନୋଙ୍କୁ, ବେଲାରୁଷର ଆଜାରେଙ୍କା ୬-୧, ୪-୬, ୬-୩ ସେଟ୍‌ରେ ଇଟାଲିର କାମିଲା ଜିଓର୍ଜିଙ୍କୁ, ଲାଟଭିଆର ଓଷ୍ଟାପେଙ୍କୋ ୭-୬, ୬-୧ ସେଟ୍‌ରେ ଅଷ୍ଟ୍ରେଲିଆର କିମ୍ବେର୍ଲି ‌ବିରେଲଙ୍କୁ,, ଆମେରିକାର ଷ୍ଟିଫେନ୍ସ ୬-୩, ୬-୧ ସେଟ୍‌ରେ ଅଷ୍ଟ୍ରେଲିଆର ଓଲିଭିଆ ଗାଡ଼େକିଙ୍କୁ ହରାଇଥିଲେ।

ଦ୍ବିତୀୟ ରାଉଣ୍ଡରେ ଅଲ୍‌କାରାଜ, ଭେରଭ
ସ୍ପେନ୍‌ର କାର୍ଲୋସ ଅଲ୍‌କାରାଜ ଗାର୍ଫିଆ, ଜର୍ମାନିର ଆଲେକ୍‌ଜାଣ୍ଡର ଭେରଭ, ନରୱେର କାସପର ରୁଡ୍‌, ଡେନ୍‌ମାର୍କର ହୋଲଗର ରୁନେ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ଦ୍ବିତୀୟ ମାନ୍ୟତାପ୍ରାପ୍ତ ଗାର୍ଫିଆ ୭-୬, ୬-୧, ୬-୨ ସେଟ୍‌ରେ ଫ୍ରାନ୍ସର ରିଚାର୍ଡ ଗାସକ୍ବେଟଙ୍କୁ, ଷଷ୍ଠ ମାନ୍ୟତାପ୍ରାପ୍ତ ଭେରଭ ୪-୬, ୬-୩, ୭-୬, ୬-୩ ସେଟ୍‌ରେ ନିଜ ଦେଶର ଡୋମିନିକ୍‌ କୋଏଫରଙ୍କୁ, ଏକାଦଶ ମାନ୍ୟତାପ୍ରାପ୍ତ ରୁଡ ୬-୧, ୬-୩, ୬-୧ ସେଟ୍‌ରେ ସ୍ପେନ୍‌ର ଅଲବର୍ଟ ରା‌ମୋସ ଭିନୋଲାସଙ୍କୁ ଏବଂ ଅଷ୍ଟମ ମାନ୍ୟତାପ୍ରାପ୍ତ ରୁନେ ୬-୨, ୪-୬, ୭-୬, ୬-୪ ସେଟ୍‌ରେ ଜାପାନର ୟୋସିହିତୋ ନିସି‌ଓକାଙ୍କୁ ପରାସ୍ତ କରିଛନ୍ତି।