ସନ୍ଦିଗ୍ଧ ବୋଲିଂ ଶୈଳୀରୁ ନାରାୟଣ ମୁକ୍ତ: କେକେଆର୍‌ ଆଶ୍ବସ୍ତ

ଆବୁଧାବି: ଚଳିତ ଆଇପିଏଲ୍‌ରେ ଅକ୍ଟୋବର ୧୦ ତାରିଖ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ଚକିଂ ଅଭିଯୋଗକ୍ରମେ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ସ୍ପିନର ସୁନିଲ ନାରାୟଣଙ୍କ ବୋଲିଂ ଶୈଳୀ ସନ୍ଦେହ ଘେରକୁ ଆସିଥିଲା। ଫଳରେ ସେ ଆଇପିଏଲ୍‌ ଚେତାବନୀ ତାଲିକାରେ ଯୋଡ଼ି ହୋଇଯାଇଥିଲେ। ଏଥିପାଇଁ କେକେଆର୍‌ ତାଙ୍କୁ ପରବର୍ତୀ ଦୁଇଟି ମ୍ୟାଚ୍‌ ଖେଳାଇନଥିଲା। ହେଲେ ନାରାୟଣଙ୍କ ଶୈଳୀ ନେଇ ଆକଳନ ରିପୋର୍ଟ ଆଇପିଏଲ୍‌ ସନ୍ଦିଗ୍ଧ ବୋଲିଂ ଶୈଳୀ କମିଟିଠାରୁ ଜାଣିବା ପାଇଁ ଅନୁରୋଧ କରିଥିଲା। ଏପରିକି ତାଙ୍କ ବୋଲିଂ ବେଳର ସ୍ଲୋ ମୋସନ୍‌ (ଉଭୟ ଆଙ୍ଗଲ୍‌ରୁ) ଫୁଟେଜ୍‌ ଦାଖଲ କରିଥିଲା। କମିଟି ଯତ୍ନର ସହ ସେହି ବୋଲିଂ ଫୁଟେଜ୍‌କୁ ସମୀକ୍ଷା କରିବା ପରେ କହୁଣି ବାଙ୍କ ଅନୁମତିପ୍ର‌ାପ୍ତ ସୀମା ମଧ୍ୟରେ ରହିଥିବା ସ୍ପଷ୍ଟ ହୋଇଥିଲେ। ତେଣୁ ରବିବାର ତାଙ୍କ ବୋଲିଂ ଶୈଳୀକୁ ଆଇପିଏଲ୍‌ ସନ୍ଦିଗ୍ଧ ବୋଲିଂ ଶୈଳୀ କମିଟି ସନ୍ଦେହମୁକ୍ତ କରିଦେଇଛି। ଯେଉଁଭଳି ଭାବେ ସେ ବୋଲିଂ କରୁଥିଲେ ସେହି ଶୈଳୀ ବଜାୟ ରଖିପାରିବେ ବୋଲି କମିଟି ଜଣାଇଦେଇଛି। ଫଳରେ କେକେଆର୍‌ ରବିବାର ଅପରାହ୍ନରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଆଶ୍ବସ୍ତ ହୋଇଥିଲା। ହେଲେ ନାରାୟଣ ରବିବାର ମ୍ୟାଚ୍‌ ଖେଳିନାହାନ୍ତି।

ସମ୍ବନ୍ଧିତ ଖବର