ନଳିନୀକାନ୍ତ ମହାନ୍ତି ସ୍ମାରକୀ ବ୍ୟାଡ୍‌ମିଣ୍ଟନ୍‌: ଆୟୂଷୀ, ସୌମୁକ୍ତା ପ୍ରି-କ୍ୱାର୍ଟରରେ 

ଭୁବନେଶ୍ୱର: ଚନ୍ଦ୍ରଶେଖରପୁରସ୍ଥିତ ପୂର୍ବତଟ ରେଳବାଇ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଗୁରୁବାରଠୁ ଆରମ୍ଭ ହୋଇଥିବା ଚତୁର୍ଥ ନଳିନୀକାନ୍ତ ମହାନ୍ତି ସ୍ମାରକୀ ରାଜ୍ୟ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ଶୁକ୍ରବାର ଦ୍ୱିତୀୟ ଦିନ ଭୁବନେଶ୍ୱରର ଆୟୂଷୀ କର ଓ ମୟୂରଭଞ୍ଜର ସୌମୁକ୍ତା ବାରିକ୍‌ ମହିଳା ଏକକ ପ୍ରିକ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଆୟୂଷୀ ୨୧-୧୪ ଓ ୨୧-୯ରେ ସମ୍ବଲପୁରର ପ୍ରଙ୍କିତ୍‌ ଶ୍ରୀ’ଙ୍କୁ ଏବଂ ସୌମୁକ୍ତା ୨୩-୨୧ ଓ ୨୧-୧୭ରେ ଭୁବନେଶ୍ୱରର ସେବାଶ୍ରୀ ମହାନ୍ତିଙ୍କୁ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ଓଡ଼ିଶାର ପ୍ରମୁଖ ୮ ଖେଳାଳି ପ୍ରମିତ୍‌ କୁମାର ମହାନ୍ତି, ନଇମୁଦ୍ଦିନ୍‌ ଖାନ୍‌, ଗିରିଜା ଶଙ୍କର ରାୟ, ପ୍ରଭାକର ପ୍ରଧାନ, ସିଦ୍ଧାର୍ଥ ନାୟକ, ଭୂପୀନ୍ଦର ନାୟକ, ସଞ୍ଜୟ କୁମାର ବିଶି ଓ ସୋମେନ୍‌ ଶେଖର ଦାସ ନିଜ ନିଜର ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ୍‌ ମୁକାବିଲା ଜିତି ପୁରୁଷ ଏକକ ମୁଖ୍ୟ ଡ୍ର’ରେ ପ୍ରବେଶ କରିଥିଲା ବେଳେ ଆଶିଷ କୁମାର ସେଠୀ, ସତ୍ୟଜିତ୍‌ ମଲ୍ଲିକ, ରୋସନ୍‌ ସିଂହ, ସ୍ୱୟମ୍‌ ପ୍ରକାଶ ପ୍ରଧାନ, ନିଖିଳେଶ ମହାନ୍ତି, ଶିବାଶିଷ ବିଶି, ହର୍ଷବର୍ଧନ ମହାନ୍ତି ଓ ଶିବସୁନ୍ଦର ମହାଲିକ୍‌ ୧୯ ବର୍ଷରୁ କମ୍‌ ବାଳକ ଏକକ ଏବଂ ଆଶିଷ ମହାନ୍ତି, ରିତ୍ୱିକ୍‌ ଆରୋରା, ହରିପ୍ରସାଦ ପୃଷ୍ଟି, ଚାୟନ୍‌ ସାହରିଆ, ସିଦ୍ଧାର୍ଥ ଦାସ, ତନ୍ମୟ ସାହୁ, ସେଶିଲ୍‌ ଦିଗଲ୍‌ ଓ ବିନିତ୍‌ ସାହୁ ୧୭ ବର୍ଷରୁ କମ୍‌ ବାଳକ ଏକକ ମୁଖ୍ୟ ଡ୍ର’କୁ ଯୋଗ୍ୟତା ହାସଲ କରିଛନ୍ତି। ମହମ୍ମଦ ସାହିଲ୍‌, ଆରବ ଦାସ, ଶୁଭାଶିଷ ପଟ୍ଟନାୟକ, ପ୍ରିୟାଂଶୁ ମହାନ୍ତି, ଜିଭି ରୀତେଶ ରମଣ, ଅମନ୍‌ଦୀପ୍‌ ଦାସ, ବିନିତ୍‌ ସାହୁ ଓ ଆୟୂଷ ଦେ ଯୋଗ୍ୟତା ପର୍ଯ୍ୟାୟରୁ ପ୍ରିକ୍ୱାର୍ଟର ଫାଇନାଲ୍‌ ରାଉଣ୍ଡ୍‌ ଖେଳିବାକୁ ବଛାଯାଇଛନ୍ତି।

ସମ୍ବନ୍ଧିତ ଖବର