ମାରାଥନ୍‌ ଓ ସାଇକ୍ଲିଂରେ ନାରାୟଣଙ୍କ ଚମକ

ଭୁବନେଶ୍ବର : ହାଇଦ୍ରାବାଦ ମାରାଥନରେ ଚମକ ଛାଡିଛନ୍ତି ଓଡ଼ିଆ ପୁଅ ସି ନାରାୟଣ ରାଓ। ଗତ ରବିବାର ଅନୁଷ୍ଠିତ ହାଇଦ୍ରାବାଦ ମାରାଥନର ୪୧.୧୯୫ କିଲୋମିଟର୍‌ ପଥକୁ ୪ ଘଣ୍ଟା ୪୨ ମିନିଟ୍‌ ଓ ୨୧ ସେକେଣ୍ଡରେ ‌ଶେଷ କରି ପ୍ରଶଂସା ସାଉଁଟିଛନ୍ତି ଏହି ଟ୍ରାଫିକ ହାବିଲଦାର। ଏହି ପ୍ରତ‌ିଯୋଗିତାରେ ମୋଟ ୧୩,୦୦୦ ଜଣ ଅଂଶଗ୍ରହଣ କରିଥିବା ବେଳେ ଫୁଲ୍ ମାରାଥନ୍‌ରେ ୧୧୦୦ ଧାବକ ସାମିଲ ହୋଇଥିଲେ। ବହୁ ଉଚ୍ଚ ସେତୁ ଦେଇ ଗତି କରିଥିବା ଏହି ମାରାଥନ୍‌ର ପଥ ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା ବୋଲି ପ୍ରକାଶ କରିଛନ୍ତି ନାରାୟଣ।

ଭୁବନେଶ୍ବର ସାଇକ୍ଲିଂ ଆଣ୍ଡ୍ ଆଡଭ‌େଞ୍ଚର୍‌ କ୍ଲବ୍‌ (ବିସିଏସି)ର ଏହି ସକ୍ରିୟ ସଦସ୍ୟ ପୂର୍ବରୁ ମଧ୍ୟ ଏକାଧିକ ହାଫ୍‌ ମାରାଥନ୍ ଓ ଅନ୍ୟ ଦୁଃସାହସିକ ଯାତ୍ରାରେ ନିଜ ଛାପ ଛାଡିଛନ୍ତି। ଏୟାରଟେଲ୍ ହାଫ୍ ମାରାଥନ୍‌, ଏସ୍‌ବିଆଇ ହାଫ୍‌ ମାରାଥନ୍‌, ବିଏସଏଫ୍ ହାଫ୍ ମାରାଥନ, ବିସିଏସି ହାଫ୍ ମାରାଥନ, ବିସିଏସି ସି ବିଚ୍‌ ମାରାଥନ, କଳିଙ୍ଗ ରନର୍ସ ହାଫ୍‌ ମାରାଥନରେ ମଧ୍ୟ ଫିନିସ୍ ଲାଇନ୍ ଅତିକ୍ରମ କରିଥିଲେ। ଏଚ୍‌ଡିଓଆର୍‌ର ଭର୍ଚୁଆଲ୍‌ ରନ୍‌ରେ ୧୦୦ ଦିନରେ ୧୩୦୧ କିଲୋମିଟର୍‌ ଦୌଡିଛନ୍ତି। ମୋଟ ଉପରେ ୫ଟି ଫୁଲ୍ ମାରାଥନ୍ ଓ ୧୬୦ରୁ ଊର୍ଧ୍ବ ହାଫ୍‌ ମାରାଥନ୍‌ରେ ଭାଗ ନେଇ ସାରିଛନ୍ତି ନାରାୟଣ ରାଓ। ସାଇକ୍ଲିଂରେ ସେ ମଧ୍ୟ ଆଡାକ୍ସ କ୍ଲବ୍‌ ଇଣ୍ଡିଆ ପକ୍ଷରୁ ସୁପର୍‌ ରାଣ୍ଡୋନର୍‌ ପୁରସ୍କାର ପାଇଛନ୍ତି। ବିସିଏସିରେ ୨୦୦ କିଲୋମିଟରକୁ ୧୧ ଘଣ୍ଟା ୧୮ ମିନିଟ୍‌, ୩୦୦ କିଲୋମିଟରକୁ ୧୬ ଘଣ୍ଟା ୫୯ ମିନିଟ୍‌, ୪୦୦ କିଲୋମିଟରକୁ ୩୯ ଘଣ୍ଟା ୨୭ ମିନିଟ୍‌ରେ ଅତିକ୍ରମ କରିଥିଲେ।

ସମ୍ବନ୍ଧିତ ଖବର