ପାକିସ୍ତାନ ବିଶ୍ୱକପ୍‌ ଦଳରୁ ନସୀମ ବାଦ୍‌

ଲାହୋର : ୧୬ ବର୍ଷୀୟ ପାକିସ୍ତାନୀ ଦ୍ରୁତ ବୋଲର ନସୀମ ସାହାଙ୍କ ବିଶ୍ବକପ୍‌ ଖେଳିବା ଆଶା ମଉଳି ଯାଇଛି। ଚଳିତମାସ ୧୭ ତାରିଖରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଥିବା ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଲାଗି ପାକିସ୍ତାନ ଦଳରେ ସେ ସ୍ଥାନ ପାଇଥିଲେ। ହେଲେ ବୁଧବାର ତାଙ୍କୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଦଳରୁ କାଢ଼ି ଦେଇଛି। ତାଙ୍କ ସ୍ଥାନରେ ମହମ୍ମଦ ୱାସିମ ଜୁନିୟରଙ୍କୁ ଦଳରେ ନେଇଛି। ଯୁବ ପ୍ରତିଭାଙ୍କ ଦକ୍ଷତାକୁ ନଜରରେ ରଖି ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଦଳ ଚୟନ କରାଯାଇଛି ବୋଲି ପିସିବିର ମୁଖ୍ୟ କାର୍ଯ୍ୟନିର୍ବାହୀ ୱାସିମ ଖାନ୍‌ କହିଛନ୍ତି। ‌ଗତ ବର୍ଷ ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳ‌ାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ନସୀମ ଭଲ ପ୍ରଦର୍ଶନ କରିଥିଲେ। ଫଳରେ ଆଗକୁ ବାଂଲାଦେଶ ବିପକ୍ଷରେ ପାକିସ୍ତାନର ଘରୋଇ ଶୃଙ୍ଖଳା ଥିବାରୁ ନସୀମ ଦଳରେ ସ୍ଥାନ ପାଇବା ପ୍ରାୟ ନିଶ୍ଚିତ ରହିଛି। ଏଥିଲାଗି ଏହି ଡହାଣହାତୀ ଦ୍ରୁତ ବୋଲର ନିଜର ଦକ୍ଷତା ବୃଦ୍ଧି କରିବା ଲାଗି ବୋଲିଂ ପ୍ରଶିକ୍ଷକ ୱାକର ୟୁନିସଙ୍କଠୁ ପ୍ରଶିକ୍ଷଣ ନେବେ। ଫଳରେ ବିଶ୍ବକପ୍‌ ଖେଳିବା ଲାଗି ଦକ୍ଷିଣ ଆଫ୍ରିକା ଯିବେନି ବୋଲି ପିସିବି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର