ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋ ପାଇଲେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମହିଳା ହକି ଖେଳାଳି ନମିତା ଟୋପ୍ପୋ ମର୍ଯ୍ୟାଦାଜନକ ଏକଲବ୍ୟ ପୁରସ୍କାର ମିଳିଛି। ଖେଳ ଜୀବନରେ ତିନିଟି ପ୍ରମୁଖ ଅନ୍ତର୍ଜାତୀୟ ପଦକ ବିଜୟିନୀ ନମିତାଙ୍କୁ ରବିବାର ୨୮ତମ ସଂସ୍କରଣ ବିଜେତା ଭାବେ ଏହି ପୁରସ୍କାର ଦିଆଯାଇଛି। କରୋନା ଭାଇରସ ମହାମାରୀ ଯୋଗୁ ଚଳିତ ବର୍ଷ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ନମିତାଙ୍କୁ ସମ୍ମାନ ଫଳକ ସହିତ ୫ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି।

ଏଥି ସହିତ ଦୁଇ ଉଦୀୟମାନ ପ୍ରତିଭା ଭାରୋତ୍ତୋଳିକା ସ୍ନେହା ସୋରେନ୍‌ ଏବଂ ବ୍ୟାଡମିଣ୍ଟନ୍‌ ବିସ୍ମୟ ଋତାପର୍ଣ୍ଣା ପଣ୍ଡାଙ୍କୁ ମାନପତ୍ର ସହିତ ୫୦ ହଜାର ଟଙ୍କା ସହିତ ସମ୍ବର୍ଦ୍ଧିତ କରାଇଛି।

ଭାରତ ପାଇଁ ୧୫୬ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିସାରିଥିବା ନମିତା ୨୦୧୪ ଇଞ୍ଚିଅନ୍‌ ଏସୀୟ କ୍ରୀଡ଼ା କାଂସ୍ୟ, ୨୦୧୭ରେ ଗିଫୁ ଏସିଆନ୍‌ କପ୍‌ ସ୍ୱର୍ଣ୍ଣ, ୨୦୧୮ରେ ଜାକର୍ତା ଏସୀୟ କ୍ରୀଡ଼ା ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ଥିଲେ।

ଭାରତର ପ୍ରମୁଖ ଫେରୋ ଆଲୟଜ୍‌ ଉତ୍ପାଦନକାରୀ କମ୍ପାନି ଇମ୍ଫା ଦ୍ଵାରା ପରିଚାଳିତ ‘ଇଣ୍ଡିଆନ୍‌ ମେଟାଲ୍‌ସ ପବ୍ଲିକ୍‌ ଚାରିଟେବୁଲ୍‌ ଟ୍ରଷ୍ଟ୍‌’ (ଇମ୍ପାକ୍ଟ) ଦ୍ଵାରା ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଉଛି। ଜାତୀୟ ସ୍ତରର ବହୁ ପୁରସ୍କାର ସମାନ୍ତରାଳ ଥିବା ଏହି ପୁରସ୍କାର ଓଡ଼ିଶାର ସବୁଠାରୁ ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ରୂପେ ପରିଚିତ ରହିଛି।

ସମ୍ବନ୍ଧିତ ଖବର