ଭୁବନେଶ୍ବର: ସିଟି କ୍ଲବ୍ ଓ କିଟ୍ର ମିଳିତ ଆନୁକୂଲ୍ୟରେ କିଟ୍ ଫୁଟ୍ବଲ୍ ପଡ଼ିଆରେ ଚାଲିଥିବା ପ୍ରଥମ ନନ୍ଦକିଶୋର ସ୍ମାରକୀ ମହିଳା ଫୁଟ୍ବଲ୍ ପ୍ରତିଯୋଗିତାର ଗୁରୁବାର ଖେଳାଯାଇଥିବା ଦୁଇଟି ମ୍ୟାଚ୍ରେ ନିତା ଅମ୍ବାନୀ ଫୁଟ୍ବଲ୍ ଏକାଡେମି ଏବଂ ଓଡ଼ିଶା ପୁଲିସ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍ରେ ନିତା ଅମ୍ବାନୀ ଫୁଟ୍ବଲ୍ ଏକାଡେମି ୩-୦ରେ କିଟ୍କୁ ହରାଇଥିଲା। ବିଜୟୀ ଦଳ ପକ୍ଷରୁ ଭାରତୀ ଦାସ (୪୨ ମିନିଟ୍), ଗାୟତ୍ରୀ ବେହେରା (୪୫ ମିନିଟ୍) ଓ ଲହରୀ ମଙ୍ଗରାଜ (୫୪ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଭାରତୀ ଦାସ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଦ୍ବିତୀୟ ମ୍ୟାଚ୍ରେ ଓଡ଼ିଶା ପୁଲିସ ୨-୦ ଗୋଲ୍ରେ ବିଡ଼ାନାସୀ କ୍ଲବ୍କୁ ମାତ୍ ଦେଇଥିଲା। ଯଶ୍ମାନୀ ସାମଦ (୭୨ ମିନିଟ୍) ଓ କରିସ୍ମା ଓରାମ (୭୪ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ସ୍କୋର୍ କରିଥିଲେ। ଓଡ଼ିଶା ପୁଲିସର ସୁମିତ୍ରା ଖାଲ୍କୋ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସୁଜିତ କୁମାର ପାତ୍ର, ଶେଖାୱତ୍ ଖାନ୍, ଚନ୍ଦ୍ରକାନ୍ତ ବାରିକ, ପ୍ରଶାନ୍ତ ପାଳ, ଆଲୋକ ଦେହୁରୀ ମ୍ୟାଚ୍ ପରିଚାଳନା କରିଥିଲେ। ଅତିଥି ଭାବେ ସିଟି କ୍ଲବ୍ ସମ୍ପାଦକ ପ୍ରଦୀପ କୁମାର ରାଉତରାୟ, ସନ୍ତୋଷ ଟ୍ରଫି ଖେଳାଳି ରମେଶ ମଲ୍ଲିକ, ଓଡ଼ିଶା ଏଫ୍ସିର ରଣଦୀପ ବରୁଆ, ସରିତା ପଣ୍ଡା ଓ କଳ୍ପନା ସାହୁ ଯୋଗ ଦେଇଥିଲେ।