ଜ୍ଞାନଚାନ୍ଦ, ଆଶିଷଙ୍କୁ ଦ୍ୱିମୁକୁଟ: ମୁରଲୀକୃଷ୍ଣ, କ୍ରିଷ୍ଣିକା ବିଜେତା

ଭୁବନେଶ୍ୱର: ମଞ୍ଚେଶ୍ୱରସ୍ଥିତ ପୂର୍ବତଟ ରେଳବାଇ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ରବିବାର ଉଦ୍‌ଯାପିତ ଚତୁର୍ଥ ନିଳିନୀକାନ୍ତ ମହାନ୍ତି ସ୍ମାରକୀ ରାଜ୍ୟ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଜ୍ଞାନ ଚାନ୍ଦ, ଆଶିଷ କୁମାର ସେଠୀ ଦ୍ୱିମୁକୁଟ ଅର୍ଜନ କରିଥିବାବେଳେ ମୁରଲୀକୃଷ୍ଣା ଓ କ୍ରିଷ୍ଣିକା ଏକକ ଟ୍ରଫି ହାସଲ କରିଛନ୍ତି।
ପୁରୁଷ ଏକକରେ କେ ମୁରଲୀକୃଷ୍ଣ ୨୧-୧୬, ୨୧-୧୭ରେ ଅଭିମନ୍ୟୁ ବଗର୍ତିଙ୍କୁ ଏବଂ ମହିଳା ଏକକରେ ସୁନ୍ଦରଗଡ଼ର କୃଷ୍ଣିକା ବିରୋକ ୨୧-୧୬, ୧୩-୨୧, ୨୧-୧୬ରେ ଖୋର୍ଧାର ଯଶଶ୍ରୀ ସାମଲଙ୍କୁ ପରାସ୍ତ କରି ଟ୍ରଫି ଜିତିଥିଲେ। ପୁରୁଷ ଯୁଗଳ ବର୍ଗରେ ଜ୍ଞାନ ଚାନ୍ଦ ଓ ମାନସରଂଜନ ରାଉତରାୟ ଯୋଡ଼ି ଫାଇନାଲ୍‌ରେ ୧୫-୨୧, ୨୧-୧୭, ୨୧-୧୧ରେ ରଂଜିତ କୁମାର ବଣ୍ଠ-ସୁଶାନ୍ତ କୁମାର ରାଉତଙ୍କୁ ଏବଂ ମିଶ୍ରିତ ଯୁଗଳ ଫାଇନାଲ୍‌ରେ ଜ୍ଞାନ ଚାନ୍ଦ-ହୋସହାନ୍ନା ଟପ୍ପୋ ଯୋଡ଼ି ୨୧-୧୪, ୨୧-୧୭ରେ ରଂଜିତ କୁମାର ବଣ୍ଠ-କ୍ରିଷ୍ଣିକା ବିରୋକଙ୍କୁ ପରାସ୍ତ କରି ଟ୍ରଫି ଜିତିଥିଲେ। ୧୫ ବର୍ଷରୁ କମ୍‌ ବାଳକ ଏକକ ବର୍ଗରେ ଶୀର୍ଷ ମାନ୍ୟତାପ୍ରାପ୍ତ ଅଭିଜିତ୍‌ ମହାରଣାଙ୍କୁ ୨୧-୧୬, ୨୧-୧୦ରେ ହରାଇ ଦ୍ୱିତୀୟ ମାନ୍ୟତା ଅମୃତ ମହାନ୍ତି ବିଜେତା ହୋଇଥିଲେ। ୧୭ ବର୍ଷରୁ କମ୍‌ ବାଳକ ଏକକରେ ଅବିନାଶ ମହାନ୍ତିଙ୍କ୍‌ୁ ୨୧-୧୪, ୨୧-୧୬ରେ ହରାଇ ପ୍ରଜେଶ କୁମାର ମୁର୍ମୁ ବିଜେତା ହୋଇଥିଲେ। ଏଡାର ଯୁଗଳ ବର୍ଗରେ ଅବିନାଶ ମହାନ୍ତି-ଇନ୍ଦ୍ରଜିତ୍‌ ଜେନା ଯୋଡ଼ି ୨୧-୧୪, ୨୧-୧୭ରେ ଅବିନାଶ ସାମନ୍ତ-ଅମ୍ଳାନ କେଶରୀ ଯୋଡ଼ିଙ୍କୁ ପରାସ୍ତ କରି ଟ୍ରଫି ହାତେଇଥିଲେ। ୧୯ ବର୍ଷରୁ କମ୍‌ ବାଳକ ଏକକରେ ଆଶିଷ କୁମାର ସେଠୀ ୨୧-୧୮, ୨୧-୧୫ରେ ରାଜେଶ କୁମାର ମୁର୍ମୁଙ୍କୁ ହରାଇ ବିଜେତା ହୋଇଥିଲେ। ଏହାର ଯୁଗଳ ବର୍ଗରେ ଆଶିଷ କୁମାର ସେଠୀ-ଶିବସୁନ୍ଦର ମହାଳିକ ୨୧-୧୬, ୧୮-୨୧, ୨୧-୧୯ରେ ଶିବାଶିଷ ବିଶି-ସୌମ୍ୟରଂଜନ ପଣ୍ଡାଙ୍କୁ ହରାଇ ଟ୍ରଫି ଜିତିଥିଲେ। ଭେଟେରାନ୍‌ ଯୁଗଳରେ ବିରଜା ପ୍ରସାଦ କର-ତ୍ରିନାଥ ଦେହୁରୀ ଯୋଡ଼ି ୨୧-୧୫, ୨୧-୧୧ରେ ଅମୃତରଂଜନ ଜେନା-ସଂଜୟ ପଟ୍ଟନାୟକଙ୍କୁ ପରାସ୍ତ କରି ବିଜେତା ହୋଇଥିଲେ। ବିଜେତା ଓ ଉପ ବିଜେତା, ସେମିଫାଇନାଲିଷ୍ଟଙ୍କୁ ମୋଟ ୨ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।
ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳ ଏସ୍‌ ସି ଜମିର୍‌, ମେୟର ଅନନ୍ତ ନାରାୟଣ ଜେନା, ପୂର୍ବତଟ ରେଳବାଇର ଉମେଶ ସିଂହ, ନାଲ୍‌କୋ ସିଏମ୍‌ଡି ତପନ କୁମାର ଚାନ୍ଦ, ଅନୁଗୁଳ ସୁକିନ୍ଦା ରେଳ ପ୍ରକଳ୍ପର ସିଏମ୍‌ଡି ଦିଲୀପ ସାମନ୍ତରାୟ, ବିଧାୟକ ଅଂଶୁମାନ ମହାନ୍ତି ଅତିଥିଭାବେ ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ। ଆୟୋଜକ ଏବିସିର ସଭାପତି ପୃଥ୍ଵୀବଲ୍ଲଭ ପଟ୍ଟନାୟକ, ଉପ ସଭାପତି କମଳଲୋଚନ ମହାନ୍ତି, ସାଧାରଣ ସମ୍ପାଦକ ଚଣ୍ଡୀପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର