ହାଇଦ୍ରାବାଦ ବନ୍ୟାରେ ‌ନାରଙ୍ଗଙ୍କ ପ୍ରବଳ କ୍ଷତି; ବୁଡ଼ିଗଲା ବନ୍ଧୁକ, ରାଇଫଲ୍ସ

ହାଇଦ୍ରାବାଦ : ପ୍ରବଳ ବର୍ଷା ଯୋଗୁଁ ହାଇଦ୍ରାବାଦ ବିପର୍ଯ୍ୟସ୍ତ ହୋଇଥିଲା ‌‌ବେଳେ ଏଥିରେ ମଧ୍ୟ ୨୦୧୨ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ବନ୍ଧୁକଚାଳକ ଗଗନ ନାରଙ୍ଗ ଖୁବ୍‌ କ୍ଷତିଗ୍ରସ୍ତ ହୋଇଛନ୍ତି। ସିକନ୍ଦରାବାଦର ତିରୁମାଲଗିରିରେ ନାରଙ୍ଗଙ୍କ ଏକ ଏକାଡେମି ରହିଛି। ନଭେମ୍ବର ୨ ତାରିଖରେ ହାଇଦ୍ରାବାଦର ଗୌଚିବୋଲିଠାରେ ‘ଗନ୍‌ ଫର ଗ୍ଲୋରି’ ନାମକ ଏକ ଏକାଡେମି ଆରମ୍ଭ କରିବାର ଥିଲା। ଏହି ଏକାଡେମି ଲାଗି ସେ ଜର୍ମାନିରୁ ଗତ ଦୁଇମାସ ତଳେ କିଛି ରାଇଫଲ କିଣିଥିଲେ। ଏହି ରାଇଫଲଗୁଡ଼ିକୁ ନାରଙ୍ଗ ସିକନ୍ଦରାବାଦସ୍ଥିତ ଏକାଡେମିରେ ରଖିଥିଲେ। ଏକାଡେମିରେ ବନ୍ୟାପାଣି ପସିଯିବାରୁ ରାଇଫଲ ଓ ବନ୍ଧୁକ ବୁଡ଼ି ଯାଇଥିଲା।

ଏହି ବନ୍ୟା ପାଣି ମାଡ଼ିଆସି ଏକାଡେମି ଭିତରେ ସିଧା ପଶିଥିଲା। ପାଣି ଛାଡ଼ିଲା ପରେ ଦେଖିଲା ବେଳକୁ ସବୁ ଜିନିଷ ବୁଡ଼ି ଯାଇଛି। ନୂଆ କରି କିଣା ଯାଇଥିବା ୫୦ ଲେଖାଏଁ ବନ୍ଧୁକ ଓ ‌ରାଇଫଲ ଏଥିରେ ଥିଲା। ପ୍ରାୟ ୧.୩୦ କୋଟି ଟଙ୍କା କ୍ଷତି ହୋଇଛି ବୋଲି ନାରଙ୍ଗ କହିଛନ୍ତି। ଏସବୁ ଜିନିଷ ବ୍ୟବହାର ହୋଇନଥିଲା। କ୍ଷତିଗ୍ରସ୍ତ ହୋଇଥିବା ସବୁ ଜିନିଷ ପରୀକ୍ଷା କରିବୁ। ଏହାପରେ କେତେଟା ଚାଲୁଛି ଜଣାପଡ଼ିବ। ଏଭଳି ବିପର୍ଯ୍ୟୟ ଦେଖାଯିବ ବୋଲି କେବେ ଆଶା ରଖିନଥିଲି। ସେଥିପାଇଁ ଏସବୁ ଜିନିଷର ବୀମା କରିନଥିଲି। ଏବେ କ’ଣ କରିବି ବୁଝିପାରୁନି? ବନ୍ଧୁକ ଚାଳକଙ୍କ ପାଇଁ ଦେଖିଥିବା ସ୍ବପ୍ନ ଏବେ ଅଧୁରା ହେବାକୁ ଯାଉଛି ବୋଲି ନାରଙ୍ଗ କହିଛନ୍ତି।

ସମ୍ବନ୍ଧିତ ଖବର