ନାଗେଶ ଟ୍ରଫି‌ରେ ନକୁଳଙ୍କ ଶତକ, ଓଡ଼ିଶାର ବଡ଼ ବିଜୟ

ଭୁବନେଶ୍ବର: ବେଙ୍ଗାଲୁରୁରେ ସୋମବାରଠାରୁ ଆରମ୍ଭ ହୋଇଥିବା ନାଗେଶ ଟ୍ରଫି ଦୃଷ୍ଟିହୀନ ଜାତୀୟ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ନିଜ ପ୍ରଥମ ମ୍ୟାଚ୍‌ ଜିତିଛି। ନିର୍ମାଣ-୧ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ୧୩୯ ରନ୍‌ରେ ମଧ୍ୟପ୍ରଦେଶକୁ ହରାଇଛି। ନକୁଳ ବଡ଼ନାୟକ ଙ୍କ ପ୍ରଥମ ଶତକ (୧୦୧*, ୫୯ ବଲ୍), ସୁଖରାମ ମାଝୀଙ୍କ ଅର୍ଦ୍ଧଶତକ (୭୨*, ୩୯ ବଲ୍) ଏବଂ ଅଧିନାୟକ ମହମ୍ମଦ ଜାଫର୍‌ ଇକବାଲ୍‌ଙ୍କ ଉପଯୋଗୀ ୩୬ ରନ୍ (୧୭ ବଲ୍‌) ବଳରେ ଓଡ଼ିଶା ୨୦ ଓଭରରେ ୨ ୱିକେଟ୍ ହରାଇ ୨୪୯ ରନ୍ କରିଥିଲା। ଜବାବରେ ମଧ୍ୟପ୍ରଦେଶ ୧୧୦/୯ରେ ସୀମିତ ରହିଥିଲା। ଓଡ଼ିଶା ପକ୍ଷରୁ ସୁଖରାମ ମାଝୀ ୩, ପଙ୍କଜ ଭୁଇ ୨, ତପନ ଗୌଡ଼ ଓ ରଘୁରାମ ନାୟକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ସୁଖରାମ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ମଙ୍ଗଳବାର ଓଡ଼ିଶା ସଚିନ ତେନ୍ଦୁଲକର ଗ୍ରାଉଣ୍ଡରେ ବେଙ୍ଗଲ ସହ ମୁକାବିଲା କରିବ।

ସମ୍ବନ୍ଧିତ ଖବର