ନମିତା ନେଲେ ଏକଲବ୍ୟ ସମ୍ମାନ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମହିଳା ହକି ଖେଳାଳି ନମିତା ଟୋପ୍ପୋଙ୍କୁ ରବିବାର ମର୍ଯ୍ୟାଦାଜନକ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ଖେଳ ଜୀବନରେ ତିନିଟି ପ୍ରମୁଖ ଅନ୍ତର୍ଜାତୀୟ ପଦକ ବିଜୟିନୀ ନମିତାଙ୍କୁ ରବିବାର ୨୮ତମ ସଂସ୍କରଣ ବିଜେତା ଭାବେ ଏହି ପୁରସ୍କାର ଦିଆଯାଇଛି। କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ନମିତାଙ୍କୁ ସମ୍ମାନ ଫଳକ ସହିତ ୫ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି। ଏଥି ସହିତ ଦୁଇ ଉଦୀୟମାନ ପ୍ରତିଭା ଭାରୋତ୍ତୋଳିକା ସ୍ନେହା ସୋରେନ୍‌ ଏବଂ ବ୍ୟାଡମିଣ୍ଟନ୍‌ ବିସ୍ମୟ ଋତାପର୍ଣ୍ଣା ପଣ୍ଡାଙ୍କୁ ମାନପତ୍ର ସହିତ ୫୦ ହଜାର ଟଙ୍କା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଇଛି। ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଇମ୍ପାକ୍ଟର ଟ୍ରଷ୍ଟି ତଥା ପୂର୍ବତନ ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ୩ ବିଜେତାଙ୍କୁ ପୁରସ୍କାର ପ୍ରଦାନ ସହିତ ଅଭିନନ୍ଦନ ଜଣାଇ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ପୁରସ୍କାର ଉତ୍ସବରେ ଅନୁପସ୍ଥିତି ରହିବାରୁ ସ୍ନେହାଙ୍କ ପାଇଁ ତାଙ୍କ ଭାଇ ଦେବେନ୍ଦ୍ର ଚନ୍ଦ୍ର ‌ସୋରେନ ଏବଂ ଋତାପର୍ଣ୍ଣାଙ୍କ ପାଇଁ ତାଙ୍କ ମା’ ଧରିତ୍ରୀ ସେବିକା ପଣ୍ଡା ଏହା ଗ୍ରହଣ କରିଥିଲେ।

ଭାରତ ପାଇଁ ୧୫୬ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିସାରିଥିବା ନମିତା ୨୦୧୪ ଇଞ୍ଚିଅନ୍‌ ଏସୀୟ କ୍ରୀଡ଼ା କାଂସ୍ୟ, ୨୦୧୭ରେ ଗିଫୁ ଏସିଆନ୍‌ କପ୍‌ ସ୍ୱର୍ଣ୍ଣ, ୨୦୧୮ରେ ଜାକର୍ତା ଏସୀୟ କ୍ରୀଡ଼ା ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ଥିଲେ। ଭାରତର ପ୍ରମୁଖ ଫେରୋ ଆଲୟଜ୍‌ ଉତ୍ପାଦନକାରୀ କମ୍ପାନି ଇମ୍ଫା ଦ୍ବାରା ପରିଚାଳିତ ‘ଇଣ୍ଡିଆନ୍‌ ମେଟାଲ୍‌ସ ପବ୍ଲିକ୍‌ ଚାରିଟେବୁଲ୍‌ ଟ୍ରଷ୍ଟ୍‌’ (ଇମ୍ପାକ୍ଟ) ପକ୍ଷରୁ ୧୯୯୩ ମସିହାଠାରୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଉଛି। ଜାତୀୟ ସ୍ତରର ବହୁ ପୁରସ୍କାର ସମାନ୍ତରାଳ ଥିବା ଏହି ପୁରସ୍କାର ଓଡ଼ିଶାର ସବୁଠାରୁ ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ରୂପେ ପରିଗଣିତ ରହିଛି।

ସମ୍ବନ୍ଧିତ ଖବର