ନଳିନୀକାନ୍ତ ସ୍ମାରକୀ ରାଜ୍ୟ ବ୍ୟାଡ୍‌ମିଣ୍ଟନ୍‌: ସ୍ବାଧୀନଙ୍କୁ ପୁରୁଷ ଏକକ ଟ୍ରଫି

ସ୍ମୃତି, ନନ୍ଦୀଶ, ଅବିନାଶଙ୍କୁ ଦ୍ବିମୁକୁଟ

ଭୁବନେଶ୍ବର: ସ୍ଥାନୀୟ ପୂର୍ବତଟ ରେଳବାଇ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଷଷ୍ଠ ନଳିନୀକାନ୍ତ ମହାନ୍ତି ସ୍ମାରକୀ ରାଜ୍ୟ ମାନ୍ୟତା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ରବିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି। କଟକ ଝିଅ ସ୍ମୃତି ସ୍ବାଇଁ, ସମ୍ବଲପୁର ଯୁବକ ନନ୍ଦୀଶ ପୋଦାର ଏବଂ ଅନୁଗୁଳ ପ୍ରତିଭା ଅବିନାଶ ମହାନ୍ତି ଦୁଇଟି ଲେଖାଏଁ ବର୍ଗରେ ଟ୍ରଫି ବିଜେତା ହୋଇ ଦ୍ବିମୁକୁଟ ଅର୍ଜନ କରିଛନ୍ତି। ଭୁବନେଶ୍ବରର ସ୍ବାଧୀନ ଗୌଡ଼ ପୁରୁଷ ଏକକ ଟ୍ରଫି ଜିତିବାର‌ ଗୌରବ ହାସଲ କରିଛନ୍ତି।

ପୁରୁଷ ଏକକ ଫାଇନାଲରେ ସ୍ବାଧୀନ ୨୧-୧୭, ୨୧-୯ରେ କେ ମୁରଲୀକୃଷ୍ଣଙ୍କୁ ପରାସ୍ତ କରିଥିଲେ। ପୁରୁଷ ଯୁଗଳ ବର୍ଗରେ ଜ୍ଞାନ ଚାନ୍ଦ-ମାନସ ରାଉତରାୟ ଯୋଡ଼ି ୨୧-୧୩, ୨୧-୯ରେ ଅଗ୍ନୀଶ ରାୟ-ଚିତ୍ତରଂଜନ ଶତପଥୀଙ୍କୁ ପରାସ୍ତ କରି ବିଜେତା ହୋଇଥିଲେ। ସ୍ମୃତି ମହିଳା ଏକକ ଫାଇନାଲରେ ୨୧-୯, ୨୧-୧୨ରେ ସମ୍ବଲପୁରର ପ୍ରଶଂସା ଦାସଙ୍କୁ ଏବଂ ୧୭ ବର୍ଷରୁ କମ୍ ବାଳିକା ଫାଇନାଲରେ ସୁନ୍ଦରଗଡ଼ର କ୍ରିଷ୍ଣିକା ବିରୋକଙ୍କୁ ୨୧-୧୮, ୨୧-୧୦ରେ ପରାସ୍ତ କରିଥିଲେ। ମହିଳା ଯୁଗଳ ବର୍ଗ ଫାଇନାଲରେ କ୍ରିଷ୍ଣିକା ବିରୋକ-ସ୍ବତପର୍ଣ୍ଣା ପଣ୍ଡା ୨୧-୧୪, ୨୧-୧୬ରେ ପ୍ରଶଂସା ଦାସ-ଅପରାଜିତା ପତିଙ୍କୁ ପରାସ୍ତ କରି ଟ୍ରଫି ହାସଲ କରିଥିଲେ। ୧୯ ବର୍ଷରୁ କମ୍‌ ବାଳକ ଏକକରେ ନନ୍ଦୀଶ ପୋଦ୍ଦାର ୨-୧ ସେଟ୍‌ରେ ସମ୍ବଲପୁରର ହ୍ରିତିକ ଆରୋରାଙ୍କୁ ପରାସ୍ତ କରିବା ପରେ ଅବିନାଶ ମହାନ୍ତିଙ୍କୁ ସାଥୀ କରି ଏହି ବୟସ ବର୍ଗର ବାଳକ ଯୁଗଳ ଫାଇନାଲରେ ଅମ୍ଳାନ କେ ନାୟକ ଓ ଅବିନାଶ ସାମନ୍ତଙ୍କୁ ୨-୦ ସେଟ୍‌ରେ ପରାସ୍ତ କରିଥିଲେ। ମିଶ୍ରିତ ଯୁଗଳ ବର୍ଗରେ ଅନୁଜା ଦାସ ମହାପାତ୍ର-ଅବିନାଶ ମହାନ୍ତି ୨୧-୧୯, ୨୧-୧୮ରେ ପ୍ରଶଂସା ଦାସ-ପି ଚକ୍ରଧରଙ୍କୁ ହରାଇ ବିଜେତା ହୋଇଥିଲେ। ୪୫ ବର୍ଷରୁ ଊର୍ଧ୍ବ ଭେଟେରାନ୍ ଯୁଗଳ ବର୍ଗରେ ଗୁରୁଙ୍ଗ ତେଜ୍‌ ବାହାଦୂର-ପ୍ରଶାନ୍ତ କୁମାର ବେହେରା ୨୧-୧୦, ୨୧-୧୦ରେ ପ୍ରକାଶ ଚନ୍ଦ୍ର ସାହୁ-ସୌରଭ ସ୍ବାଇଁଙ୍କୁ ହରାଇଥିଲେ। ୧୫ ବର୍ଷରୁ କମ୍‌ ବାଳକ ଏକକରେ ବାଲେଶ୍ବରର ଆର୍ଯ୍ୟ ମାଝୀ ୨୧-୧୨, ୧୬-୨୧, ୨୧-୧୪ରେ ପ୍ରିୟାଂଶୁ ମହାନ୍ତିଙ୍କୁ, ବାଳିକାରେ ସମ୍ବଲପୁରର ଶ୍ରେୟା ବିଶ୍ବାଳ ୨୧-୧୭, ୨୧-୧୧ରେ ହର୍ଷିତା ରାଉତଙ୍କୁ, ୧୭ ବର୍ଷରୁ କମ୍‌ ବାଳକରେ ସମ୍ବଲପୁରର ତୌସିଫ୍‌ ଖାନ୍‌ ୨୧-୧୪, ୨୧-୧୬ରେ ଅଭିଜିତ ମହାରଣାଙ୍କୁ ପରାସ୍ତ କରି ବିଜେତା ହୋଇଥିଲେ। ୧୭ ବର୍ଷରୁ କମ୍‌ ବାଳକ ଯୁଗଳ ବର୍ଗରେ ଭୁବନେଶ୍ବରର ଅଭିଜିତ ମହାରଣା-ଅମୃତ ମହାନ୍ତି ୨୧-୯, ୨୧-୧୬ରେ ଯଶରାଜ ବିଶ୍ବାଳ-ଅନୁଭବ ସାହୁଙ୍କୁ ପରାସ୍ତ କରି ମୁକୁଟ ଜିତିଥିଲେ।

ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବ୍ୟାଡମିଣ୍ଟନ୍ ସଂଘ ସଭାପତି ରୋହିତ ପୂଜାରୀ, ଅନୁଗୁଳ ସୁକିନ୍ଦା ରେଳପ୍ରକଳ୍ପ ପରିଚାଳନା ନିର୍ଦେଶକ ଦିଲୀପ କୁମାର ସାମନ୍ତରାୟ, ପୂର୍ବତଟ ରେଳବାଇ ମହାପ୍ରବଂଧକ ବିଦ୍ୟା ଭୂଷଣ, ଆୟୋଜକ ଏବିସିର ସଭାପତି ପୃଥ୍ବୀବଲ୍ଲଭ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅର୍ଜୁନ ପୁରସ୍କାର ବିଜେତା ପାରା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କ ସହିତ ଉଦୀୟମାନ ଖେଳାଳି ପ୍ରଶଂସା ଦାସ, ମାଷ୍ଟର ତୌସିକ୍‌ ଖା, ଆୟୂଷ ଦାସ, ପାର୍ଥ ସାରଥି ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର