କୋହଲି ଆହ୍ବାନ ଅପେକ୍ଷାରେ ନସିମ୍‌

ନୂଆଦିଲ୍ଲୀ: ବିରାଟ କୋହଲି ଏବେ ବିଶ୍ବ କ୍ରିକେଟ୍‌ର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍ ବିବେଚିତ ହେଉଛନ୍ତି। ପାକିସ୍ତାନର ଯୁବ ଦ୍ରୁତ‌ ବୋଲର୍‌ ନସିମ୍‌ ସାହା ଦିନେ କୋହଲିଙ୍କୁ ବୋଲିଂ କରିବାକୁ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି। ‘ଭାରତ ଓ ପାକିସ୍ତାନ ମ୍ୟାଚ୍‌ ସବୁବେଳେ ସ୍ବତନ୍ତ୍ର, ମୁଁ ଭଲ ଭାବରେ ଜାଣିଛି ଏଭଳି ମ୍ୟାଚ୍‌ରେ ଖେଳାଳି ‘ନାୟକ’ ନ ହେଲେ ‘ଖଳନାୟକ’ ବାହାରିଥାନ୍ତି। ଭାରତ ବିପକ୍ଷରେ ଖେଳି ମୁଁ ଏଭଳି ସୁଯୋଗ ଅପେକ୍ଷାରେ ରହିଛି‌ ବୋଲି କହିଛନ୍ତି ୧୭ ବର୍ଷୀୟ ନସିମ୍‌।

ଚଳିତ ବର୍ଷ ଫେବ୍ରୁଆରିରେ ନସିମ୍‌ ବାଂଲାଦେଶ ବିପକ୍ଷ ରାୱଲପିଣ୍ଡି ଟେଷ୍ଟ୍‌ରେ ହ୍ୟାଟ୍ରିକ୍ ଅର୍ଜନ କରି ଚର୍ଚାକୁ ଆସିଥିଲେ। ସେତେବେଳକୁ ତାଙ୍କ ବୟସ ଥିଲା ମାତ୍ର ୧୬ ବର୍ଷ ୩୫୯ ଦିନ। ଭାରତ ବିପକ୍ଷରେ ଖେଳିବା ସ‌ୁଯୋଗ ପାଇଲେ ମୁଁ ପାକିସ୍ତାନୀ ପ୍ରଶଂସକଙ୍କୁ ନିରାଶ କରିବି ନାହିଁ। କୋହଲିଙ୍କୁ ମୁଁ ଡରୁ ନାହିଁ, କିନ୍ତୁ ତାଙ୍କୁ ସମ୍ମାନ କରେ। ଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କୁ ବୋଲିଂ କରିବାର ଆହ୍ବାନକୁ ମୁଁ ଗ୍ରହଣ କରିଥାଏ‌’ ବୋଲି ନସିମ୍ କହିଥିଲେ। ଚତୁର୍ଥ ପାକିସ୍ତାନୀ‌ ବୋଲର ଭାବେ ନସିମ୍ ‌ଟେଷ୍ଟ୍‌ କ୍ରିକେଟ୍‌ରେ ହ୍ୟାଟ୍ରିକ୍ ନେଇଛନ୍ତି। ପୂର୍ବରୁ ମହମ୍ମଦ ସାମି, ଅବଦୁଲ ରଜାକ, ୱାସିମ୍ ଆକ୍ରମ ଏହି ତାଲିକାରେ ଥିଲେ। ସେହିଭଳି ଗତବର୍ଷ କରାଚୀ ଟେଷ୍ଟ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୧୬ ବର୍ଷ ୩୦୭ ଦିନ ହୋଇଥିବା ବେଳେ ସର୍ବକନିଷ୍ଠ ଦ୍ରୁତ ବୋଲର ଭାବେ ୫ ୱିକେଟ୍‌ ସଫଳତା ପାଇଥିଲେ।

ସମ୍ବନ୍ଧିତ ଖବର