ହାଙ୍ଗ୍‌ଝୌ: ଚଳିତ ଏସୀୟ କ୍ରୀଡ଼ାରେ ସୋମବାର ଏକ ଅପ୍ରତ୍ୟାଶିତ ମନ୍ତବ୍ୟ କାରଣରୁ ବିବାଦର ସୂତ୍ରପାତ ହୋଇଛି। ହେପାପ୍ଟଥଲନ୍‌ ଇଭେଣ୍ଟରେ ଭାଗ ନେଇଥିବା ଅଭିଜ୍ଞା ସ୍ବପ୍ନା ବର୍ମନ ପଦକ ବିଜୟିନୀ ନବାଗତ ନନ୍ଦିନୀ ଅଗସରାଙ୍କ ନାମରେ ସମଲିଙ୍ଗୀ ଅଭିଯୋଗ ଆଣି ଏକ ଅଯଥା ବିବାଦ ଆରମ୍ଭ କରିଛନ୍ତି। ରବିବାର ରାତିରେ ନନ୍ଦିନୀ ହେପ୍ଟାଥଲନ ଇଭେଣ୍ଟରେ ୫୭୧୨ ପଏଣ୍ଟ୍ ସହ କାଂସ୍ୟ ପଦକ ହାସଲ କରିଥିଲେ। ୨୦୧୮ ଜାକର୍ତ୍ତା ଏସିଆଡ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବା ସ୍ବପ୍ନା ବର୍ମନ ୫୭୦୮ ପଏଣ୍ଟ ସହ ଚତୁର୍ଥରେ ରହି ମାତ୍ର ୪ ପଏଣ୍ଟ ପାଇଁ ପଦକରୁ ବଞ୍ଚିତ ହୋଇଥିଲେ। ଏହା ପରେ ନିରାଶ ସ୍ବପ୍ନା ବ୍ୟର୍ଥତା ଭିତରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ନନ୍ଦିନୀଙ୍କ ନାମରେ ଅଭିଯୋଗ ଆଣିଥିଲେ। ଅବଶ୍ୟ ସେ ଏହାକୁ ତୁରନ୍ତ ହଟାଇ ନେଇଛନ୍ତି। ‌ଏଥିରେ ସେ ଲେଖିଥିଲେ ‘ଜଣେ ତୃତୀୟ ଲିଙ୍ଗୀ ମହିଳାଙ୍କ ପାଇଁ ମୁଁ ମୋ ଏସୀୟ କ୍ରୀଡ଼ା ହେପ୍ଟାଥଲନ୍‌ ପଦକ ହରାଇଲି। ‌ଏହ‌ା ଖେଳାଳି ବିରୋଧୀ ନିୟମ କାରଣରୁ ହୋଇଥିବାରୁ ମୋ ପଦକ ଫେରାଇ ଦିଆଯାଉ। ଦୟାକରି ମୋତେ ସମର୍ଥନ ଏବଂ ସାହାଯ୍ୟ କରନ୍ତୁ।’’

Advertisment

ସ୍ବପ୍ନାଙ୍କ ଏଭଳି ଅଭିଯୋଗକୁ ଅଧିକାଂଶ ନାପସନ୍ଦ କରିଛନ୍ତି, ସ୍ବପ୍ନା ଏକ ଅପ୍ରସଙ୍ଗଙ୍କୁ ପ୍ରସଙ୍ଗ କରିଛନ୍ତି ବୋଲି ମଧ୍ୟ ସ୍ବର ଉଠିଛି। ସେ ଈର୍ଷା ପରାୟଣ ହୋଇ ଏଭଳି ଅଭିଯୋଗ ଆଣିଛନ୍ତି ବୋଲି ମଧ୍ୟ ଅନେକ ମତ ଦେଇଛନ୍ତି। ଜବାବରେ ନନ୍ଦିନୀ କହିଛନ୍ତି ‘ମୁଁ ବୁଝି ପାରୁନି ସ୍ବପ୍ନାଙ୍କର କି ଅସୁବିଧା ହେଲା? ତାଙ୍କ ଅଭିଯୋଗର ସମୟକୁ ନେଇ ମୁଁ ଦ୍ବନ୍ଦ୍ବରେ ଅଛି। ସେ ଆଗରୁ ଏହି ଅଭିଯୋଗ କାହିଁକି କରୁନଥିଲେ’। ସରକାର ଏବଂ ଭାରତୀୟ ଦୌଡ଼କୁଦ ସଂଘ ମୋ ସହ ଛିଡ଼ା ‌ହୋଇଥିବାରୁ ଉଭୟ ପକ୍ଷକୁ କୃତଜ୍ଞତା ଜଣାଇ ନନ୍ଦିନୀ ପୁଣି କହିଛନ୍ତି ‘କଠିନ ପରିଶ୍ରମ ଏବଂ ତ୍ୟାଗ ବଳରେ ମୁଁ ଏହି କାଂସ୍ୟ ପଦକ ଜିତିବା ସମୟରେ ସେ ତୃତୀୟ ଲିଙ୍ଗୀ ଅଭିଯୋଗ ଆଣିଛନ୍ତି। ଏହା ଅତ୍ୟନ୍ତ ଅଯୌକ୍ତିକ ପ୍ରସଙ୍ଗ।’’ ମୁଁ କ’ଣ ମୁଁ ଜାଣିଛି, ସ୍ବପ୍ନାଙ୍କୁ ଆହ୍ବାନ ଦେଉଛି ପ୍ରମାଣ ଦିଅନ୍ତୁ। ଭାରତ ପାଇଁ ପଦକ ଜିତିଥିବାର ପ୍ରମାଣ ଦେବି। ଦେଶ ପାଇଁ କିଛି ଭଲ କରିବା ପାଇଁ ମୁଁ ଚାହେଁ। ଏବେ ପଦକ ଜିତିବା ପରେ ଲୋକମାନେ ମୋ ନାମରେ ଆଲୋଚନା କରିବା ଆରମ୍ଭ କରିଛନ୍ତି। ଭାରତୀୟ ଦୌଡ଼କୁଦ ସଂଘ ନିକଟରେ ମୁଁ ନିଶ୍ଚିତ ଏହି ପ୍ରସଙ୍ଗ ଉଠାଇବି। ମୁଁ ଏବେ ବିଜୟର ମୁହୂର୍ତକୁ ଉପଭୋଗ କରୁଛି। ମା’ଙ୍କ ଶରୀର ଭଲ ନଥିବାରୁ ତୁରନ୍ତ ଭାରତ ଫେରିଯିବାକୁ ଚାହେଁ’ ବୋଲି କହିଛନ୍ତି ନନ୍ଦିନୀ।

ସୂଚନାଯୋଗ୍ୟ, ତେଲେଙ୍ଗାନାର ଏକ ସାଧାରଣ ପରିବାରରୁ ଆସି ନନ୍ଦିନୀ ୨୦୧୮ରୁ ଦୌଡ଼କୁଦ ଦୁନିଆରେ ସଫଳତାର ସିଡ଼ି ଚଢ଼ିଛନ୍ତି। ତାଙ୍କ ପିତା ଚା’ ଦୋକାନ କରିଥିବା ବେଳେ ମା’ ଗୃହିଣୀ। ଉଭୟଙ୍କୁ କାମରେ ସହାଯ୍ୟ କରିଥାନ୍ତି ନନ୍ଦିନୀ। ଅନେକ ପ୍ରତିକୂଳ ପରିସ୍ଥିତି ଭିତରେ ଗତି କରିଥିବା ନନ୍ଦିନୀ ୧୦୦ ମିଟର୍ ବାଧାଦୌଡ଼ରେ କନିଷ୍ଠ ଜାତୀୟ ରେକର୍ଡଧାରୀ ଅଛନ୍ତି। ପିଲାଟି ଦିନରୁ ମୋତେ ବଡ଼ ବାପା ହିଁ ବଡ଼ କରିଛନ୍ତି। ଗତ ଡିସେମ୍ବରରେ ତାଙ୍କୁ ହରାଇଥିଲି। ତା’ ପରେ ଜେଜେ ବାପା ବି ଚାଲିଯାଇଥିଲେ। ଗତକାଲି ରାତିରେ ପଦକ ଚିନ୍ତାରେ ଭଲରେ ଶୋଇ ପାରିନଥିଲି। ନିଜକୁ ଶାନ୍ତ କରିଥିଲି ଏବଂ ପ୍ରଶିକ୍ଷକ ମଧ୍ୟ ମୋତେ ଉତ୍ସାହିତ କରିଥିଲେ। ଏହି ପଦକକୁ ମୁଁ ମୋ‌ ଜେଜେ ବାପାଙ୍କୁ ଉତ୍ସର୍ଗ କରୁଛି ବୋଲି ନନ୍ଦିନୀ ପ୍ରକାଶ କରିଥିଲେ। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ସଫଳତା ପରେ ପେଣ୍ଟାଥଲନ୍‌ରୁ ହେପ୍ଟାଥଲନ୍‌କୁ ଆସିଥିଲେ। ଆହତ କାରଣରୁ କିଛି ଦିନ କେବଳ ବାଧାଦୌଡ଼ କରିଥିଲେ ମଧ୍ୟ ପୁଣି ଥରେ ହେପ୍ଟାଥଲନ୍‌କୁ ଆପଣାର କରିଥିଲେ। ଦୂତି ଚାନ୍ଦଙ୍କ ପ୍ରଶିକ୍ଷକ ଭାବେ ପରିଚିତ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ନାଗପୁରୀ ରମେଶ ମଧ୍ୟ ନନ୍ଦିନୀଙ୍କ ଗୁରୁ। ହାଇଦ୍ରାବାଦରେ ରମେଶ ହିଁ ନନ୍ଦିନୀଙ୍କୁ ଗଢ଼ି ତୋଳିଛନ୍ତି। ଏବେ ଆରମ୍ଭ ମାତ୍ର ହୋଇଥିବାରୁ ଇଚ୍ଛାଶକ୍ତି ଓ ଦକ୍ଷତା ବଳରେ ନନ୍ଦିନୀ‌ ଆଗକୁ ଅଧିକ ସଫଳତା ପାଇବେ ଏଥିରେ ସନ୍ଦେହର ଅବକାଶ ନାହିଁ।